ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଦୀର୍ଘ ୩୩ ବର୍ଷ ପରେ ଅନିଶ୍ଚିତତାରେ ୪ ନମ୍ବର ସ୍ଥାନ, କୋହଲିଙ୍କ ସନ୍ନ୍ୟାସ ପରେ କିଏ ପୂରଣ କରିବ ଶୂନ୍ୟ ସ୍ଥାନ ?

Published By : Prameya | May 14, 2025 1:14 PM

ନୂଆଦିଲ୍ଲୀ,୧୪/୦୫: ଦୀର୍ଘ ୩୩ ବର୍ଷ ଧରି  ଭାରତୀୟ ଟେଷ୍ଟ ଦଳରେ ୪ ନମ୍ବର ସ୍ଥାନ ସୁରକ୍ଷିତ  ହୋଇ ରହିଥିଲା । କିନ୍ତୁ ବିରାଟ କୋହଲିଙ୍କ ସନ୍ନ୍ୟାସ  ପରେ ଏହି ସ୍ଥାନରେ କିଏ ଖେଳିବେ ସେନେଇ  ବିତର୍କ ଆରମ୍ଭ ହୋଇଛି । ବିଶେଷଜ୍ଞମାନେ ଭିନ୍ନ ଭିନ୍ନ  ମତ ଦେଉଛନ୍ତି । ଶୁଭମନ ଗିଲ, ଲୋକେଶ ରାହୁଲ,  ଶ୍ରେୟାସ ଆୟର ଓ ରିଷଭ ପନ୍ତ ଏହି ସ୍ଥାନରେ ଯୋଗ୍ୟ  ବୋଲି ମତ ଦେଉଛନ୍ତି ।  

୧୯୯୨ରୁ ୨୦୧୩ ମସିହା ପର୍ଯ୍ୟନ୍ତ କିମ୍ବଦନ୍ତୀ  ସଚିନ ତେନ୍ଦୁଲକର ୪ ନମ୍ବର ସ୍ଥାନରେ ଖେଳି  ଆସୁଥିଲେ । ତାଙ୍କ ପରେ କୋହଲି ଏହି ସ୍ଥାନରେ  ଖେଳୁଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଊଦ୍ଧ୍ୱର୍ ସମୟ ଧରି  ଯେଉଁ ସ୍ଥାନ ସୁରକ୍ଷିତ ରହିଥିଲା, ତାହା କୋହଲିଙ୍କ  ବିନା ଶୂନ୍ୟ ସ୍ଥାନ ସୃଷ୍ଟି କରିଛି । ସଚିନ ଏହି ସ୍ଥାନରେ  ୧୭୯ଟି ମ୍ୟାଚ୍‌ ଖେଳି ୧୩୪୯୨  ରନ୍‌ କରିଥିଲେ ।  ୫୪.୪୦ ହାରରେ ରନ ସଂଗ୍ରହ କରିଥିବାବେଳେ  ୪୪ଟି ଶତକ ଓ  ୫୮ଟି ଅର୍ଦ୍ଧଶତକ ଏଥିରେ  ସାମିଲ ରହିଥିଲା। ସେହିପରି କୋହଲି ୯୯ଟି ମ୍ୟାଚ୍‌  ଖେଳି ୫୦.୦୯ ହାରରେ ୭୫୬୪ ରନ୍‌ କରିଛନ୍ତି ।  ଯେଉଁଥିରେ ୨୬ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସାମିଲ  ରହିଛନ୍ତି । କ୍ୟାରିୟରରେ ସୌରଭ ଗାଙ୍ଗୁଲି ୧୬ଟି,  ରାହୁଲ ଦ୍ରାବିଡ଼ ୧୬ଟି ଏବଂ ଅଜିଙ୍କ୍ୟ ରାହାଣେ ଓ  ଭିଭିଏସ୍‌ ଲକ୍ଷ୍ମଣ ୯ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି ।  

କେ. ଶ୍ରୀକାନ୍ତ ଯେତେବେଳେ ଜାତୀୟ ଚୟନ  କମିଟି ଅଧ୍ୟକ୍ଷ ଥିଲେ କୋହଲି ଟେଷ୍ଟ ପଦାର୍ପଣ  କରିଥିଲେ । ସେ କହିଛନ୍ତି, ‘ଭାରତୀୟ ଟେଷ୍ଟର ସେ ଅଗ୍ରଦୂତ ଥିଲେ । ତାଙ୍କ ସ୍ଥାନରେ କେବଳ ଏବେ କେଏଲ୍‌  ରାହୁଲ ହିଁ ଖେଳିବାକୁ ଯୋଗ୍ୟ ।’ ‘ମୋ ମତରେ  ଶୁଭମନ ଗିଲ ହିଁ ୪ ନମ୍ବର ସ୍ଥାନ ପାଇଁ ଯୋଗ୍ୟ । ସେ ପରବର୍ତ୍ତୀ ଅଧିନାୟକ ହେବେ ବୋଲି ମୋର ବିଶ୍ୱାସ ।’ ଏ କଥା କହିଛନ୍ତି ପୂର୍ବତନ ଓପନର ୱାସିମ ଜାଫର ।

ସେ କହିଛନ୍ତି, ‘ଗିଲ ଧଳା ବଲରେ ଓପନିଂ  କରନ୍ତି । ମାତ୍ର ଟେଷ୍ଟରେ ସେ ଚତୁର୍ଥ ସ୍ଥାନରେ  ଖେଳିବା ଦରକାର । ଯଶସ୍ୱୀ ଜୈସ୍ୱାଲ ଓ ରାହୁଲ  ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ଓପନିଂ କରିଥିଲେ । ତେଣୁ ରାହୁଲ ଓପନିଂ କରନ୍ତୁ । ସାଇ ସୁଦର୍ଶନଙ୍କୁ  ତୃତୀୟ ସ୍ଥାନରେ ଖେଳାଯାଉ ।’ ଗିଲଙ୍କୁ ଅଧିନାୟକ  କରିବା ସପକ୍ଷରେ ନାହାନ୍ତି କେ. ଶ୍ରୀକାନ୍ତ । ସେ  ବୁମରାଙ୍କୁ ସମର୍ଥନ ଜଣାଇଛନ୍ତି । ‘ଯଦି ବୁମରା ଫିଟ୍‌  ହେଉ ନାହାନ୍ତି, ତେବେ ରାହୁଲ କିମ୍ବା ରିଷଭ ପନ୍ତଙ୍କୁ  ଅଧିନାୟକ କରାଯାଇପାରେ ବୋଲି ଶ୍ରୀକାନ୍ତ କହିଛନ୍ତି ।  

ଦକ୍ଷିଣ ଆଫ୍ରିକାର ପୂର୍ବତନ ଓ୍ବିକେଟ୍‌ କିପର  ମାର୍କ ବାଉଚର କହିଛନ୍ତି, ‘ଭାରତରେ ପ୍ରତିଭାଙ୍କର  ଅଭାବ ନାହିଁ । ସଚିନଙ୍କ ପରେ ଯେ କୋହଲିଙ୍କ ଭଳି  ଜଣେ ଖେଳାଳି ବାହାରିବେ ସେ କଥା କେହି ଆକଳନ  କରିନଥିଲେ । ବହୁ ଖେଳାଳି ୪ ନମ୍ବର ସ୍ଥାନରେ  ଖେଳିବାର ଯୋଗ୍ୟତା ରଖିଛନ୍ତି । କିନ୍ତୁ ସେମାନଙ୍କୁ  ସମୟ ଲାଗିପାରେ । ମାତ୍ର ଏବେ ରାହୁଲ ଏହି ସ୍ଥାନ  ପାଇଁ ଫିଟ୍‌ । ତାଙ୍କ ଟେକନିକ ବହୁତ ଉନ୍ନତ ।’  

ଅଧିନାୟକ: ବୁମରା/ଗିଲ 

 ରୋହିତଙ୍କ ଅବସର ପରେ କିଏ ହେବେ  ଭାରତୀୟ ଟେଷ୍ଟ ଦଳର ଅଧିନାୟକ? ଏହାକୁ ନେଇ  ଏବେ ବିଚାର ବିମର୍ଶ ଆରମ୍ଭ ହୋଇଛି । ଯଶପ୍ରୀତ  ବୁମରା ଟେଷ୍ଟ ଦଳର ଉପ ଅଧିନାୟକ ଥିଲେ ।  ରୋହିତଙ୍କ ଅନୁପସ୍ଥିତରେ ବର୍ଡର-ଗାଭାସ୍କର ଟ୍ରଫିରେ  ଦଳର ନେତୃତ୍ୱ ନେଇଥିଲେ । ତେଣୁ ସେ ଅଧିନାୟକ  ପାଇଁ ଦାବିଦାର ବୋଲି ଆର.ଅଶ୍ୱିନ ମତ ଦେଇଛନ୍ତି ।  

ଅଶ୍ୱିନ କହିଛନ୍ତି, ‘ହଠାତ ରୋହିତ ଓ କୋହଲି  ଯେ ଏମିତି ଅବସର ନେବେ ସେ ଧାରଣା ମୋର ନଥିଲା । ଭାରତୀୟ ଟେଷ୍ଟ ପାଇଁ ଏହା ପରୀକ୍ଷାର  ସମୟ । ମୁଁ କହିବି, ଏବେଠୁ ହିଁ ଗୌତମ ଗମ୍ଭୀରଙ୍କ  ଯୁଗ ଆରମ୍ଭ ହେଲା ।  

ଏଥର ପୂରା ନୂଆ ଦଳ ଇଂଲଣ୍ଡ ଗସ୍ତ କରିବ । ଦଳରେ ବୁମରା ହେଉଛନ୍ତି ସବୁଠୁ ଅଭିଜ୍ଞ ଖେଳାଳି । ସେ ଅଧିନାୟକ ହେବା ପାଇଁ ଦାବିଦାର । ମୋ ମତରେ  ବି ସେ ଯୋଗ୍ୟ । ମାତ୍ର ଶାରୀରିକ ସାମର୍ଥ୍ୟକୁ ଦୃଷ୍ଟି  ଦେଇ ଚୟନକର୍ତ୍ତା ଅଧିନାୟକ ଚୟନ କରିବେ ।’ ଏକଥା ସତ ଯେ, ବୁମରା ବାରମ୍ବାର ଆହତ ହେବା  ଯୋଗୁ ବେଶ କିଛି ମାସ ଲେଖାଏଁ ଦଳରୁ ଦୂରେଇ ରହିଥାନ୍ତି । ତାହା ହିଁ ତାଙ୍କ ପାଇଁ ବଡ଼ ସମସ୍ୟା ।  

ଯୁବ ତାରକା ଶୁଭମନ ଗିଲଙ୍କୁ ନେଇ ଚର୍ଚ୍ଚା  ହେଉଛି । ସେ ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇ ଦଳକୁ ପ୍ଲେ ଅଫର ନିକଟତର କରାଇଛନ୍ତି । ତେଣୁ ହୁଏତ ଗିଲ ଅଧିନାୟକ  ହୋଇ ପାରନ୍ତି । ସେମିତି ଲୋକେଶ ରାହୁଲଙ୍କୁ  ମଧ୍ୟ ଏହି ଦୌଡ଼ରେ ସାମିଲ କରାଯାଇପାରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.