ନୂଆଦିଲ୍ଲୀ ୦୮/୦୩: ଭାରତୀୟ ଦଳ ଆଜି ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଫାଇନାଲ ଖେଳିବ। ଅହମଦାବାଦ ଷ୍ଟାଡିଅମ୍ ଭାରତୀୟ କ୍ରିକେଟ୍ ଦଳ ପାଇଁ ସେତେଟା ଶୁଭଙ୍କର ସାବ୍ୟସ୍ତ ହୋଇନି। ଏଠାରେ ଭାରତ ୨୦୨୩ ମସିହା ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍ ହାରିଥିଲା। ଏଥର ଟ୍ୱେଣ୍ଟି-୨୦ ବିଶ୍ୱକପର ସୁପର୍-୮ ମ୍ୟାଚ୍‌ରେ ମଧ୍ୟ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିଲା। ଏଣୁ କେହି କେହି ଏହି ଷ୍ଟାଡିୟମ୍ ଭାରତୀୟ ଦଳ ପାଇଁ ଅଶୁଭ ଆଖ୍ୟା ଦିଅନ୍ତି। ସେଥିପାଇଁ ଅହମଦାବାଦର କ୍ରିକେଟପ୍ରେମୀ ଶନିବାର ଦୃଷ୍ଟି ଦୂର ପୂଜା କରିଛନ୍ତି। ବାସ୍ତୁ ଦୋଷ ସହ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ସେମାନେ ହନୁମାନ ଚାଳିଶା ପାଠ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ, ଗାୟତ୍ରୀ ମନ୍ତ୍ର, ଗଙ୍ଗାଜଳ ସିଞ୍ଚନ ସହ ହନୁମାନ ମନ୍ଦିରରେ ପୂଜା କରିଥିଲେ। ଏହାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଯାହା ଏବେ ବେଶ ଭାଇରାଲ ହେଉଛି।

 

ଅନ୍ୟପକ୍ଷେ ଚିନ୍ତା କରିବାର ବିଷୟ ହେଉଛି ଟ୍ୱେଣ୍ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଅପରାଜେୟ ରେକର୍ଡ (୩-୦)। ଏହି କାରଣରୁ ଫାଇନାଲ ପୂର୍ବରୁ ଭାରତୀୟ ଦଳ କେବଳ ନିଜର ଦକ୍ଷତା ବା ରଣନୀତି ନୁହେଁ, ଅନ୍ଧବିଶ୍ୱାସ ଉପରେ ବି ବିଶ୍ୱାସ କରିବା ଆରମ୍ଭ କରିଛି। ଅହମଦାବାଦରେ ମ୍ୟାଚ୍ ହେଲେ ଭାରତୀୟ ଦଳ ନିୟମିତଭାବେ ଯେଉଁ ହୋଟେଲରେ ରହେ ତାହାକୁ ବଦଳାଇ ଦିଆଯାଇଛି। ପୂର୍ବ ହୋଟେଲଟି ଭାରତୀୟ ଦଳକୁ ସୁହାଉନଥିବା ବିସିସିଆଇ ମନେ କରୁଥିବାରୁ ଏକ ନୂଆ ହୋଟେଲରେ ଦଳକୁ ରଖାଯାଇଛି। ସେହିପରି ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ମାର୍ଚ୍ଚ ୩ରେ ଭାରତୀୟ ଦଳ ଅଭ୍ୟାସକୁ ୪୫ ମିନିଟ୍ ବିଳମ୍ବିତ କରାଯାଇଥିଲା। ଚନ୍ଦ୍ରଗ୍ରହଣର କୁପ୍ରଭାବ ଦଳର ପ୍ରଦଶନକୁ ପ୍ରଭାବିତ କରିବା ଆଶଙ୍କାରେ ଏପରି କରାଯାଇଥିଲା ବୋଲି କୁହାଯାଉଛି। ଏସବୁ ପଦକ୍ଷେପ ପଛର କାରଣ ସମ୍ପର୍କର ବିସିସିଆଇ କିନ୍ତୁ ଔପଚାରିକଭାପବେ କିଛି ସୂଚନା ଦେଇନାହିଁ।

ଆହୁରି ପଢ଼ନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟ୍ରଫି ମହାସମର; ଜୋରଦାର ହେବ ଲଢ଼େଇ, ନଜର ପକାନ୍ତୁ ବିଶ୍ୱକପ୍‌ରେ ଦୁଇ ଦଳର ପ୍ରଦର୍ଶନ କେମିତି

ତେବେ ଭାରତୀୟ କ୍ରିକେଟରଙ୍କ ଅନ୍ଧବିଶ୍ୱାସ ଏକ ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏ ନେଇ ଅନେକ ରୋଚକ କଥା ରହିଛି। କେତେକ ଖୋଳାଳି ନିର୍ଦ୍ଦିଷ୍ଟ ଜର୍ସି ସଂଖ୍ୟାକୁ ନିଜ ପାଇଁ ସୌଭାଗ୍ୟଶାଳୀ ବୋଲି ମନେକରନ୍ତି। ଆଉ କେତେକ ନିଜ ପାଇଁ କିଛି ନିର୍ଦ୍ଦିଷ୍ଟ ବ୍ୟାଟ୍ ଓ ଅନ୍ୟାନ ଉପକରଣକୁ ସୌଭାଗ୍ୟଶାଳୀ ମନେ କରିଥାନ୍ତି। ଆଉ କିଛି ଖେଳାଳି ପଡିଆରେ ପ୍ରବେଶ ପୂର୍ବରୁ ସବୁବେଳେ ନିର୍ଦ୍ଦିଷ୍ଟ ପାଦକୁ ପ୍ରଥମେ ରଖନ୍ତି।