ନୂଆଦିଲ୍ଲୀ ୧୭/୦୮: ସନ୍ତାନ ଜନ୍ମ ହେବା ପରଠାରୁ ରୁପେଲି ପରଦାରେ ସେଭଳି ଭାବେ ଦେଖିବାକୁ ମିଳିନାହାନ୍ତି ଦୀପିକା ପାଦୁକୋନ । ୨୦୨୪ରେ ତାଙ୍କର କେତୋଟି ଫିଲ୍ମ ମୁକ୍ତି ପାଇଥିଲା । ଗତ ବର୍ଷ ସେପ୍ଟେମ୍ବରରେ ଝିଅ ଦୁଆର ଜନ୍ମ ପରେ ଦୀର୍ଘ ଦିନ ଧରି ସେ ନିଜକୁ ଲାଇମ୍ ଲାଇଟ୍ରୁ ଦୂରେଇ ରଖିଥିଲେ । ତେବେ ଧୀରେ ଧୀରେ କାମକୁ ଫେରିଛନ୍ତି । ରାମ୍ପରେ ଚାଲିଛନ୍ତି । ଏହା ମଧ୍ୟରେ ‘କଲ୍କି ୨୮୯୮ ଏଡି’ ଫିଲ୍ମର ଦ୍ୱିତୀୟ ପର୍ବର ଶୁଟିଂ ନେଇ ନାନା କଥା ଶୁଣିବାକୁ ମିଳୁଛି । ପୁଣି ଦିନକୁ ୮ ଘଣ୍ଟା କାମ କରିବାର ସର୍ତ୍ତ ରଖିଛନ୍ତି ଦୀପିକା । ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବଲିଉଡ୍ ଭାଗ ଭାଗ ହୋଇଛି । ଏଥର ଶୁଣିବାକୁ ମିଳିଛି ଆଉ ଏକ ଫିଲ୍ମରୁ ଦୀପିକା କାଳେ ଓହରି ଆସିଛନ୍ତି ।
ଗତ କିଛି ବର୍ଷ ଧରି ବଲିଉଡ୍ ଅପେକ୍ଷା କରିଥିଲା ଯେ ୨୦୧୫ ମସିହାର ହଲିଉଡ୍ ଫିଲ୍ମ ‘ଦ ଇଣ୍ଟର୍ନ’ର ରିମେକ୍ ହେବ । ସେହି ଫିଲ୍ମରେ ମୁଖ୍ୟ ଚରିତ୍ରାଭିନେତ୍ରୀ ଆନି ହ୍ୟାଥୱେଙ୍କ ସ୍ଥାନରେ ଅଭିନୟ କରିବା କଥା ଥିଲା ଦୀପିକା ପାଦୁକୋନଙ୍କର । ମୂଳ ସିନେମାର କାହାଣୀ ଅନୁସାରେ ଚରିତ୍ରଟି ଜଣେ ଉଦ୍ୟୋଗପତିଙ୍କର । ଯିଏ କି ଜଣେ ବର୍ଷୀୟାନ ମଣିଷକୁ ‘ଇଣ୍ଟର୍ନ’ ବା ଶିକ୍ଷାନବିଶ ଭାବେ ନିଯୁକ୍ତ କରନ୍ତି । ଶିକ୍ଷାନବିଶ ଚରିତ୍ରରେ ଋଷି କପୁର ଅଭିନୟ କରିବେ ବୋଲି ପ୍ରାଥମିକ ଭାବେ ସ୍ଥିର ହୋଇଥିଲା । କିନ୍ତୁ ୨୦୨୦ରେ ତାଙ୍କର ମୃତ୍ୟୁ ପରେ ସେହି ଚରିତ୍ରରେ ଅଭିତାଭ ବଚ୍ଚନ ଅଭିନୟ କରିବେ ବୋଲି ସ୍ଥିର ହେଲା ।
ତେବେ ବିଭିନ୍ନ କାରଣରୁ ଏହି ସିନେମାଟିର କାମ ଆଗକୁ ବଢ଼ି ପାରୁନି । ଏହା ମଧ୍ୟରେ ଏହି ଫିଲ୍ମର ନାୟିକା ଚରିତ୍ରରୁ ନିଜକୁ ଓହରାଇ ନେଇଛନ୍ତି ଦୀପିକା । ସୂତ୍ର ଅନୁସାରେ ସେ କେବଳ ଏହି ସିନେମାର ପ୍ରଯୋଜକ ଭାବେ କାମ କରିବାକୁ ଚାହାନ୍ତି । ଅଭିନେତ୍ରୀଙ୍କ ଜଣେ ଘନିଷ୍ଠ ବାନ୍ଧବୀଙ୍କ କହିବାନୁସାରେ, ଦୀପିକା ଏବେ ଅଭିନୟ ଉପରେ ଆଉ ମନୋନିବେଶ କରିବାକୁ ଇଚ୍ଛା କରୁନାହାନ୍ତି । ତାଙ୍କର ସବୁତକ ସମୟ ସେ ଝିଅକୁ ଦେବାକୁ ଇଚ୍ଛୁକ । ସେଥିପାଇଁ ପ୍ରଯୋଜନାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯଦିଓ ତାଙ୍କୁ ଶାହରୁଖ ଖାନଙ୍କ ସହିତ ଫିଲ୍ମ ‘କିଙ୍ଗ୍’ରେ ଦେଖିବାକୁ ମିଳିବ ।