ଚନ୍ଦନେଶ୍ଵର, ୬/୬ : କଥା ଦେଇ କଥା ରଖି ପାରୁ ନାହାନ୍ତି ସରକାର । ରବି ଧାନ କିଣରେ ଦେଖା ଦେଉଛି ବ୍ୟାପକ ଅବ୍ୟବସ୍ଥା । ବାଲେଶ୍ଵର ଜିଲ୍ଲା ଭୋଗରାଇର ଶ୍ରଦ୍ଧାପୁର ସେବା ସମବାୟ ସମିତିରେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷୀମାନେ । ଧାନ ବିକ୍ରି ପାଇଁ ଚାଷୀଙ୍କ ଟୋକନ ଅବଧି ଆଉ ଏକ ସପ୍ତାହ ରହିଛି । ମାତ୍ର ସମିତିର ସମ୍ପାଦକ ବଳଭଦ୍ର ସେଠୀ ଅନ୍ୟତ୍ର ଚାକିରି କରିବା ନିଶାରେ ଛୁଟିରେ ଅଛନ୍ତି । ଅନ୍ୟପଟେ ଧାନ କିଣିବା ପାଇଁ ମିଲର ଆସୁ ନାହାନ୍ତି । ଖାଲି ସେତିକି ନୁହେଁ, ଧାନକୁ ସାଇତି ରଖିବା ପାଇଁ ଚାଷୀ ନାକେଦମ ହେଲେଣି। ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଚାଷୀର ଧାନ ବିକ୍ରି କରିବା ଅସମ୍ଭବ ହୋଇ ପଡ଼ିଲାଣି । ଧାନ ବିକ୍ରି ନ ହେଲେ ଚାଷୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବା ସହ ସମିତି ନିକଟରେ ଅନଶନରେ ବସିବେ ବୋଲି ଚେତବନୀ ଦେଇଛନ୍ତି ।
ସୂଚନା ଅନୁସାରେ, ଶ୍ରଦ୍ଧାପୁର ସେବା ସମବାୟ ସମିତିରେ ୩୧୯ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିବାବେଳେ ୩୭୦ଜଣଙ୍କୁ ଟୋକନ ମିଳିଛି । ଚାଷୀଙ୍କ ଠାରୁ ସରକାର ୫୪୬୬.୦୬କ୍ୟୁଇଣ୍ଟାଲ ଧାନ କିଣିବା ପାଇଁ ଟୋକନ ଦେଇଥିଲେ । ମାତ୍ର ରମାଦେବୀ ଫୁଡ୍ସ ପ୍ରାଇଭେଟ ଲିମିଟେଡ ଓ ମା’ ତାରିଣୀ ରାଇସ ମିଲ ୨ଜଣ ମିଲରଙ୍କ ଜରିଆରେ ମୋଟ ୧୨୩୬କ୍ୟୁଇଣ୍ଟାଲ ଧାନ କିଣିବା ପାଇଁ ସମିତିକୁ ଟାର୍ଗେଟ ଆସିଛି । କିନ୍ତୁ ୬୨ଜଣ ଚାଷୀଙ୍କ ପାଖରୁ ସମିତି ୪୪୬.୫୯ କ୍ୟୁଇଣ୍ଟାଲ ଧାନ କ୍ରୟ କରିଛନ୍ତି । ସରକାରଙ୍କ ଟାର୍ଗେଟ ଅନୁସାରେ ରମାଦେବୀ ଫୁଡ୍ସ ପ୍ରା.ଲି ଆଉ ୩୦୩.୪୧ କ୍ୟୁଇଣ୍ଟାଲ ଧାନ କିଣିବେ । ମାତ୍ର ମା’ ତାରିଣୀ ରାଇସ ମିଲକୁ ଦିଆଯାଇଥିବା ଟାର୍ଗେଟ ୪୮୬ କ୍ୟୁଇଣ୍ଟାଲକୁ ନେଇ ସମିତି ଚିନ୍ତାରେ ଅଛନ୍ତି ।
ଆସନ୍ତା ୧୩ତାରିଖ ଚାଷୀଙ୍କ ଟୋକନ ଅବଧି ସରିଯିବ । କିନ୍ତୁ ମିଲରର ଏ ପର୍ଯ୍ୟନ୍ତ କୌଣସି ପତ୍ତା ନାହିଁ । କମ୍ ଟାର୍ଗେଟକୁ ନେଇ ସମିତିର ନିଷ୍ପତ୍ତି କ୍ରମେ କ୍ଷୁଦ୍ର ଚାଷୀ ଯେଉଁମାନଙ୍କ ୮ କ୍ୟୁଇଣ୍ଟାଲରୁ କମ୍ ଟାର୍ଗେଟ ଆସିଥିଲା ସେମାନଙ୍କଠାରୁ ଧାନ କ୍ରୟ ହୋଇଛି । ଅଧିକ ଧାନ ବିକ୍ରି କରିବାକୁ ଥିବା ବଡ଼ ଚାଷୀମାନେ ଧାନ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି । ଅନ୍ୟପଟେ ସେମାନଙ୍କ ଟୋକନ ଅବଧି ସରି ଆସୁଛି । ୫ହଜାର କ୍ୟୁଇଣ୍ଟାଲରୁ ଅଧିକ ଧାନ ବିକ୍ରି ପାଇଁ ଚାଷୀ ଅପେକ୍ଷା କରିଥିବାବେଳେ ମିଲରମାନେ କିନ୍ତୁ ଚୁପ୍ ହୋଇ ବସିଛନ୍ତି । କିଛି ମିଲର ଅଧିକ ଲାଭ ପାଇବା ଆଶାରେ ପଶ୍ଚିମବଙ୍ଗରୁ କମ୍ ଦରରେ ଧାନ କିଣି ଟାର୍ଗେଟ ପୂରା କରୁଥିବା ଅଭିଯୋଗ ଆସୁଛି । ଏ ନେଇ ସମିତିର ସଭାପତି ଗୁଣାକର ମାଝୀ କହିଛନ୍ତି ସମ୍ପାଦକ ଛୁଟିରେ ଥିବାରୁ ଶୁକ୍ରବାର ଧାନ କିଣାଯାଇପାରିନାହିଁ । ଚାଷୀଙ୍କ ଟୋକନ ଅବଧି ସରୁ ଥିବାରୁ ସରକାରଙ୍କ ଟାର୍ଗେଟ ମୁତାବକ ଆସନ୍ତା ମଙ୍ଗଳବାର ଓ ବୁଧବାର ୨ଦିନ ଧାନ କିଣାଯିବ ବର୍ଷା ଋତୁ ଆସିଲାଣି । ଅଧିକ ଦିନ ଧାନ ସାଇତି ରଖିବା ଅସମ୍ଭବ । ଧାନ ସବୁ ମୂଷା ଖାଇ ଯାଉଛି ଅପରପକ୍ଷରେ ଚାଷ ନିମନ୍ତେ ହୋଇଥିବା ଧାର କରଜ ବଢି ଚାଲିଛି । ଏଭଳି ପରିସ୍ଥିତିରେ ସବୁ ତକ ଧାନ କିଣିବା ପାଇଁ ନୀଳକଣ୍ଠ ଇଞ୍ଜ, ଅଳିତ ପାତ୍ର, ବଳରାମ ପାତ୍ର, ଶମ୍ଭୁନାଥ ଜେନା,ଅଳୟ କୁମାର ପରିଡା,ଶିବ୍ ପରିଡା ପ୍ରମୁଖ ଚାଷୀ ଦାବି କରିଛନ୍ତି ।