ନୂଆଦିଲ୍ଲୀ ୧୨/୦୬: ଗୁରୁବାର ମୁମ୍ବାଇଠାରେ ଆୟୋଜିତ ହୋଇଥିଲା ଅକ୍ଷୟ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ‘ୱେଲକମ୍ ଟୁ ଦ ଜଙ୍ଗଲ’ର ଟ୍ରେଲର୍ ଲଞ୍ଚ କାର୍ଯ୍ୟକ୍ରମ । ଏଥିରେ ଜଣେ ସାମ୍ବାଦିକ ଅକ୍ଷୟଙ୍କୁ ଫିଲ୍ମର ଏକ ଦୃଶ୍ୟ ବିଷୟରେ ପ୍ରଶ୍ନ କଲେ, ଯେଉଁଥିରେ ତାଙ୍କୁ ଜଣେ ‘ଫ୍ଲପ୍ ଆକ୍ଟର’ ରୂପେ ପ୍ରଦର୍ଶିତ କରାଯାଇଛି । ଏହି ପ୍ରଶ୍ନ ପରେ କାର୍ଯ୍ୟକ୍ରମରେ କିଛି ସମୟ ସ୍ଥିତି ଗମ୍ଭୀର ହୋଇଗଲା । କିନ୍ତୁ ଅକ୍ଷୟ ଏହାକୁ ଅତ୍ୟନ୍ତ ଶାନ୍ତ ଓ ମଜାଳିଆ ଅନ୍ଦାଜ୍‌ରେ ସମ୍ଭାଳିନେଲେ । କହିଲେ, ଫିଲ୍ମରେ ମୁଁ କେବଳ ଏକ ଚରିତ୍ରର ଭୂମିକା ନିର୍ବାହ କରୁଛି । କେହି ମୋତେ ଦଣ୍ଡ ଦେଉନାହିଁ । ଏହାକୁ ଏକ ଚରିତ୍ର ରୂପେ ଦେଖନ୍ତୁ । ଆପଣଙ୍କୁ ମୋ ପାଇଁ ଖରାପ ଲାଗିଲା, ସେଥିପାଇଁ ଧନ୍ୟବାଦ, କିନ୍ତୁ ଏହାକୁ ଏତେ ଗମ୍ଭୀର ଭାବେ ନିଅନ୍ତୁ ନାହିଁ । ଅବସର ନେବା ବିଷୟରେ ଅକ୍ଷୟ କହିଲେ, ଏ ବିଚାର ବେଳେବେଳେ ମନକୁ ଆସେ, ତାହା ପୁଣି ମାତ୍ର ୫ ସେକେଣ୍ଡ ପାଇଁ । କିନ୍ତୁ ତୁରନ୍ତ ମନେପଡ଼ିଯାଏ, ସୁଟିଂକୁ ଯିବାର ଅଛି, ଯେଉଁଠି ୩୦୦ ଲୋକ ମୋତେ ଅପେକ୍ଷା କରିଛନ୍ତି । ଏମିତି କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋର ୩୬ ବର୍ଷ ବିତିଗଲାଣି ।

ସେ ଆହୁରି କହିଲେ, ଅବସର ନେଲେ ମୋତେ ଘରର ଇଲେକ୍ଟ୍ରିସିଆନ୍ କାମ, କୁକୁରକୁ ବୁଲାଇନେବା କିମ୍ବା ବଗିଚା କାମ ଆଦି କରିବାକୁ ପଡ଼ିବ । ତା’ଠୁ ଅବସର ନ ନେବା ଭଲ । ତେବେ ଏହି ଫିଲ୍ମ ପାଇଁ ଅକ୍ଷୟ ୧.୭ କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି ବୋଲି ବେଶ କିଛି ଦିନ ହେଲା ଚର୍ଚ୍ଚା ହେଉଛି । ଏହି ଦାବିକୁ ସେ ପୂରାପୂରି ଖଣ୍ଡନ କରିଛନ୍ତି । କହିଛନ୍ତି, ତାଙ୍କ ପାଇଁ ଏ ଫିଲ୍ମ ଟଙ୍କାଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ଦିବଂଗତ ଲେଖକ ନୀରଜ ବୋହରା ଏହାର କାହାଣୀ ଲେଖିଛନ୍ତି । ତାଙ୍କଠୁ ଅକ୍ଷୟ ଅଭିନୟ ଓ କମେଡି ଶିଖିଥିଲେ । ଫିଲ୍ମର ୪ ମିନିଟ୍ରୁ ଅଧିକ ଲମ୍ବା ଟ୍ରେଲର ଏଭଳି ଜଣେ କଳାକାରଙ୍କ ଉପରେ ପର୍ଯ୍ୟବସିତ ଯିଏ ଫ୍ଲପ୍ ଫିଲ୍ମ ପରେ ପୁଣି ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରୁଛନ୍ତି । ଏଥିରେ ଅକ୍ଷୟଙ୍କ ସହ ସୁନୀଲ ଶେଟ୍ଟୀ, ପରେଶ ରାୱଲ, ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ, ଦିଶା ପଟାନି, ଅର୍ଶଦ ୱାରସୀ ଓ ରବିନା ଟଣ୍ଡନଙ୍କ ସମେତ ଅନେକ ବଡ଼ କଳାକାର ଅଭିନୟ କରିଛନ୍ତି । ଆସନ୍ତା ୨୬ ତାରିଖରେ ଏହା ମୁକ୍ତିଲାଭ କରିବ।

ଆହୁରି ପଢ଼ନ୍ତୁ...‘ଓ୍ବେଲକମ୍ ଟୁ ଦ ଜଙ୍ଗଲ’ରେ ନିଜ ଫିସକୁ ନେଇ ମୁହଁ ଖୋଲିଲେ ଅକ୍ଷୟ, କହିଲେ- ଯଦି ମୁଁ …