ସୁନ୍ଦରଗଡ଼,୧୦/୭ : ସାମାନ୍ୟ ଭୁଲ୍ ପାଇଁ ଆଜି ସର୍ବହରା । ତାଙ୍କ ପାଇଁ ସବୁ ବାଟ ଆଜି ବନ୍ଦ ହୋଇଯାଇଛି । ଯାହାକୁ ହାତ ଧରି ଜୀବନ ଜିଇଁବାକୁ ମନ କରିଥିଲେ ସେ ଏବେ ଆରପାରିରେ । ସାଥିରେ ଅଛନ୍ତି ୩ ନିଷ୍ପାପ ଶିଶୁ । ନିଜ ଭାଗ୍ୟକୁ ଆଦରି ମହିଳାଙ୍କ କଇଁ କଇଁ ହୋଇ କାନ୍ଦିବାର ଦୃଶ୍ୟ ଆଜି ସମସ୍ତଙ୍କୁ ହତବାକ୍ କରିଦେଇଥିଲା। ଏଭଳି ଏକ ଦୃଶ୍ୟ ନଜରକୁ ଆସିଛି ସୁନ୍ଦରଗଡ ସ୍ବର୍ଗଦ୍ବାରରେ ।
ନାଁ ତାଙ୍କର ସ୍ୟାମୋଲି ରାଣି ଚୌଧୁରୀ(୩୫) । କୋଳରେ ଦୁନିଆକୁ ଭଲ ଭାବରେ ଜାଣି ନ ଥିବା ୩ ନିଷ୍ପାପ ଶିଶୁ । ବଡ ପୁଅ ୬ ବର୍ଷ, ମଝିଆ ପୁଅ ୩ ବର୍ଷ ଓ ସାନ ଝିଅ ଦେଢ ବର୍ଷର । ସ୍ୟାମୋଲି ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ବେଲଡାଙ୍ଗା ଥାନା ଦେବକିଣ୍ଡୁ ପଞ୍ଚାୟତ ସୁଜନପୁର ଗ୍ରାମ ମୁଖିଆ ଉତ୍ପଳନାଥ ଚୌଧୁରିଙ୍କ ବଡ଼ ଝିଅ। ସେ ଛଅ ବର୍ଷ ପୂର୍ବେ ଏକ ଭୁଲ କରି ଦେଇଥିଲେ । ନିଜ ଗ୍ରାମ ପାଖ ବୋରମପୁର ଗ୍ରାମର ମିଥିଲେଶ ମୋଣ୍ଡଲଙ୍କୁ ପ୍ରେମ କରି ଘର ଛାଡି ଓଡିଶା ଚାଲି ଆସିଥିଲେ। ଯାହା ପଇସା ଧରି ଆସିଥିଲେ ଆସ୍ତେ ଆସ୍ତେ ସବୁ ସରିଗଲା। ଚିହ୍ନା ପରିଚୟ କେହି ନ ଥିବାରୁ ରାଉରକେଲାର ପାୱାର ହାଉସ ରୋଡରେ ଏକ କବାଡିଆ ପାଖରେ ମିଥିଲେଶ କାମ କରେ ।
କଷ୍ଟେମଷ୍ଟେ ଦୁଇ ପ୍ରାଣୀ ଚଳି ଯାଉଥିଲେ। କବାଡିଆ ମାଲିକର ଖରାପ ଚରିତ୍ର ଓ ସ୍ୟାମୋଳିଙ୍କ ପ୍ରତି ଆଖି କରିବାରୁ ଦୁହେଁ ଗତ ୨୦୨୦ରେ ସୁନ୍ଦରଗଡ଼ ଚାଲି ଆସିଥିଲେ। ସୁନ୍ଦରଗଡ ସୁବଲୟା ରୋଡରେ ଏକ ଭଡା ଘର ନେଇ ରହିଲେ ଓ ମିଥିଲେଶ ଏକ କବାଡିଆ ପାଖରେ କାମ କରୁଥିଲେ। ଏହା ଭିତରେ ସ୍ୟାମୋଳିଙ୍କ କୋଳକୁ ତିନି ଟି ଛୁଆ ଆସି ସାରିଥିଲେ। ଅଭାବ ଅନାଟନ ଭିତରେ ମିଥିଲେଶ ମଦ ପିଇବା ଆରମ୍ଭ କରିଥିଲେ ଓ ମଝିରେ ମଝିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ଯରେ କଳହ ଲାଗୁଥିଲା । ମିଥିଲେଶ ସୁନ୍ଦରଗଡରେ ପିଲାଛୁଆଙ୍କୁ ଛାଡି ବେଲପାହାଡର ଏକ ସ୍କ୍ରାପ ମୋଲ୍ଡିଂ ଫ୍ଯାକ୍ଟ୍ରିରେ ଅପରେଟର କାମ କରୁଥିଲେ ଓ ମଝିରେ ମଝିରେ ସୁନ୍ଦରଗଡ ଆସି ପଇସା ଦେଇ ଚାଲି ଯାଉଥିଲେ। ଗତ ରଥଯାତ୍ରା ଦିନ ମିଥିଲେଶଙ୍କ ପ୍ରବଳ ବାନ୍ତି ହେବାରୁ ବେଲପାହାଡରେ କାମ କରୁଥିବା ମାଲିକ ହସ୍ପିଟାଲରେ ଭର୍ତ୍ତି କରି ସ୍ୟାମୋଲିଙ୍କୁ ଫୋନ କରି ଜଣାଇଥିଲେ।
ସ୍ୟାମୋଲି ତିନି ଛୁଆଙ୍କୁ ଧରି ବେଲପାହାଡ଼ ଗଲା। ସେଠାରେ ସ୍ବାସ୍ଥ୍ୟବସ୍ଥା ଉଦବେଗଜନକ ହେବାରୁ ମାଲିକ ଏକ ଆମ୍ବୁଲାନ୍ସରେ କିଛି ପଇସା ଦେଇ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଦେଇ ଦାୟିତ୍ବ ସାରିଦେଲେ। ପାଖରେ ଥିବା ପଇସା ଯାହା ଥିଲା ସବୁ ଚିକିତ୍ସାରେ ସରିଗଲା। ପଇସା ନ ଥିବାରୁ ନିର୍ସିଂହୋମ ବାଲା ମେଡ଼ିକାଲ କଲେଜକୁ ପଠାଇଦେଲେ। ମେଡ଼ିକାଲ କଲେଜର ଡାକ୍ତର ହେପାଟାଇଟିସ ଓ କାମଳ ରୋଗ ହୋଇଥିବା ସମୟରେ ମଦ୍ୟପାନ କରିଥିବାରୁ କିଡନୀ ନଷ୍ଟ ହୋଇ ଯାଇଥିବା ଓ ଉଚ୍ଚ ଚିକିତ୍ସା ନିମନ୍ତେ ଭୁବନେଶ୍ବର ନେବାକୁ ପଡିବ କହିବାରୁ ଓ ବହୁତ ପଇସା ଦରକାର କହିବାରୁ ବଜ୍ର ପଡିଲା ସ୍ୟାମୋଲିଙ୍କ ମୁଣ୍ଡରେ।
ଶେଷରେ ମିଥିଲେଶ କିଣି ଥିବା ଏକ ନୂଆ ସାଇକେଲକୁ ୪ହଜାରରେ ବିକ୍ରି କରି ଦେଇ କର୍ମକୁ ଆଦରି ପଡି ରହିଲେ ବୁର୍ଲାରେ। ଚିକିତ୍ସାଧିନ ଅବସ୍ଥାରେ ଗତକାଲି ସକାଳେ ମିଥିଲେଶଙ୍କର ପରଲୋକ ଘଟିଥିଲା। ଏକୁଟିଆ କ’ଣ କରିବେ କେମିତି ଯିବେ ଚିନ୍ତା କରି ୨୫୦୦ଟଙ୍କା ଦେଇ ସୁନ୍ଦରଗଡ଼କୁ ଏକ ଶବବାହକ ଗାଡ଼ି ଆଣି ତାଙ୍କ ବାସଭବନରେ ଛାଡି ଦେଇଗଲା। ନା ନିଜ ମା’ ଘର ନା ଶ୍ବଶୁର ଘର କେହି ସାହାଯ୍ଯ କରିବାକୁ ଆସିଲେ ନାହିଁ। ବେଲପାହାଡ଼ରେ କାମ କରୁଥିବା ମାଲିକ ବି ହାତ ଟେକି ଦେଲେ। ତାଙ୍କ ଘର ପାଖରେ ରହୁଥିବା କିଛି ଫେରିବାଲା ଟିମ ଶ୍ମଶାନ ବନ୍ଧୁର ସଦସ୍ଯ ସିଦ୍ଧାନ୍ତ କୁମାର ପଣ୍ଡାଙ୍କୁ ସମସ୍ତ ବିଷୟ ଅବଗତ କରିଥିଲେ। ଆଜି ଗୁରୁ ପୁର୍ଣ୍ଣିମା ଥିବା ଓ ବର୍ଷା ସତ୍ବେ ଅପରାହ୍ନ ରେ ସଦସ୍ଯ ଶିଶିର କୁମାର ବେହେରା ଓ ଦେବେନ୍ଦ୍ର ସାହୁ ଓ ସ୍ୟାମୋଲି ରହୁଥିବା ପଡୋଶୀର କିଛି ଯୁବକଙ୍କ ସହିତ ସୁନ୍ଦରଗଡ଼ ସ୍ବର୍ଗଦ୍ବାରକୁ ଆଣି ଶେଷ କୃତ୍ୟ ସମ୍ପନ୍ନ କରିଥିଲେ । ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନର ଅଧ୍ୟକ୍ଷ ସଂଜୟ ନନ୍ଦ ଓ କୋଷାଧ୍ୟକ୍ଷ ଅବଦୁଲ ସାଜିଦ ଶେଷକୃତ୍ୟ ସମ୍ପନ୍ନ ସକାସେ ସାମଗ୍ରୀ ପ୍ରଦାନ କରିବା ସହିତ ସମର୍ପିତ ସେବା ସଂସ୍ଥାନ ଓ ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନର ମିଳିତ ସହଯୋଗରେ ସ୍ୟାମୋଲିଙ୍କୁ ନିଜ ଗାଁ ଯିବାକୁ କଲିକତାର ଟ୍ରେନ ଟିକେଟ ସହିତ ୮ହଜାର ଟଙ୍କା ଓ ରାଉରକେଲା ରେଳ ଷ୍ଟେସନରେ ଛାଡିବାକୁ ଏକ ଗାଡିର ବନ୍ଦୋବସ୍ତ କରିଥିଲେ।
ଭଙ୍ଗା ହୃଦୟ ନେଇ ଗଲେ ନିଜ ଶ୍ବଶୁର ଘର ଗ୍ରାମକୁ ଏକ ଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରରୁ ଆସୁଥିବା ସ୍ୟାମୋଲି ଛଅ ବର୍ଷ ପୂର୍ବେ କରିଥିବା ଏକ ଭୁଲ ଯୋଗୁଁ ନିଜ ପୈତୃକ ପରିବାର ସବୁ ଦିନ ପାଇଁ ଘର ବାଟ ବନ୍ଦ କରିଦେଇଥିବା ବେଳେ ଶ୍ବଶୁର ଘର ମଧ୍ଯ ସବୁ ଦିନ ପର କରିଦେଇଥିଲେ। ଏପଟେ ହାତ ଧରିଥିବା ଯୁବକର ମଦ ନିଶା ଯୁବାବସ୍ଥାରେ ନିଜେ ପରଲୋକ ଚାଲିଯାଇଥିବାବେଳେ କୋଳରେ ଛାଡ଼ି ଯାଇଥିବା ତିନି ନିଷ୍ପାପ ଶିଶୁ ତାଙ୍କର ଭବିଷ୍ଯତ କ’ଣ ହେବ ବୋଲି ବାହୁନି ବାହୁନି କାନ୍ଦୁଥିବା ବେଳେ ସ୍ୟାମୋଲିଙ୍କ ବୁକୁ ଫଟା କାନ୍ଦ ବୋବାଳି ଦେଖି ତିନି ଛୁଆଙ୍କ କ୍ରନ୍ଦନ ସୁନ୍ଦରଗଡ ସ୍ବର୍ଗଦ୍ବାରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ଟିମ ଶ୍ମଶାନ ବନ୍ଧୁର ସଦସ୍ଯମାନଙ୍କର ଅସମୟରେ ସହଯୋଗ ପାଇ ସୁନ୍ଦରଗଡ଼ ମାଟିକୁ ପ୍ରଣାମ କରି ଭଙ୍ଗା ହୃଦୟରେ ଆଶା ଓ ଆଶଙ୍କା ଭିତରେ ନିଜ ଶ୍ବଶୁର ଘରକୁ ତିନି କୋମଳ ଛୁଆଙ୍କୁ ଧରି ବିଦାୟ ନେବା ଆମ ଆଖିରେ ବି ଅଶ୍ରୁ ଭରିଦେଇ ଥିବା ଓ ହୃଦୟ ବି ତରଳି ପରିବେଶକୁ ଗମ୍ଭୀର କରିଦେଇଥିବା କହିଛନ୍ତି ଟିମ ଶ୍ମଶାନ ବନ୍ଧୁର ସଦସ୍ଯ ମାନେ ।