ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ କାହିଁକି ବିକୁଛନ୍ତି ଦୋସା, ଜାଣନ୍ତୁ କାରଣ

ଭୁବନେଶ୍ବର, ୨୫/୫ : ଚମକିପଡ଼ିଲେ କି ? କିନ୍ତୁ କଥାଟି ସତ । ଓଲିଉଡର ଭେଟେରାନା ନିର୍ଦ୍ଦେଶକ । ଯିଏ କଥା କମ୍, କାମ ଅଧିକ କରନ୍ତି । ଯେଉଁ ସିନେମାରେ ହାତ ମାରନ୍ତି ସେ ସିନେମା ଦର୍ଶକଙ୍କ ହୃଦୟରେ ରହିଯାଏ । ଏମିତି ଜଣେ ନିର୍ଦ୍ଦେଶକ ସେ । କିନ୍ତୁ ଏବେ କ’ଣ ହେଇଛି କେଜାଣି ନିର୍ଦ୍ଦେଶନା ଛାଡ଼ି ଦୋସା ବିକୁଛନ୍ତି । ପଚାରିଲେ ବି ସୁଦ୍ଧା ପାଟି ଖୋଲୁନାହାନ୍ତି । ବରଂ ଦୋସା ପ୍ଲେଟ୍ ବଢ଼ାଇ ଖାଦ୍ୟର ସ୍ୱାଦ ବାରିବାକୁ କହୁଛନ୍ତି । ଏନେଇ ଆମେ ଟିକେ ତାଙ୍କ ପାଖ ଓ ଅନ୍ୟ ସାଥୀଙ୍କୁ ପଚାରିଲୁ । ସେ କହିଲେ, ସୁଧାଂଶୁ ଭାଇନାଙ୍କ କଥା କହୁଛନ୍ତି କି? ଆମେ କହିଲୁ ହଁ ସୁଧାଂଶୁ ମୋହନ ସାହୁଙ୍କ କଥା କହୁଛୁ ।
ସେ କହିଲେ, ଭାଇନା କ’ଣ ସତ ସତିକା ଦୋସା ବିକୁଛନ୍ତି ନା କ’ଣ । ସେ ବା ଅଭିନୟ କରୁଛନ୍ତି । ସତେ ନା କ’ଣ । ହଁ, ଝିଲିକ ମୋସନ୍ ପିକ୍ଚର୍ସ ବ୍ୟାନରରେ ନିର୍ମାଣ ହେଉଛି ଓଡ଼ିଆ ଚଳଚ୍ଚିତ୍ର ‘ତୋର ମୋର କଟି’ । ଏଥିରେ ଓଲିଉଡର ଗଡଫାଦର ମୁନା ଭାଇ ଓରଫ୍ ସିଦ୍ଧାନ୍ତ ମହାପାତ୍ରଙ୍କ ଗୋଟିଏ ଗ୍ୟାଙ୍ଗ୍ ଅଛି । ଆଉ ତା’ର ପ୍ରମୁଖ ସଦସ୍ୟ ହେଉଛନ୍ତି ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ । ସେ ମୁନା ଭାଇଙ୍କ ଡାହାଣ ହାତ କହିଲେ ଚଳେ । କାହାଣୀ ଅନୁସାରେ ତାଙ୍କ ଚରିତ୍ର ଅନୁଯାୟୀ ସେ ଏମିତି ଗେଟ୍ଅପ୍ ଧରିଛନ୍ତି । ବାକି ଏହା ପଛରେ ପ୍ରକୃତ ଘଟଣା କ’ଣ ରହିଛି, ତାହା ସିନେମା ମୁକ୍ତିଲାଭ ପରେ ଜଣାପଡ଼ିବ । ନଚେତ୍ ସେ ଯଦି ଏହାର ରହସ୍ୟ ଖୋଲିବେ ତେବେ ସବୁ ସତ ପଦାକୁ ଆସିବ । କିନ୍ତୁ ତାଙ୍କର କହିବା କଥା ହେଲା, ଏବେ ଆପଣ ଦୋସାର ମଜା ନିଅନ୍ତୁ । ସମୟ ଆସିଲେ ସବୁ ଜାଣିପାରିବେ । ନହେଲେ ଦୋସା ଥଣ୍ଡା ହୋଇଯିବ ଆଉ କିଛି ଭଲ ଲାଗିବନି ।