କଟକ ୩୧/୧୨: ଅଷ୍ଟିଓଆର୍ଥ୍ରାଇଟିସ୍‌ ରୋଗୀଙ୍କ  ସଂଖ୍ୟା କ୍ରମଶଃ ବଢ଼ିଚାଲିଛି ।  ବୟସ ବଢ଼ିଲେ ଏହାର ଲକ୍ଷଣ  ବଢ଼ିଚାଲେ । ଗଣ୍ଠିରେ ଥିବା  ଉପଅସ୍ଥି(କାର୍ଟିଲେଜ୍‌)କ୍ଷୟ ହେବା  ଦ୍ୱାରା ଗଣ୍ଠିରେ ଯନ୍ତ୍ରଣା ଅନୁଭବ  ହୋଇଥାଏ । ଫଳରେ ଗଣ୍ଠି  ଯନ୍ତ୍ରଣା, ଗଣ୍ଠି ଫୁଲିବା ସହ ଗଣ୍ଠିର ଗତିଶୀଳତା କମିଚାଲେ ।

କାରଣ 

ଉପଅସ୍ଥି ଅସ୍ଥିର ଉପରି ଭାଗରେ ରହି ଗଣ୍ଠିକୁ ମସୃଣ  କରିଥାଏ । ଯାହା ଫଳରେ ଗଣ୍ଠିର ଗତିଶୀଳତା ନିୟନ୍ତ୍ରିତ  ରହେ । କେତେକ କାରଣ ଯୋଗୁ ଉପଅସ୍ଥି କ୍ଷୟ ହୋଇ  ଅସ୍ଥିର ଉପରି ଭାଗର ମସୃଣତା କ୍ରମଶଃ ହ୍ରାସ ପାଏ,  ଯାହାଦ୍ୱାରା ଅସ୍ଥିଗୁଡିକ ପରସ୍ପର ସହ ଘଷି ହୋଇ  ଗଣ୍ଠିର କ୍ଷୟ ସାଧନ କରିଥାନ୍ତି । ଫଳରେ ଗଣ୍ଠିରେ  ଯନ୍ତ୍ରଣା ହୁଏ । ୪୦ରୁ ୫୦ ବର୍ଷ ମଧ୍ୟରେ ସାଧାରଣତଃ  ଏହି ଯନ୍ତ୍ରଣା ଆରମ୍ଭ ହୋଇଥାଏ । ମେଦବୃଦ୍ଧି ଓ ଓଜନ  ବଢ଼ିବା ଯୋଗୁ ଆଣ୍ଠୁ, ନିତମ୍ବ, ଗଣ୍ଠିରେ ଯନ୍ତ୍ରଣା ହୁଏ ।  ଯଦି କୌଣସି ଦୁର୍ଘଟଣାରେ ହାଡ଼ ଭାଙ୍ଗିଥାଏ, ତେବେ  ପରବର୍ତ୍ତୀ ସମୟରେ ଏଭଳି ଯନ୍ତ୍ରଣା ହୁଏ । ଚକା ପକାଇ  ଦୀର୍ଘ ସମୟ କାମ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ ।  ବଂଶଗତ କାରଣରୁ ମଧ୍ୟ ଏହି ସମସ୍ୟା ପରପିଢ଼ିକୁ  ଯାଇଥାଏ । ଅଷ୍ଟିଓପୋରୋସିସ୍‌, ର‌୍ୟୁମାଟିଜିମ୍‌, ଗାଉଟ୍‌  ଆଦି ରୋଗ ଥିଲେ ଅଷ୍ଟିଓ ଆର୍ଥ୍ରାଇଟିସ୍‌ ଶୀଘ୍ର ଧରେ ।  

ଲକ୍ଷଣ 

ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଅଧିକ କାମ କଲେ  ଯନ୍ତ୍ରଣା ବଢ଼ିଚାଲେ । ବିଶ୍ରାମ ନେବା ଦ୍ୱାରା ଉପଶମ ହୁଏ ।  ଗଣ୍ଠି ଧରିବା ଯୋଗୁ ସକାଳେ ବିଛଣାରୁ ଉଠିବା ସହଜ  ହୁଏନା । ଉଠିବାର କିଛି ସମୟ ପରେ ମଧ୍ୟ ଚାଲିବାରେ  କଷ୍ଟ ଅନୁଭବ ହୋଇଥାଏ । ଗଣ୍ଠି ଯନ୍ତ୍ରଣା ହେବା ସହ  ଫୁଲିଯାଏ । ଗଣ୍ଠିର ଗତିଶୀଳତା କମିବା ସହ ହାଡ଼କୁ  ହାଡ଼ ଘଷି ହେବା ପରି ଅନୁଭବ ହୋଇଥାଏ । ଡାକ୍ତର  ରୋଗୀଙ୍କର ଗଣ୍ଠିକୁ ପରୀକ୍ଷା କରି ରୋଗର ନିଦାନ  କରିଥାନ୍ତି । ଏଥିପାଇଁ ଏକ୍ସରେ, ଏମ୍‌ଆର୍‌ଆଇ, ରକ୍ତ  ପରୀକ୍ଷା ମଧ୍ୟ କରାଯାଏ । ଏମ୍‌ଆର୍‌ଆଇ କରିବା ଦ୍ୱାରା  ଉପଅସ୍ଥିର ସ୍ଥିତିକୁ ଭଲ ଭାବେ ପରଖିବା ସହଜ ହୁଏ ।  

ଚିକିତ୍ସା 

ପ୍ରାଥମିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହେଲେ  ଚିକିତ୍ସା ସମ୍ଭବ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା  ଜୀବନଶୈଳୀରେ ପରିବର୍ତ୍ତନ । ନିୟମିତ ବ୍ୟାୟାମ,  ଚାଲିବା, ସନ୍ତରଣ କିମ୍ବା ସାଇକେଲିଂ ପରି ବ୍ୟାୟାମ  କରିପାରିବେ । ଫଳରେ ମାଂସପେଶୀ ସୁଦୃଢ ହେବା  ସହ ଗଣ୍ଠିର ଗତିଶୀଳତା ବଢ଼ିଥାଏ । ଓଜନ ବଢ଼ିବାକୁ  ଦେବେନି । ଓଜନ ନ ବଢିବା ଦ୍ୱାରା ଆଣ୍ଠୁ ଓ ନିତମ୍ବ  ଗଣ୍ଠିରେ ଭାର କମ୍‌ ପଡ଼ିବା ସହ ଯନ୍ତ୍ରଣା କମ୍‌  ରହିଥାଏ । ଏହା ସହିତ ସନ୍ତୁଳିତ ଖାଦ୍ୟ ଖାଇବା  ଜରୁରି । ଫଳ, ପନିପରିବା, ଓମେଗା-୩ ଫ୍ୟାଟି  ଏସିଡ୍‌ ଅଧିକ ଥିବା ଖାଦ୍ୟ ଖାଇବେ । ସେହିପରି ମାଛ,  ଅଖରୋଟ୍‌, ଅଳସୀ ମଞ୍ଜି ଆଦି ଖାଇପାରିବେ ।

ଡାକ୍ତର ସ୍ୱାଗତ ମହାପାତ୍ର 

ବରିଷ୍ଠ ଅର୍ଥୋପେଡିକ୍‌ ସର୍ଜନ

ଏସ୍‌ସିବି ମେଡିକାଲ କଲେଜ, କଟକ