ଢେଙ୍କାନାଳ,୨୪।୨ : ସ୍ତ୍ରୀ କଲାନି ଚିକେନ ତରକାରୀ। ଏହାକୁ ନେଇ ରାଗିଗଲା ସ୍ବାମୀ। ପତ୍ନୀକୁ  ନିସ୍ତୁକ ମାଡ଼ ମାରିଲା । ଶେଷରେ ପତ୍ନୀକୁ ମାଡ ମାରୁ ମାରୁ ଜୀବନରେ ମାରିଦେଲା ସ୍ୱାମୀ।  ରବିବାର ରାତିରେ ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମରେ। ମୃତ ମହିଳା ଜଣକ ହେଉଛନ୍ତି ଧନିଆଁନାଳୀ ମୁଣ୍ଡା ସାହିର କୁନି ପିଙ୍ଗୁଆ  ।

ଧନିଆଁ ନାଳୀ ଗ୍ରାମର ଜେନା ପିଙ୍ଗୁଆ ରାତିରେ ଚିକେନ ଖାଇବି ବୋଲି ପତ୍ନୀଙ୍କୁ କହି  ବାହାରକୁ ଯାଇଥିଲେ। ଆଉ ରାତିରେ ଫେରିବା ବେଳକୁ ଚିକେନ୍ ତରକାରୀ କରି ନ ଥିଲା ପତ୍ନୀ କୁନି ପିଙ୍ଗୁଆ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ଝଗଡା ହୋଇଥିଲା। ଚିକେନ୍ ତରକାରୀ କରି ନ ଥିବାରୁ  ପତ୍ନୀକୁ ନିସ୍ତୁକ ମାଡ଼ ମାରିଥିଲା ଜେନା ପିଙ୍ଗୁଆ।   ଏଥିରେ କୁନିର ମୁତ୍ୟୁ ଘଟିଥିଲା।   ତେବେ ସୋମବାର ଖବର ପାଇ ଗଁନ୍ଦିଆ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା।  ଘରୁ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ଫରେନସିକ ଟିମ ପହଞ୍ଚି  ଘଟଣାର ଯାଞ୍ଚ କରୁଛି । ମୃତ ମହିଳାଙ୍କ ଭାଇର ଅଭିଯୋଗ ଆଧାରରେ ଗଁନ୍ଦିଆ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ସେପଟେ ଘଟଣା ପରେ ଘରୁ ପଳାଇଥିବା  ଅଭିଯୁକ୍ତ ସ୍ୱାମୀ ଜେନା ପିଙ୍ଗୁଆଙ୍କୁ ପୁଲିସ ସ୍ଥାନୀୟ ଅଂଚଳରୁ ଗିରଫ କରିଛି।