ମୁମ୍ବାଇ,୨୦/୫ : ରାଜସ୍ଥାନ ରୟାଲ୍ସର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ୨୦୨୬ରେ ବାରମ୍ବାର ନିଜ ଖେଳ ଲାଗି ଚର୍ଚ୍ଚାରେ ଅଛନ୍ତି । ବୈଭବ କେବଳ ୧୫ବର୍ଷ ବୟସରେ ନିଜ ବ୍ୟାଟିଂରେ ବୋଲରଙ୍କ ନିଦ ହଜାଉଛନ୍ତି । ସେ ସମସ୍ତଙ୍କ ନଜର ନିଜ ଆଡ଼କୁ ଟାଣୁଛନ୍ତି । ଲକ୍ଷ୍ନୌ ସୁପର ଜାୟଣ୍ଟସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ବୈଭବ ପୁଣି ଥରେ ନିଜ ବିଜୟୀ ପାଳି ଖେଳି ଟିମକୁ ପ୍ଲେଅଫ ରେସରେ ଆଗକୁ ନେବାକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । ଲକ୍ଷ୍ନୌ ରାଜସ୍ଥାନ ସାମ୍ନାରେ ୨୨୦ରନର ବଡ଼ ଲକ୍ଷ୍ୟ ରଖିଥିଲା । ଏଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ଶାନଦାର୍ ବ୍ୟାଟିଂ କରିବାକୁ ଯାଇ କେବଳ କିଛି ବଲରେ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ । ସେ ୯୩ରନର ଦମଦାର୍ ପାଳି ଖେଳିଥିଲେ ଏବଂ ନିଜ ଟିମକୁ ୧୯.୧ଓଭରରେ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ବଡ଼ ଭୂମିକା ନିଭାଇଥିଲେ । ମାତ୍ର ବୈଭବ ଶତକ ଲଗାଇବାକୁ କେବଳ ୭ରନରୁ ଦୂରେଇ ରହିଲେ ।

ବୈଭବ ମ୍ୟାଚ ସମୟରେ ଅର୍ଦ୍ଧଶତକ ପୂରା କରିଥିଲେ ତ ସେ ଉଭୟ ହାତରେ ଇଂରାଜୀର ‘A’ ଅକ୍ଷର କରି ସେଲିବ୍ରେଶନ କରିଥିଲେ । ତାଙ୍କର ଏହି ସେଲିବ୍ରେଶନ ତୁରନ୍ତ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ମ୍ୟାଚ୍ ଶେଷ ହେବା ପରେ ପ୍ରେଜେଣ୍ଟେଶନ ସମୟରେ କମେଣ୍ଟେଣ୍ଟର ମୁରଲୀ କାର୍ତ୍ତିକ ତାଙ୍କୁ ଏହି ଖାସ୍ ସେଲିବ୍ରେଶନର କାରଣ ପଚାରିଥିଲେ। ବୈଭବ ପ୍ରଥମେ ହସି ଦେଇ ଏହାକୁ ଏଡ଼ାଇ ଯାଇଥିଲେ । ସେ କହିଥିଲେ କି ସେ ପ୍ରତ୍ୟେକ ମ୍ୟାଚରେ କିଛି ନୂଆ ଟ୍ରାଇ କରିଥାନ୍ତି ଏବଂ ଏହି ସେଲିବ୍ରେଶନର କେତେକ ଖାସ୍ କାରଣ ନାହିଁ । ଏହି ଉତ୍ତର ଦେଖି ସେଠାରେ ଥିବା ସବୁ ଲୋକ ହସିବାକୁ ଲାଗିଥିଲେ ।

ମାତ୍ର ପରେ ରାଜସ୍ଥାନ ରୟାଲ୍ସ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଥିଲେ । ଯେଉଁଥିରେ ବୈଭବ ଏହି ସେଲିବ୍ରେଶନର ସତ୍ୟତା କହିଥିଲେ । ବୈଭବ ବହୁ ଭାବୁକ ଅନ୍ଦାଜରେ କହିଥିଲେ କି ସେ ଏହି ସେଲିବ୍ରେଶନ ନିଜ ମା’ଙ୍କୁ ସମର୍ପିତ କରିଥିଲେ । ସେ କହିଥିଲେ କି ତାଙ୍କ ମା’ଙ୍କ ନାଁ ‘A’ ଅକ୍ଷରରୁ ଆରମ୍ଭ ହୋଇଥାଏ । ଏଥିଲାଗି ସେ ମୈଦାନରେ ଏହି ଖାସ୍ ଇସାରା କରିଥିଲେ । ଏହା ଉପରେ ବୈଭବ କହିଥିଲେ କି, ‘ମୁଁ ଚାହୁଁ ନ ଥିଲି କି ଏହି କଥା ସମସ୍ତଙ୍କୁ ଜଣାପଡ଼ୁ କାରଣ ମୁଁ ଆଗକୁ ବି ଏହି ସେଲିବ୍ରେଶନ ଜାରି ରଖିବାକୁ ଚାହିଁବି । କିନ୍ତୁ ସତ ଏହା କି ଏହା ବିଶେଷ ଭାବେ ମୋ ମା’ଙ୍କ ଲାଗି ଥିଲା’ ।