ନୂଆଦିଲ୍ଲୀ,୦୮/୦୩; ଟି-ଟ୍ୱେଣ୍ଟି ବିଶ୍ୱକପ୍ ଦଶମ ସଂସ୍କରଣର ସବୁଠୁ ରୋମାଞ୍ଚକର ମୁହୂର୍ତ୍ତ ଆସି ଉପନୀତ ହୋଇଛି । ବିଶ୍ୱର ବୃହତ୍ କ୍ରିକେଟ୍ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଟାଇଟଲ ଲଢ଼େଇ । କିଏ ହେବ ବିଶ୍ୱ ଚାମ୍ପିଅନ ? ଡିଫେଣ୍ଡିଂ ଚାମ୍ପିଅନ ଭାରତ ତୃତୀୟ ଥର ଟାଇଟଲ ଜିତିବ ନା ନ୍ୟୁଜିଲାଣ୍ଡ ପ୍ରଥମ ଥର ବିଶ୍ୱକପ୍ ଟ୍ରଫି ତୋଳି ଧରିବାର ସୁଯୋଗ ପାଇବ ? ଏମିତି କେତେ କଥା ଏବେ କ୍ରିକେଟ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି । କଥା ହେଉଛି, ଭାରତ ଘରୋଇ ଗ୍ରାଉଣ୍ଡରେ ପ୍ରମୁଖ ଦାବିଦାର ରହିଥିବାବେଳେ ନ୍ୟୁଜିଲାଣ୍ଡ ସପକ୍ଷରେ ବିଜୟ ରେକର୍ଡ ରହିଛି । ନିଶ୍ଚିତ ଭାବେ ଦୁଇ ଦଳ ମଧ୍ୟରେ ଲଢ଼େଇ ଜୋରଦାର ହେବ । କିନ୍ତୁ ତା’ ପୂର୍ବରୁ ବିଶ୍ୱକପ୍ରେ ଦୁଇ ଦଳର ପ୍ରଦର୍ଶନ ଉପରେ ନଜର ପକାନ୍ତୁ ।
୨୦୦୭- ଗ୍ରୁପ୍ ଡି’ରେ ଭାରତ ଅପରାଜେୟ ସହ ସୁପର୮ରେ ପ୍ରବେଶ କରିଥିଲା । ସୁପର-୮ରେ ଦଳ ନ୍ୟୁଜିଲାଣ୍ଡଠୁ ୧୦ ୱିକେଟ୍ରେ ପରାଜିତ ହୋଇଥିଲା । କିନ୍ତୁ ପରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡକୁ ହରାଇ ଶୀର୍ଷ ସ୍ଥାନ ସହ ସେମି ଫାଇନାଲରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆକୁ ୧୫ ରନ୍ରେ ହରାଇ ଭାରତ ଫାଇନାଲକୁ ଉନ୍ନୀତ ହୋଇଥିଲା । ଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ପାକିସ୍ତାନକୁ ୫ ରନ୍ରେ ହରାଇ ଭାରତ ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇଥିଲା । ନ୍ୟୁଜିଲାଣ୍ଡର ପ୍ରଦର୍ଶନ ମଧ୍ୟ ଏହି ସଂସ୍କରଣରେ ବେଶ ଭଲ ରହିଥିଲା । ଗ୍ରୁପ୍ ସି’ରେ ଦ୍ୱିତୀୟ ଓ ସୁପର-୮ରେ ଗ୍ରୁପ୍ ଇ’ରେ ଦ୍ୱିତୀୟ ସ୍ଥାନରେ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା । ଶେଷରେ ସେମିରେ ପାକିସ୍ତାନ ଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା ।
୨୦୦୯- ଡିଫେଣ୍ଡିଂ ଚାମ୍ପିଅନ ହୋଇ ଭାରତ ଏହି ସଂସ୍କରଣରେ ଯେଉଁଭଳି ପ୍ରଦର୍ଶନ କରିଥିଲା ତାହା ଅତି ନୈରାଶ୍ୟଜନକ ରହିଥିଲା । ଗ୍ରୁପ୍ ପର୍ଯ୍ୟାୟରେ ଦୁର୍ବଳ ଆୟର୍ଲାଣ୍ଡ ଓ ବାଂଲାଦେଶକୁ ପରାଜିତ କରି ସୁପର-୮ରେ ପ୍ରବେଶ କରିଥିଲା ଭାରତ । କିନ୍ତୁ ଏହି ପର୍ଯ୍ୟାୟରେ ଦଳ ଗୋଟିଏ ବି ମ୍ୟାଚ୍ ଜିତି ପାରି ନଥିଲା । ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ସହ ଭାରତ ସୁପର-୮ ଗ୍ରୁପ୍ରେ ସାମିଲ ହୋଇଥିଲା । ୱେଷ୍ଟଇଣ୍ଡିଜଠୁ ୭ ୱିକେଟରେ, ଇଂଲଣ୍ଡଠୁ ୩ ରନ୍ରେ ଏବଂ ଦକ୍ଷିଣ ଆଫ୍ରିକାଠୁ ୧୨ ରନରେ ପରାସ୍ତ ହୋଇ ପଏଣ୍ଟ ଖାତା ଖୋଲି ନପାରି ଟେବୁଲରେ ସବା ଶେଷ ସ୍ଥାନରେ ରହି ବିଦାୟ ନେଇଥିଲା । ନ୍ୟୁଜିଲାଣ୍ଡ ଗ୍ରୁପ୍ ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହି ସୁପର-୮କୁ ଉନ୍ନୀତ ହୋଇଥିଲା । କିନ୍ତୁ ଏହି ପର୍ଯ୍ୟାୟରେ ଦଳ ମାତ୍ର ଗୋଟିଏ ମ୍ୟାଚ୍ ଜିତି ଶେଷରେ ବିଦାୟ ନେଇଥିଲା । ପଏଣ୍ଟ ଟେବୁଲରେ ୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଥିଲା ।
୨୦୧୦- ଗ୍ରୁପ୍ (ବି) ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଟପ୍ପର ହୋଇଥିଲା । ସୁପର-୮ରେ ପୁଣି ଦଳ ନିରାଶ ହୋଇଥିଲା । ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡଠୁ ପରାଜିତ ହୋଇଥିଲା । କେବଳ ପାକିସ୍ତାନକୁ ପରାଜିତ କରିବାରେ ସଫଳ ହୋଇଥିଲା । ସେମିରେ ପ୍ରବେଶ କରିବାକୁ ଏହା ଯଥେଷ୍ଟ ନଥିଲା । ଶେଷରେ ଦଳ ଏହିଠାରୁ ବିଦାୟ ନେଇଥିଲା । ଭାରତ ୨୦୧୦ ସଂସ୍କରଣରେ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିଥିଲା । ଗ୍ରୁପ୍ ସି’ରେ ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନକୁ ହରାଇ ସୁପର-୮କୁ ଉନ୍ନୀତ ହୋଇଥିଲା । କିନ୍ତୁ ପୂର୍ବ ଥର ଭଳି ଦଳ ଏଥର ବି ଏହି ରାଉଣ୍ଡରେ ଗୋଟିଏ ବି ମ୍ୟାଚ୍ ଜିତି ନପାରି ବିଦାୟ ନେଇଥିଲା । ଅଷ୍ଟ୍ରେଲିଆଠୁ ୪୯ ରନ୍ରେ, ୱେଷ୍ଟଇଣ୍ଡିଜଠୁ ୧୪ ରନରେ ଏବଂ ଶ୍ରୀଲଙ୍କାଠୁ ୫ ୱିକେଟ୍ରେ ପରାସ୍ତ ହୋଇଥିଲା ।
୨୦୧୨- ଭାରତ ଏଥର ସୁପର-୮ରେ ୨ଟି ମ୍ୟାଚ ଜିତିଥିଲେ ବି ଦୁର୍ବଳ ନେଟ୍ ରନ୍ରେଟ୍ ଯୋଗୁ ଦଳ ଏହି ରାଉଣ୍ଡରେ ଅଟକି ଯାଇଥିଲା । ୨୦୧୨ ସଂସ୍କରଣର ଗ୍ରୁପ୍ (ଏ) ପର୍ଯ୍ୟାୟରେ ଇଂଲଣ୍ଡ ଓ ଆଫଗାନିସ୍ତାନକୁ ପରାସ୍ତ କରି ସୁପର-୮ ରାଉଣ୍ଡରେ ପ୍ରବେଶ କରିଥିଲା । ଅଷ୍ଟ୍ରେଲିଆଠୁ ୯ ୱିକେଟ୍ରେ ହାରିବା ପରେ ପାକିସ୍ତାନକୁ ୮ ୱିକେଟ୍ରେ ଏବଂ ଦକ୍ଷିଣ ଆଫ୍ରିକାକୁ ୧ ରନ୍ରେ ହରାଇବା ସତ୍ତେ୍ୱ ଭାରତର ନେଟ୍ ରନରେଟ୍ (ଏନ୍ଆରଆର)-୦.୨୭୪ ରହିଥିଲା । ୨ଟି ମ୍ୟାଚ୍ ଜିତିଥିଲେ ବି ତୃତୀୟ ସ୍ଥାନରେ ରହି ବିଦାୟ ନେଇଥିଲା । ନ୍ୟୁଜିଲାଣ୍ଡ ଗ୍ରୁପ୍ରେ ଦ୍ୱିତୀୟ ଏବଂ ସୁପର୮ର ଗ୍ରୁପ୍ -୧ରେ ଗୋଟିଏ ବି ମ୍ୟାଚ୍ ଜିତି ନପାରି ବିଦାୟ ନେଇଥିଲା ।
୨୦୧୪-ସୁପର-୧୦ରେ ନ୍ୟୁଜିଲାଣ୍ଡ ଗ୍ରୁପ୍ ୧ରେ ସ୍ଥାନ ପାଇଥିଲା । ଏହି ଗ୍ରୁପ୍ରୁ ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ସୁପର-୧୦ରେ ସମସ୍ତ ମ୍ୟାଚ୍ରେ ଭାରତ ବିଜୟୀ ହୋଇ ଟେବୁଲ ଟପ୍ପର ହୋଇଥିଲା । ପାକିସ୍ତାନକୁ ୭ ୱିକେଟ୍ରେ, ୱେଷ୍ଟଇଣ୍ଡିଜକୁ ୭ ୱିକେଟ୍ରେ, ବାଂଲାଦେଶକୁ ୮ ୱିକେଟରେ ଏବଂ ଅଷ୍ଟ୍ରେଲିଆକୁ ୭୩ ରନରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା । ସେମିରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାସ୍ତ କରି ଭାରତ ଫାଇନାଲକୁ ଉନ୍ନୀତ ହୋଇଥିଲା । ଏସିଆର ଦୁଇ କ୍ରିକେଟ୍ ମହାଶକ୍ତି ଶ୍ରୀଲଙ୍କା ଓ ଭାରତ ଟାଇଟଲ ଲଢ଼େଇରେ ମୁହାଁମୁହିଁ ହୋଇଥିଲେ । ପୂର୍ବ ସଂସ୍କରଣର ରନର୍ସଅପ୍ ଶ୍ରୀଲଙ୍କା ଶେଷରେ ୬ ୱିକେଟ୍ରେ ବିଜୟୀ ହୋଇ ନୂଆ ବିଶ୍ୱ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା ।
୨୦୧୬- ବିସିସିଆଇ ୨୦୧୬ ସଂସ୍କରଣ ଏକାକୀ ଆୟୋଜନ କରିଥିଲା । କିନ୍ତୁ ଦୁର୍ଭାଗ୍ୟକୁ ଦଳ ଘରୋଇ ଭେନ୍ୟୁରେ ଚାମ୍ପିଅନ ହେବାର ସ୍ୱପ୍ନ ପୂରଣ କରିପାରି ନଥିଲା ଭାରତ । ଶେଷରେ ସେମି ଫାଇନାଲରୁ ଦଳକୁ ବିଦାୟ ନେବାକୁ ପଡ଼ିଥିଲା । ଏଥର ମଧ୍ୟ ସୁପର-୧୦ରୁ ଭାରତ ଅଭିଯାନ ଆରମ୍ଭ କରିଥିଲା । ନ୍ୟୁଜିଲାଣ୍ଡଠୁ ପ୍ରଥମ ମ୍ୟାଚ୍ରେ ୪୭ ରନ୍ରେ ପରାଜିତ ହେବା ପରେ ଘରୋଇ ଦଳ ପରବର୍ତ୍ତୀ ସମସ୍ତ ମ୍ୟାଚ୍ରେ ବିଜୟୀ ହୋଇଥିଲା । ଭାରତ ଓ ୱେଷ୍ଟଇଣ୍ଡିଜ ସେମି ଫାଇନାଲ ଖେଳିଥିଲେ । ୱେଷ୍ଟଇଣ୍ଡିଜ ୭ ୱିକେଟ୍ରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଥିଲା । ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଫାଇନାଲ ଖେଳିଥିଲେ । ୪ ୱିକେଟ୍ରେ ବିଜୟୀ ହୋଇ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ ହୋଇଥିଲା । ନ୍ୟୁଜିଲାଣ୍ଡ ଏଥର ବେଶ ଚମତ୍କାର ପ୍ରଦର୍ଶନ କରିଥିଲା । ସୁପର-୧୦ର ଗ୍ରୁପ୍-୨ରେ ସମସ୍ତ ମ୍ୟାଚ୍ ଜିତି ଟେବୁଲରେ ଶୀର୍ଷ ସ୍ଥାନରେ ରହିଥିଲା । କିନ୍ତୁ ଦୁର୍ଭାଗ୍ୟ ଇଂଲଣ୍ଡଠୁ ସେମିରେ ପରାସ୍ତ ହୋଇ ବିଦା ହୋଇଥିଲା ।
୨୦୨୧- ସୁପର-୧୨ରେ ନ୍ୟୁଜିଲାଣ୍ଡ ଏଥର ଗ୍ରୁପ୍-୨ରେ ରହିଥିଲା । ପାକିସ୍ତାନ, ନ୍ୟୁଜିଲାଣ୍ଡ, ନାମିବିୟା, ଭାରତ ଓ ସ୍କଟଲାଣ୍ଡ ଏହି ଗ୍ରୁପ୍ରେ ସାମିଲ ରହିଥିଲେ । ୫ଟିରୁ ଭାରତ ମାତ୍ର ୩ଟି ମ୍ୟାଚ ଜିତିବାରେ ସଫଳ ହୋଇଥିଲେ । ଟେବୁଲରେ ତୃତୀୟ ସ୍ଥାନରେ ରହି ବିଦାୟ ନେଇଥିଲା । କିନ୍ତୁ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍ ଜିତି ଦ୍ୱିତୀୟ ସ୍ଥାନ ସହ ସେମିରେ ପ୍ରବେଶ କରିଥିଲା । ଇଂଲଣ୍ଡ ସହ ଖେଳିଥିଲା ସେମି ଫାଇନାଲ ଏବଂ ପୂର୍ବ ପରାଜୟର ପ୍ରତିଶୋଧ ନେଇ ଫାଇନାଲରେ ପ୍ରବେଶ କରିଥିଲା । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଫାଇନାଲ ଖେଳିଥିଲେ । ଶେଷରେ ଅଷ୍ଟ୍ରେଲିଆ ୮ ୱିକେଟ୍ରେ ମ୍ୟାଚ୍ ଜିତିବା ସହ ବିଶ୍ୱ ଚାମ୍ପିଅନ ହୋଇଥିଲା ।
୨୦୨୨- ସୁପର-୧୨ରେ ଭାରତ ଏଥର ଗ୍ରୁପ୍-୨ରେ ଟପ୍ପର ହୋଇଥିଲା । ଏଥର ଦଳ ମାତ୍ର ଗୋଟିଏ ମ୍ୟାଚରେ ପରାଜିତ ହୋଇଥିଲା । ୪ଟି ମ୍ୟାଚ ଜିତି ଟେବୁଲରେ ଶୀର୍ଷ ସ୍ଥାନ ସହ ସେମି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଦଳ ଏଇଠି ଅଟକି ଯାଇଥିଲା । ପାକିସ୍ତାନକୁ ୪ ୱିକେଟ୍ରେ, ନେଦରଲାଣ୍ଡସକୁ ୫୬ ରନ୍ରେ ହରାଇବା ପରେ ଦକ୍ଷିଣ ଆଫ୍ରିକା ଠାରୁ ୫ ୱିକେଟ୍ରେ ଭାରତ ପରାସ୍ତ ହୋଇଥିଲେ । ପୁଣି ବିଜୟକୁ ପ୍ରତ୍ୟାବର୍ତ୍ତନ କରି ବାଂଲାଦେଶକୁ ୫ ରନ୍ରେ ଓ ଜିମ୍ବାୱେକୁ ୭୧ ରନ୍ରେ ହରାଇଥିଲା । ସେମି ଫାଇନାଲରେ ଇଂଲଣ୍ଡ ସହ ମୁକାବିଲା ହୋଇଥିଲା । ଇଂଲଣ୍ଡ ୧୦ ୱିକେଟ୍ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ସୁପର-୧୨ରେ ଏଥର ମଧ୍ୟ ନ୍ୟୁଜିଲାଣ୍ଡ ଉନ୍ନତ ପ୍ରଦର୍ଶନ କରିଥିଲା । ଗ୍ରୁପ୍-୧ରେ ସର୍ବାଧିକ ପଏଣ୍ଟ ସହ ଶୀର୍ଷରେ ରହିଥିଲା । ସେମି ଫାଇନାଲରେ ପାକିସ୍ତାନକୁ ଭେଟିଥିଲା । ପାକିସ୍ତାନଠୁ ୭ ୱିକେଟ୍ରେ ପରାଜିତ ହୋଇ ବିଦାୟ ନେଇଥିଲା । ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମି ଫାଇନାଲରୁ ଅଭିଯାନ ଶେଷ କରିଥିଲେ ।
ଏହା ବି ପଢନ୍ତୁ...ସୁପର ସନ୍ଡେ'ରେ ମହାମୁକାବିଲା: ଟାଇଟଲ ପାଇଁ ଲଢ଼ିବେ ଭାରତ -ନ୍ୟୁଜିଲାଣ୍ଡ, ଫ୍ୟାନ୍ଙ୍କ ମଧ୍ୟରେ ପ୍ରବଳ କ୍ରେଜ୍
୨୦୨୪-ଏଥର ନ୍ୟୁଜିଲାଣ୍ଡ ତା’ର ପ୍ରଶଂସକଙ୍କୁ ନିରାଶ କରିଥିଲା । ଗ୍ରୁପ୍ ପର୍ଯ୍ୟାୟରୁ ହିଁ ଦଳ ବିଦାୟ ନେଇଥିଲା । ଟେବୁଲରେ ତୃତୀୟ ସ୍ଥାନ ସହ ଦଳ ଆଉ ଉପରକୁ ଉନ୍ନୀତ ହୋଇପାରି ନଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦୀର୍ଘ ବର୍ଷର ପ୍ରତୀକ୍ଷାର ଅନ୍ତଃ ଘଟାଇ ଦ୍ୱିତୀୟ ଥର ବିଶ୍ୱ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ଗ୍ରୁପ୍ ପର୍ଯ୍ୟାୟରେ ଭାରତ ୪ଟି ମ୍ୟାଚ୍ ଜିତିଥିଲା । ଗୋଟିଏ ମ୍ୟାଚ ବର୍ଷା ଯୋଗୁ ଧୋଇ ଯାଇଥିଲା । ଟେବୁଲରେ ଦଳ ଶୀର୍ଷରେ ରହି ସୁପର-୮ରେ ପ୍ରବେଶ କରିଥିଲା । ଏହି ରାଉଣ୍ଡର ଗ୍ରୁପ୍ ୧ରେ ଭାରତ ସବୁ ମ୍ୟାଚ୍ରେ ବିଜୟୀ ହୋଇଥିଲା । ଆଫଗାନିସ୍ତାନକୁ ୪୭ ରନ୍ରେ, ବାଂଲାଦେଶକୁ ୫୦ ରନ୍ରେ ଓ ଅଷ୍ଟ୍ରେଲିଆକୁ ୨୪ ରନ୍ରେ ପରାସ୍ତ କରିଥିଲା । ସେମି ଫାଇନାଲରେ ଇଂଲଣ୍ଡ ସହ ଲଢ଼େଇ କରିଥିଲା ଭାରତ । ୬୮ ରନ୍ରେ ବିଜୟୀ ହୋଇ ଦଳ ଫାଇନାଲରେ ପ୍ରବେଶ କରିଥିଲା । ଦକ୍ଷିଣ ଆଫ୍ରିକା ଓ ଭାରତ ଟାଇଟଲ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ । ଭାରତ ୭ ରନରେ ବିଜୟୀ ହେବା ସହ ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ ହୋଇଥିଲା । କେବଳ ଭାରତ, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଦୁଇ ଥର ଲେଖାଏଁ ବିଶ୍ୱ ଚାମ୍ପିଅନ ହୋଇଛନ୍ତି । ସେମିତି ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ଥରୁଟିଏ ଲେଖାଏଁ ଟାଇଟଲ ହାସଲ କରିଛନ୍ତି ।