ନୂଆଦିଲ୍ଲୀ ୧୭/୦୮: ସନ୍ତାନ ଜନ୍ମ ହେବା ପରଠାରୁ ରୁପେଲି ପରଦାରେ ସେଭଳି ଭାବେ ଦେଖିବାକୁ ମିଳିନାହାନ୍ତି ଦୀପିକା ପାଦୁକୋନ । ୨୦୨୪ରେ  ତାଙ୍କର କେତୋଟି ଫିଲ୍ମ ମୁକ୍ତି ପାଇଥିଲା । ଗତ ବର୍ଷ ସେପ୍ଟେମ୍ବରରେ ଝିଅ ଦୁଆର ଜନ୍ମ ପରେ ଦୀର୍ଘ ଦିନ ଧରି ସେ ନିଜକୁ  ଲାଇମ୍‌ ଲାଇଟ୍‌ରୁ ଦୂରେଇ ରଖିଥିଲେ । ତେବେ ଧୀରେ ଧୀରେ କାମକୁ ଫେରିଛନ୍ତି । ରାମ୍ପରେ ଚାଲିଛନ୍ତି । ଏହା ମଧ୍ୟରେ  ‘କଲ୍କି ୨୮୯୮ ଏଡି’ ଫିଲ୍ମର ଦ୍ୱିତୀୟ ପର୍ବର ଶୁଟିଂ ନେଇ ନାନା କଥା ଶୁଣିବାକୁ ମିଳୁଛି । ପୁଣି ଦିନକୁ ୮ ଘଣ୍ଟା କାମ  କରିବାର ସର୍ତ୍ତ ରଖିଛନ୍ତି ଦୀପିକା । ଏହି ପ୍ରସଙ୍ଗକୁ କେନ୍ଦ୍ର କରି ବଲିଉଡ୍‌ ଭାଗ ଭାଗ ହୋଇଛି । ଏଥର ଶୁଣିବାକୁ ମିଳିଛି  ଆଉ ଏକ ଫିଲ୍ମରୁ ଦୀପିକା କାଳେ ଓହରି ଆସିଛନ୍ତି । 

ଗତ କିଛି ବର୍ଷ ଧରି ବଲିଉଡ୍‌ ଅପେକ୍ଷା କରିଥିଲା ଯେ ୨୦୧୫  ମସିହାର ହଲିଉଡ୍‌ ଫିଲ୍ମ ‘ଦ ଇଣ୍ଟର୍ନ’ର ରିମେକ୍‌ ହେବ । ସେହି ଫିଲ୍ମରେ ମୁଖ୍ୟ ଚରିତ୍ରାଭିନେତ୍ରୀ ଆନି ହ୍ୟାଥୱେଙ୍କ  ସ୍ଥାନରେ ଅଭିନୟ କରିବା କଥା ଥିଲା ଦୀପିକା ପାଦୁକୋନଙ୍କର । ମୂଳ ସିନେମାର କାହାଣୀ ଅନୁସାରେ ଚରିତ୍ରଟି  ଜଣେ ଉଦ୍ୟୋଗପତିଙ୍କର । ଯିଏ କି ଜଣେ ବର୍ଷୀୟାନ ମଣିଷକୁ ‘ଇଣ୍ଟର୍ନ’ ବା ଶିକ୍ଷାନବିଶ ଭାବେ ନିଯୁକ୍ତ  କରନ୍ତି । ଶିକ୍ଷାନବିଶ ଚରିତ୍ରରେ ଋଷି କପୁର ଅଭିନୟ କରିବେ ବୋଲି ପ୍ରାଥମିକ ଭାବେ ସ୍ଥିର ହୋଇଥିଲା ।   କିନ୍ତୁ ୨୦୨୦ରେ ତାଙ୍କର ମୃତ୍ୟୁ ପରେ ସେହି ଚରିତ୍ରରେ ଅଭିତାଭ ବଚ୍ଚନ ଅଭିନୟ କରିବେ ବୋଲି  ସ୍ଥିର ହେଲା । 

ତେବେ ବିଭିନ୍ନ କାରଣରୁ ଏହି ସିନେମାଟିର କାମ ଆଗକୁ ବଢ଼ି ପାରୁନି । ଏହା ମଧ୍ୟରେ  ଏହି ଫିଲ୍ମର ନାୟିକା ଚରିତ୍ରରୁ ନିଜକୁ ଓହରାଇ ନେଇଛନ୍ତି ଦୀପିକା । ସୂତ୍ର ଅନୁସାରେ ସେ କେବଳ  ଏହି ସିନେମାର ପ୍ରଯୋଜକ ଭାବେ କାମ କରିବାକୁ ଚାହାନ୍ତି । ଅଭିନେତ୍ରୀଙ୍କ ଜଣେ ଘନିଷ୍ଠ ବାନ୍ଧବୀଙ୍କ   କହିବାନୁସାରେ, ଦୀପିକା ଏବେ ଅଭିନୟ ଉପରେ ଆଉ ମନୋନିବେଶ କରିବାକୁ ଇଚ୍ଛା କରୁନାହାନ୍ତି ।  ତାଙ୍କର ସବୁତକ ସମୟ ସେ ଝିଅକୁ ଦେବାକୁ ଇଚ୍ଛୁକ । ସେଥିପାଇଁ ପ୍ରଯୋଜନାକୁ ଅଧିକ ଗୁରୁତ୍ୱ  ଦେଉଛନ୍ତି । ଯଦିଓ ତାଙ୍କୁ ଶାହରୁଖ ଖାନଙ୍କ ସହିତ ଫିଲ୍ମ ‘କିଙ୍ଗ୍‌’ରେ ଦେଖିବାକୁ ମିଳିବ ।