ସାନ୍ଧ୍ୟଭ୍ରମଣକୁ ନଯାଇ ଏତେ ମନଯୋଗରେ କ'ଣ ଶୁଣୁଛନ୍ତି? ମୋ ପ୍ରଶ୍ନରେ ଟିକେ ହସି ଟିଭି ଆଡ଼େ ଠାରିଦେଇ ଭଜହରି ବାବୁ କହିଲେ "ଏଡ଼େ ରୋଚକ ଟିଭି ଡିବେଟ୍କୁ କିଏ ଛାଡ଼ିପାରେ?' ମୁଁ ଟିପ୍ପଣୀ କଲି "ଓଃ! ଆମେରିକାର ଜୋର ଯା’ର ମୂଲକ ତା’ର ନୀତିରେ ଭେନେଜୁଏଲା ରାଷ୍ଟ୍ରପତି ମାଦୁରୋଙ୍କ ଅପହରଣକୁ ନେଇ ତ?' ସେ ଗମ୍ଭୀର ହୋଇ କହିଲେ "ନା! ମୁଁ ପୁଣିଥରେ ନୂଆ ରୂପରେ ଫେରୁଥିବା ଉପନିବେଶବାଦକୁ ଭାବୁଛି' । ଦଶନ୍ଧି ଦଶନ୍ଧି ଧରି ଅନ୍ତର୍ଜାତୀୟ ଆଇନ, ଲୋକତନ୍ତ୍ର, ମାନବାଧିକାର, ଶରଣାର୍ଥୀ ସୁରକ୍ଷା ଓ ଟାରିଫ ପରି ଭଦ୍ରଲୋକୀ ଆବରଣ ତଳେ ଯେଉଁ ଲୁଚକାଳି ଖେଳ ଚାଲିଥିଲା, ତାହା ଆଜି ଖୋଲିଯାଇଛି । ଲୋଭୀ, କ୍ଷମତାଲିପ୍ସୁ ଓ ପର ସମ୍ପତ୍ତି ହଡ଼ପକାରୀ ଆମେରିକାର ଅସଲ ଚେହେରା ଧରାପଡ଼ିଛି । ଭେନେଜୁଏଲା ପରେ ଏବେ ଇରାନ ଓ ଗ୍ରୀନଲାଣ୍ଡମୁହାଁ ତା’ ନଜର । ସବୁ ସେହି ତେଲର ଖେଳ, ଭଜହରି ବାବୁ କହିଲେ । ଇତିହାସର ପୃଷ୍ଠା ଖୋଲିଲେ ଦେଖାଯାଏ, ଉଚ୍ଚାଦର୍ଶର ଆଳରେ ଲୁଚିଥିଲା ଶାମ, ଦାମ, ଦଣ୍ଡ, ଭେଦର କୁତ୍ସିତ ରାଜନୀତି³ ଜାତିସଂଘ ନିରବ ଦର୍ଶକ ଏବଂ ଅନ୍ତର୍ଜାତୀୟ ଆଇନ ଆଜି ଏକପାଖିଆ ।
ଭୌଗୋଳିକ ତଥା ରାଜନୈତିକ ବିଶ୍ଳେଷଣ ଅନୁସାରେ ଯେଉଁଠି ଛଦ୍ମ ଆଦର୍ଶ ଆଳରେ ଆମେରିକାର ରାଜନୈତିକ, ଅର୍ଥନୈତିକ ଓ ବଳପୂର୍ବକ ହସ୍ତକ୍ଷେପ ଘଟିଛି, ସେସବୁ ଦେଶ ଧୀରେ ଧୀରେ ବର୍ବାଦ ହେଇଯାଇଛନ୍ତି ଓ ସଂପ୍ରଭୁତା ବିପଦରେ ପଡ଼ିଛି । ଆଗରୁ ସମ୍ପନ୍ନ ଦେଶ ଥିବା ଇରାକ, ଇରାନ, ଆଫଗାନିସ୍ତାନ, ଲିବିୟା, ସିରିଆ, ୟେମେନ, ଭିଏତନାମ, କ୍ୟୁବା, କାମ୍ବୋଡିଆ, କଙ୍ଗୋ, ଚିଲି, ସୋମାଲିଆ, ସୁଦାନ, ଭେନେଜୁଏଲା ଆଦି ଅନେକ ମଧ୍ୟପ୍ରାଚ୍ୟ ଦେଶ ସହ ଲାଟିନ ଆମେରିକା, ଏସିଆ ବା ଆଫ୍ରିକୀୟ ଦେଶର ଅବସ୍ଥା କ’ଣ ହେଇଛି? ତେଲ, ସୁନା, ରେଆର ଆର୍ଥ ଖଣିଜଦ୍ରବ୍ୟ, ମଧୁର ଜଳ ଆଦି ସଂସାଧନ ଉପରେ ଆମେରିକା ତାର ବର୍ଚସ୍ୱ ସ୍ଥାପନ କରିଛି ଏବଂ ଯେଉଁଠି ପାରିନି ସେ ଦେଶକୁ ଅସ୍ଥିର କରିବା ପାଇଁ ଆମେରିକାର ଡିପଷ୍ଟେଟ ଆପ୍ରାଣ ଚେଷ୍ଟା କରିଛି । ଅଲ-କାଏଦା, ମୁଜାହିଦ୍ଦିନ ଓ ତାଲିବାନଙ୍କ ଉଦ୍ଭବ ପଛରେ କାହା ଭୂମିକା ଥିଲା? ଖାଲି ଆମେରିକା ନୁହେଁ, ଚୀନର ବି ବିସ୍ତାରବାଦୀ ନୀତି ଏଠି ସାମିଲ । ଆପଣ ଗତ କିଛି ବର୍ଷର ଘଟଣାବଳୀକୁ ଦେଖନ୍ତୁ, ବିଦେଶୀ ପାଣ୍ଠିର ପ୍ରୋତ୍ସାହନରେ ଶ୍ରୀଲଙ୍କା, ପାକିସ୍ତାନ, ନେପାଳ ଓ ବାଙ୍ଗଲାଦେଶରେ ଲୋକଙ୍କୁ ଉସୁକେଇ ଅରାଜକତା ସୃଷ୍ଟିକରିବା ଭୌଗୋଳିକ ଶକ୍ତି-ଖେଳର ନୂଆ ଅଧ୍ୟାୟ ନୁହେଁ କି?
ତଥ୍ୟ କହେ, ଆଗରୁ ଆମେରିକା ଓ ସହଯୋଗୀମାନଙ୍କ ପ୍ରଭାବରେ ୱାର୍ଲଡ୍ ଟ୍ରେଡ୍ ଅର୍ଗାନାଇଜେସନ ଯେଉଁ ଚୁକ୍ତିଗୁଡ଼ିକ ଜାରି କରୁଥିଲା, ସେଗୁଡ଼ିକରେ ବିକାଶଶୀଳ ଦେଶମାନଙ୍କୁ ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲ ଓ ଉପକରଣ ଉପରେ ଅତ୍ୟଧିକ କର ଦେବାକୁ ପଡୁଥିଲା, କିନ୍ତୁ ବିଦେଶରୁ ଆସୁଥିବା ସମ୍ପୂର୍ଣ୍ଣ ଉତ୍ପାଦକୁ ପ୍ରାୟ ଟାକ୍ସ-ମୁକ୍ତ କରାଯାଉଥିଲା । ଅର୍ଥାତ୍ ପରଠୁ ମାଗିଯାଚି ଖାଇବ ପଛେ ନିଜେ ରୋଷେଇ କରିବା କଥା କେବେବି ତୁଣ୍ଡରେ ଧରିବନି । ଭାରତ ୨୦୧୫ ପର୍ଯ୍ୟନ୍ତ ଏହି ଅନ୍ୟାୟକୁ ସହିଲା । ଏ ଦେଶ ଯେ କେବଳ ବିଦେଶୀ ଉତ୍ପାଦର ଏକ ଡମ୍ପୟାର୍ଡ଼ କି ଉପଭୋକ୍ତା ବଜାର ନୁହେଁ, ଆମେରିକାର ରଣନୈତିକ ଭାଗିଦାରୀ ଆଳରେ ଚାଲିଥିବା ଏ ଯୋଜନାକୁ ୨୦୧୪ ପରର ଭାରତ ବେଶ୍ ବୁଝିପାରିଥିଲା । ତେଣୁ ସ୍ୱଦେଶୀ ଓ ସ୍ୱାବଲମ୍ବନର ପଥରେ ଆପ୍ରାଣ ଚେଷ୍ଟା ଜାରି ରଖିଥିଲା । ଫଳସ୍ୱରୂପ, ସାମରିକ, ଆର୍ଥିକ ଓ ପ୍ରଯୁକ୍ତିବିଦ୍ୟାରେ ଖୁବ୍ଶୀଘ୍ର ନିଜକୁ ଏକ ଅଗ୍ରଣୀ ବିକାଶଶୀଳ ଦେଶ ହିସାବରେ ବିଶ୍ୱରେ ନିଜକୁ ପ୍ରତିପାଦିତ କଲା । ଅପରେସନ ସିନ୍ଦୂର, ସିନ୍ଧୁ ଜଳସନ୍ଧି ରଦ୍ଦ ପରି ଦୁଇ ନିର୍ଣ୍ଣାୟକ ଫୈସଲା ଭାରତ ଯେ ଆଉ ଗୋଡାଣିଆ ନୁହେଁ ବରଂ ଏକ ସକ୍ଷମ, ଉଦୀୟମାନ ଶକ୍ତି, ଏହି ସନ୍ଦେଶ ବିଶ୍ୱକୁ ମିଳିଲା । କୂଟନୀତି ଉପରେ ନିର୍ଭରଶୀଳ ଥିବା ଭାରତ ଯେ ଏବେ ସାମରିକ ଭାବେ ସମ୍ପନ୍ନ, ଏକଥା ଆମେରିକାର ହଜମ ହେଲାନି । ହଁ ଯେ, ଭାରତରେ ୟାର ତାତ୍ପର୍ଯ୍ୟ କ’ଣ? ମୁଁ ଟିକେ ତୀର୍ଯ୍ୟକ କଲି ।
ଆଚ୍ଛା, ରାଜନୈତିକ ବିଶ୍ଳେଷକଙ୍କ କଥା ଶୁଣୁନାହାଁନ୍ତି କି? ଦେଶକୁ ଅସ୍ଥିର କରିବାପାଇଁ ସାମ୍ପ୍ରଦାୟିକ ଦଙ୍ଗା, କୃଷକ ଆନ୍ଦୋଳନ, ଇ.ଭି.ଏମ. ହ୍ୟାକିଂ, ଭୋଟ ଚୋରି, ଏସ୍.ଆଇ.ଆର୍. ଭଳି ପ୍ରସଙ୍ଗକୁ ଆଧାର କରି ନିରନ୍ତର ଭ୍ରମାତ୍ମକ ନ୍ୟାରେଟିଭ ଗଢ଼ାଯାଉଛି । ସେଥିରେ ଡିପଷ୍ଟେଟର ସମ୍ପୃକ୍ତି ଓ ବିଦେଶୀ ଫଣ୍ଡିଂର ସନ୍ଦେହାସ୍ପଦ ଆଭାସ ମିଳୁନାହିଁ କି? ନିକଟତର ପଡ଼ୋଶୀ ଦେଶଙ୍କୁ ଦେଖନ୍ତୁ ସବୁଠି ସତ୍ତା ପରିବର୍ତ୍ତନ ହୋଇ ଡିପଷ୍ଟେଟକୁ ସୁହାଇଲା ଭଳିଆ ହାତବାରିସି ସରକାର ସ୍ଥାପନ ହେଇଛି, କିନ୍ତୁ ଦେଶର ଜନତା ଯେଉଁ ତିମିରେକୁ ସେହିଁ ତିମିରେ । ଭାରତରେ ସେହି ଚକ୍ରାନ୍ତ ସଫଳ ହେଉନଥିବାରୁ ଅରାଜକତା ସୃଷ୍ଟିର ଆପ୍ରାଣ ଚେଷ୍ଟା ଚାଲିଛି । କ୍ଷମତା ଲୋଭ ପାଇଁ କିଛି ଦେଶ ବିରୋଧୀ ରାଜନୈତିକ, ଧାର୍ମିକ ଓ ବ୍ୟବସାୟିକ ଗୋଷ୍ଠୀ ଯେକୌଣସି ପ୍ରକାର ବେଇମାନୀ କରିବାକୁ ପ୍ରସ୍ତୁତ । ଏମାନଙ୍କ ନୀତି ହେଲା ସ୍ୱାମୀ ପଛେ ମରୁ କିନ୍ତୁ ସଉତୁଣୀ ବିଧବା ହଉ । କିନ୍ତୁ ଏ ଦେଶ ହେଉଛି ବିବିଧତାରେ ଭରା ବିଶ୍ୱର ଚତୁର୍ଥ ବୃହତ ବିକାଶଶୀଳ ଦେଶ । ଯାହାର ଜି.ଡି.ପି ଓ କ୍ରୟଶକ୍ତି କ୍ଷମତାରେ ନିରନ୍ତର ବୃଦ୍ଧି ଘଟୁଛି । ଆଗରୁ ସିନା ସୂଚନା ପ୍ରଯୁକ୍ତିର ଏତେ ବିକାଶ ଘଟିନଥିଲା, ଏବେ ପରା ଟିପ ଅଗରେ ସବୁ । ତେଣୁ ଯେତେ ଯିଏ ଯାହା କହିଲେ ମଧ୍ୟ ଏ ପବ୍ଲିକ ହୈ ସବ୍ ଜାନ୍ତା ହୈ, କିଏ ଦେଶ ହିତରେ କାମ କରୁଛି ଆଉ କିଏ ଦେଶ ବିରୋଧରେ ଷଡ଼ତନ୍ତ୍ର ରଚୁଛି, ବୁଝିଲେ । ଘଡ଼ିଘଡ଼ିକୁ ବୟାନ ବଦଳାଉଥିବା ଟ୍ରମ୍ପ ଭଳି ଅବିଶ୍ୱସନୀୟ ବ୍ୟକ୍ତିତ୍ୱର ବକ୍ତବ୍ୟକୁ କାଟ କରି "ନରେନ୍ଦର ସରେଣ୍ଡର, ଡେଡ ଇକୋନୋମି, ଟ୍ରମ୍ପ ଯାହା କହିବ ମୋଦି ସେଇଆ କରିବ କହୁଥିବା ଗୋଷ୍ଠୀଙ୍କ ସ୍ୱର କେମିତି ବିଦେଶ ମନ୍ତ୍ରଣାଳୟର ବୟାନ ପରେ ପଲଟି ମାରିଲା । ଏବେ ଓଲଟା ଆରମ୍ଭ ହେଲାଣି ଯେ, ମୋଦି ଫୋନ୍ ନକଲାରୁ ଟ୍ରମ୍ପ ୫୦୦% ଟାରିଫ ଲଗେଇଲା । ମନେମନେ ନିଜକୁ ସିଆଣିଆ ଭାବୁଥିବା ଏହି ଗୋଷ୍ଠୀ କିନ୍ତୁ ଜାଣିନାହାଁନ୍ତି ଯେ, ଲୋକଙ୍କୁ ଆଉ ଆଗପରି ଭୂଆଁବୁଲେଇ ହେବନି । ଏଇମାନଙ୍କ ଷଡ଼ତନ୍ତ୍ର, ଦ୍ୱେଷପୂର୍ଣ୍ଣ ଓ ସୁବିଧାବାଦୀ ଭୋଟ ରାଜନୀତି ଯୋଗୁଁ ଆଜି ଭାରତର ଭାରତୀୟତା ସଙ୍କଟରେ । ବିଦେଶରେ ଯାଇ ଦେଶକୁ ବଦନାମ କରିବା ଓ ଡିପ୍ଷ୍ଟେଟର ଆଜେଣ୍ଡା ଚଳେଇବା ହେଲା ଏମାନଙ୍କ ନୀତି । ଜେନେରାଲ ବିପିନ ରାୱତ ଠିକ୍ କହିଥିଲେ ଯେ, ଯୁଦ୍ଧ ହେଲେ ଦେଶକୁ ଅଢେଇ ଫ୍ରଣ୍ଟରେ ଲଢ଼ିବାକୁ ପଡ଼ିବ, ବୋଧେ ତାଙ୍କ ଇସାରା ଏଇ ଆନ୍ତର୍ଘାତୀ ଶତ୍ରୁଙ୍କ ପ୍ରତି ଇଙ୍ଗିତ ଥିଲା ।
ହଉହଉ କୁଲ୍ ଡାଉନ୍, ଉପନିବେଶବାଦରୁ ପାଖାପାଖି କାଳଖଣ୍ଡରେ ମୁକ୍ତି ପାଇଥିଲେ ମଧ୍ୟ ଚୀନର ଯେଉଁଠି ଦ୍ରୁତ ଅଭିବୃଦ୍ଧି ଘଟିଲା, ଭାରତ ସେଠାରେ କାହିଁକି ମନ୍ଥର ହୋଇଗଲା? ମୋ ପ୍ରଶ୍ନରେ ତାଙ୍କ ଉତ୍ତର ଥିଲା, ମୂଳ କାରଣ ହେଲା ଦୀର୍ଘମିଆଦୀ ଦୃଷ୍ଟିକୋଣ ଓ ରୂପାୟନର ତାରତମ୍ୟ । ଚୀନ କଠୋର ରାଷ୍ଟ୍ରୀୟ ତଦାରଖରେ ରାସ୍ତା, ବନ୍ଦର, ଶିଳ୍ପ ଓ ଭିତ୍ତିଭୂମି, ଅସ୍ତ୍ରଶସ୍ତ୍ର ବିକାଶ ଉପରେ ବହୁ ଅର୍ଥ ନିବେଶ କଲା ଏବଂ ୧୯୭୮ ପରେ ବଜାରମୁଖୀ ଅର୍ଥନୀତିକୁ ଗ୍ରହଣ କରି ନିଜକୁ ବିଶ୍ୱର ସୁଲଭ ଉତ୍ପାଦକ ଭାବେ ପ୍ରତିଷ୍ଠିତ କଲା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ସେଠାରେ ରାଷ୍ଟ୍ରୀୟ ସ୍ୱାର୍ଥକୁ ବ୍ୟକ୍ତିଗତ ଓ ଧାର୍ମିକ ଚିନ୍ତାଧାରାଠାରୁ ଊଦ୍ଧ୍ୱର୍ରେ ରଖାଗଲା । ତେଣୁ ଆଜି ତାହା ଏକ ଆର୍ଥିକସମ୍ପନ୍ନ ରାଷ୍ଟ୍ର ଓ ତାହାର ବିପରୀତରେ ଭାରତ ୧୯୯୧ର ଆର୍ଥିକ ସଙ୍କଟ ପରେ ବିଳମ୍ବରେ ବୈଶ୍ୱିକ ବଜାରମୁଖୀ ହେଲା । ସେବାକ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କଲେ ମଧ୍ୟ ଉତ୍ପାଦନ, ଭିତ୍ତିଭୂମି, ରାସ୍ତାଘାଟ, ବନ୍ଦର, ଶିଳ୍ପ, ପ୍ରକଳ୍ପ ଆଦି ବ୍ୟୁରୋକ୍ରାସିର ନାଲିଫିତା, କୋର୍ଟ କଚେରୀ, ଆନ୍ଦୋଳନ ତଳେ ଘୁଣ ଖାଇଲା । ଫଳରେ ଆମ ଦେଶ ଧୀରେ ଧୀରେ ଉତ୍ପାଦକ ନୁହେଁ, ବରଂ ବିଦେଶୀ ସାମଗ୍ରୀ ପାଇଁ ଏକ ବଡ଼ ଉପଭୋକ୍ତା ବଜାରରେ ପରିଣତ ହେଲା । ବିଦେଶୀ ଚାପରେ ଖଣିଜ ସମ୍ପଦ ସୁଲଭ ମୂଲ୍ୟରେ ରପ୍ତାନି କରି ସେଥିରୁ ତିଆରି କ୍ଷୁଦ୍ର ଓ ବୃହତ ସାମଗ୍ରୀକୁ ଉଚ୍ଚାଦରରେ ଏ ଦେଶ ଆମଦାନି କଲା । ଏହି କ୍ରମାଗତ ଅସମତୁଳିତ ବ୍ୟବସ୍ଥା ଦେଶକୁ ଔଦ୍ୟୋଗିକ ଓ ସାମରିକ କ୍ଷେତ୍ରରେ ବିଦେଶ ଉପରେ ନିର୍ଭରଶୀଳ କରିଦେଲା ।
ଏହି "ବିଷବଳୟ'ରୁ ମୁକ୍ତିର ଏକମାତ୍ର ଉପାୟ ଥିଲା ସ୍ୱଦେଶୀ ଉତ୍ପାଦନ ଓ ଆତ୍ମନିର୍ଭରତା । ସାମ୍ପ୍ରତିକ ସରକାର ଏହାକୁ ହୃଦୟଙ୍ଗମ କରି "ମେକ୍ ଇନ୍ ଇଣ୍ଡିଆ,ଷ୍ଟାର୍ଟଅପ୍ ଇଣ୍ଡିଆ' ଭଳି ପଦକ୍ଷେପ ନେଲା ଏବଂ ଆମେରିକାର ପ୍ରବଳ ଚାପ ସତ୍ତେ୍ୱ ଦେଶହିତକୁ ବାଣିଜ୍ୟିକ ଚୁକ୍ତିରେ ବଳି ଦେଲାନି । ଏ ଚାପକୁ ସହି ଦେଶ ଓ ଦେଶବାସୀଙ୍କ ସ୍ୱାର୍ଥ ନିମନ୍ତେ ଢାଲ ପରି ଠିଆ ହେଇଥିବା ଦେଶର ପ୍ରଧାନମନ୍ତ୍ରୀଙ୍କର ଏଥିରେ ନିଜସ୍ୱ କି ଲାଭ ଥିଲା? ଚାହିଁଥିଲେ ତ ଆମେରିକାର ଗେହ୍ଲାପୁଅ ହେଇପାରିଥାନ୍ତେ । ସବୁ ପ୍ରତିଘାତ ସତ୍ତେ୍ୱ ସେ କିନ୍ତୁ ଭାରତକୁ କେବଳ ଉପଭୋକ୍ତା ବଜାରରେ ସୀମିତ ରଖିବା ପରିବର୍ତ୍ତେ ଉତ୍ପାଦକ ଶକ୍ତିଭାବେ ଗଢ଼ିତୋଳିବାର ପଥକୁ ବାଛିଲେ । ଏହାକୁ ଆତ୍ମାରେ ଭାରତୀୟ କୁହାଯାଏ । ଭଜହରି ବାବୁ ଏଥର ଟିକେ ଦମ୍ ନେଲେ ।
ପ୍ରଶ୍ନିଳ ଚାହାଣୀରେ ଟିକେ ହସି ଭଜହରି ବାବୁ କହିଲେ "ଆଚ୍ଛା, ଆମେରିକା ୫୦୦% ଟାରିଫ ଲଗେଇଲେ କ’ଣ ହେବ?' ମୁଁ ଉତ୍ତର ଦେଲି, ୫୦% ଟାରିଫ ପରେ ଯେଉଁ ସାମଗ୍ରୀର ଦର ଅହେତୁକ ଭାବେ ବଢ଼ିଯାଏ ସେଥିର ଗ୍ରହଣୀୟତା ବିଦେଶୀ ବଜାରରେ ରହେନି, ତେଣୁ ୫୦୦ କି ୫୦୦୦% ଟାରିଫ କଥା ଅର୍ଥହୀନ । ଯୁଦ୍ଧ ହେଲେ ଅବଶ୍ୟ ନକାରାତ୍ମକ ଆର୍ଥିକ ପ୍ରଭାବ ପଡ଼ିପାରେ, କିନ୍ତୁ ସେଥିପାଇଁ ଆମକୁ ପୂର୍ବପ୍ରସ୍ତୁତିରେ ରହିବାକୁ ପଡ଼ିବ। ବୈଶ୍ୱିକ ରାଜନୀତିର ଦ୍ରୁତ ପରିବର୍ତ୍ତନ ମଧ୍ୟରେ ପୁଞ୍ଜିବାଦର ଆବରଣ ତଳେ ନବ-ଉପନିବେଶବାଦ ଫେରୁଛି । ଭେନେଜୁଏଲା ପରେ ଏବେ ଜୋର ଯାହାର, ନୀତି ତାହାରକୁ ଆଧାର କରି ପଶ୍ଚିମ ଗୋଲାର୍ଦ୍ଧ ପାରିଧିରେ ବାହାରିଥିବା ଆମେରିକାକୁ ଦେଖି, ବିଶ୍ୱ ଖୋଲାଖୋଲି ଭାବେ ଦୁର୍ବଳ ଦେଶଙ୍କ ସାର୍ବଭୌମତ୍ୱ ଓ ସଂସାଧନ ଉପରେ ଆମେରିକା ଓ ଚୀନର ଲୋଲୁପ ଦୃଷ୍ଟିକୁ ଏବେ ଅନୁଭବ କରୁଛି । କିନ୍ତୁ ନର୍ଥ କୋରିଆକୁ କେହି ଆଖି ଉଠାଇ ଦେଖୁନାହାଁନ୍ତି, ସାମରିକ ସାମର୍ଥ୍ୟର ଏହା ହିଁ ଏକ ସଙ୍କେତ । ମୋ ମତରେ ଭାରତ ପାଇଁ ନିରାକରଣ ହେଲା ସ୍ପଷ୍ଟ ନୀତି ଆପଣେଇବା । କେବଳ ଆର୍ଥିକ ଅଗ୍ରଗତି ନୁହେଁ, ବୈଶ୍ୱିକ ଶକ୍ତି ସନ୍ତୁଳନ ପାଇଁ ଦ୍ରୁତ ସାମରିକ ଅଭିବୃଦ୍ଧି ବି ଆବଶ୍ୟକ । ଦେଶର ସୁରକ୍ଷା ଓ ଅଖଣ୍ଡତା ପାଇଁ ସ୍ଥାୟୀ ସାମରିକ ନୀତି, ଅଧିକ ବଜେଟ, ଉନ୍ନତ ଗୁପ୍ତଚର ବ୍ୟବସ୍ଥା ଓ ତ୍ୱରାନ୍ୱିତ ରିସର୍ଚ୍ଚ ଡେଭଲପମେଣ୍ଟ ଅତ୍ୟାବଶ୍ୟକ । ଦରକାର ପଡିଲେ ଅନ୍ୟକ୍ଷେତ୍ରରେ ଖର୍ଚ୍ଚ କମାଯାଇପାରେ । ପ୍ରତିଭା ପଳାୟନ ରୋକିବାକୁ ଉଚିତ ପ୍ରୋତ୍ସାହନ ଓ ସୁରକ୍ଷିତ ପରିବେଶ ଦେବାକୁ ହେବ । ଜାତି, ଧର୍ମ କିମ୍ବା ଦଳ ନିର୍ବିଶେଷରେ ଯେକୌଣସି ଅରାଜକ ତତ୍ତ୍ୱ ଦେଶର ଗାରିମା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକଲେ, କଠୋର ଭାବେ ଦମନ ହେବା ଦରକାର ଏବଂ ଅନୁପ୍ରବେଶକାରୀଙ୍କ ପାଇଁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଅନିବାର୍ଯ୍ୟ । ଆଗାମୀ "କର ଅବା ମର' ଘଡ଼ିସନ୍ଧି ବେଳରେ ଦେଶ ଓ ସରକାରଙ୍କ ପଛରେ ଏକଜୁଟ ହୋଇ ଠିଆହେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । "ନହେଲେ, ପୁରୁଷ ପୁରୁଷ ଧରି ପୁଣି ଗୋଲାମଗିରି ନିଶ୍ଚିତ' ମୋ କଥା ନସରୁଣୁ ଭଜହରି ବାବୁଙ୍କ ଗୁରୁଗମ୍ଭୀର ସ୍ୱର ମୋ କାନରେ ଗୁଞ୍ଜରି ଉଠିଲା ।
ଦକ୍ଷିଣ ଏସିଆର ଖଣ୍ଡେ ଭୂଭାଗ ବା ସାମାନ୍ୟ ମାଟିପିଣ୍ଡୁଳା ଭାବୁଥିବା ଗୋଷ୍ଠୀଙ୍କ ପାଇଁ ଏ ଦେଶ ନୁହେଁ, ମା’ ଭାରତୀ, ମାଟି ମା’, ମାତୃଭୂମି ଭାବେ ସମ୍ମାନ ଦେଇ ଶ୍ରଦ୍ଧାର ଲୁହଲହୁ ବୁହାଇଦେଉଥିବା ଦେଶବାସୀଙ୍କ ପାବନ ଭୂମି ହେଲା ଏ ଦେଶ । ତାଙ୍କ ଛଳଛଳ ଆଖିକୁ ଦେଖି ଏଥର ମୁଁ ଚୁପ୍ ହେଇଗଲି ।