ଭଞ୍ଜନଗର, ୩୦/୦୭ : ଏଥର ସଅଳ ଆସିଛି ମୌସୁମୀ। ଜଲଦି ବର୍ଷା ହୋଇଯିବାରୁ ପୁରା ଦମ୍ରେ ଚାଷବାସରେ ଲାଗିଛନ୍ତି ଚାଷୀ। ତଳି ଘରାରେ ଛନଛନିଆ ଧାନ ଦେଖି ଚାଷୀ ମନ ଉଚ୍ଛନ୍ନ। ରୁଆ ପୋତା ଆରମ୍ଭ କଲେଣି ଚାଷୀ। ପାଗ ଫିଟିଯିବା ଭୟରେ ମୁଲିଆଙ୍କ ଦ୍ୱାରା ରୁଆ ବେଉଷଣ ସାରିବାକୁ ଚାହୁଁଥିବା ବେଳେ ଏବେ ବଡ଼ ସମସ୍ୟା ପାଲଟିଛି ଶ୍ରମିକ ଅଭାବ। କିଛି ବଡ଼ ଚାଷୀ ନିଜର ଟ୍ରାକ୍ଟର କିମ୍ବା ଅନ୍ୟ ୪ଚକିଆ ଯାନରେ ବାହାର ଗାଁରୁ ମୁଲିଆ ଆଣି ଚାଷବାସ କରୁଛନ୍ତି। ହଳ ପାଇଁ ଗୋରୁ କିମ୍ବା ପୋଢ଼ ମିଳୁନଥିବାରୁ ଚାଷୀ କଳ ଭଡ଼ାରେ ଟ୍ରାକ୍ଟର ସହାୟତାରେ ଆରମ୍ଭ କଲେଣି ଚାଷବାସ।
ଏହି ସମୟରେ ଚାଷୀଙ୍କୁ ଅକଳରେ ପକାଇଛି ସରକାରଙ୍କ ଚାଷୀ ପଞ୍ଜୀକରଣ ତାରିଖ ଧାର୍ଯ୍ୟ ଘୋଷଣା। ଚାଷୀ ଏବେ ଚାଷ କରିବେ ନା ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବେ? ଚାଷୀମାନେ ନା ଜମିକୁ ଛାଡ଼ି ପାରୁଛନ୍ତି ନା ପଞ୍ଜୀକରଣ ପାଇଁ ସମବାୟ ସମିତିକୁ ଯାଇପାରୁଛନ୍ତି। କେତେକ ଚାଷୀ ସମବାୟ ସମିତିକୁ ପଞ୍ଜୀକରଣ ପାଇଁ ଯାଉଥିଲେ ମଧ୍ୟ ସର୍ଭର୍ ଡାଉନ୍ କାରଣରୁ ନିରାଶ ହୋଇ ଫେରୁଛନ୍ତି। ଯେଉଁଥିପାଇଁ ଗୋଟିଏ ଦିନର ଚାଷକାମ ବାଧାପ୍ରାପ୍ତ ହେଉଛି।
ପୂର୍ବରୁ ଅଗଷ୍ଟ ମାସ ଶେଷ ପରେ ବି ଚାଷୀମାନେ ଜମିରେ ଧାନ ରୁଆ କାମ କରୁଥିଲେ। ଚଳିତ ବର୍ଷ ସଅଳ ମୌସୁମୀ ଯୋଗୁଁ ଜୁଲାଇ ମାସରେ ହିଁ ପ୍ରାୟତଃ ୭୦ ଭାଗ ଚାଷ କାମ ସରିଯିବା ଆଶା କରାଯାଉଛି। ଭଞ୍ଜନଗର କୃଷି ଜିଲ୍ଲାରେ ପାଖାପାଖି ୮୦ ପ୍ରତିଶତ ଜମିରେ ଧାନ ରୁଆ ହୋଇଥାଏ। ଯଦି କ୍ଷେତ ପାଇଁ କୃଷି ମୁଲିଆ ଠିକଣା ସମୟରେ ମିଳିଯାଏ ତେବେ ରୁଆ ବେଉଷଣ କାମ ଶେଷ ହେବାରେ ଅସୁବିଧା ହେବନି ବୋଲି କହିଛନ୍ତି ବେଲଗୁଣ୍ଠା ବ୍ଲକ୍ ଧୁମୁଛାଇ ପଞ୍ଚାୟତ କୁରୁଳାଇ ଗ୍ରାମର ପୁରସ୍ତମ ସ୍ୱାଇଁ। ସେ ନିଜ ଗାଁରୁ ୧୦ କିମି ଦୂର ଉଡୁରା ଗ୍ରାମରୁ ମହିଳା ମୁଲିଆମାନଙ୍କୁ ନିଜର ୪ ଚକିଆ ଯାନରେ ଆଣି ନିୟୋଜିତ କରିବା ସହ ସନ୍ଧ୍ୟାରେ ପୁଣି ସେମାନଙ୍କୁ ନେଇ ଗାଁରେ ଛାଡୁଛନ୍ତି । ତାଙ୍କ ମତରେ ପାଗ ଅନୁକୂଳ ଥିବାରୁ ଜମିକୁ କାଦୁଅ କରି ରୁଆ କାମ ଯୁଦ୍ଧକାଳୀନ ଭିତ୍ତିରେ ସାରିବାକୁ ଚାହୁଁଛି । ଏହି ସମୟରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିବାକୁ ଯିବା କାଠିକର । ରୁଆ କାମ ସାରି ପଞ୍ଜୀକରଣ ପାଇଁ ଗଲାବେଳେ ନେଟ୍ ଡାଉନ୍ ଥିବା ଦର୍ଶାଇ ଫେରାଇ ଦିଆଯାଉଛି ।
ଭଞ୍ଜନଗର ଋଷିକୁଲ୍ୟା ଜଳସେଚନ ପ୍ରଣାଳୀର ମୋଟ ୫୨୩.୫୫୯୯ କିମି କେନାଲ ମାଧ୍ୟମରେ ୩୩.୫୪୪.୫ ହେକ୍ଟର ଚାଷ ଜମି ଜଳସେଚିତ ହେଉଛି । ଭଞ୍ଜନଗର ଜଳଭଣ୍ଡାର ସଂଲଗ୍ନ ୨୫୭.୦୩୬ କିମି କେନାଲ ୧୮୫୯୭.୦୫ ହେକ୍ଟର ଜମିକୁ ଜଳସେଚିତ କରୁଛି । ଡହ ଜଳସେଚ ପ୍ରକଳ୍ପ ଅଧୀନରେ ୧୧୮.୧୮୮ କିମି କେନାଲ ଜରିଆରେ ୬୫୮୦ ହେକ୍ଟର କ୍ଷେତ ଜଳସେଚିତ ହେଉଛି । ବାଘୁଆ ପ୍ରକଳ୍ପ ମାଧ୍ୟମରେ ୧୪୮.୩୩୫ କିମି କେନାଲ ଜରିଆରେ ଜଳସେଚନ ସୁବିଧା ପାଉଛି ୮୩୬୭ ହେକ୍ଟର ଜମି । ବଳକା ଜମିରେ ଚାଷୀ ବର୍ଷା ଉପରେ ନିର୍ଭର କରୁଥିବା ବେଳେ ଚଳିତବର୍ଷ ଏବେ ସୁଦ୍ଧା ଭଲ ବୃଷ୍ଟିପାତ ହୋଇଥିବାରୁ ଭଲ ଖନ୍ଦ ଦେବ ବୋଲି ଭଞ୍ଜନଗର ବ୍ଲକ୍ ମୁଦୁଲିପଲ୍ଲୀ ଗ୍ରାମର ଚାଷୀ ଜଳନ୍ଧର ସ୍ୱାଇଁ କହିଛନ୍ତି । ବିଗତ ବର୍ଷମାନଙ୍କରେ ଠିକଣା ସମୟରେ ବର୍ଷା ଧୋକା ଦେବା କାରଣରୁ ଚାଷୀମାନେ ଧାନ ଫସଲ ବଞ୍ଚାଇବାକୁ ଢେର ପରିଶ୍ରମ କରିଥିଲେ । ରାତି ଉଜାଗର ରହି ମୋଟର ପମ୍ପ୍ ସହାୟତାରେ ଜମିରେ ପାଣି ମଡ଼ାଇ ଧାନ ଫସଲ ଉଠିଆ କରିଥିଲେ । ହେଲେ ଚଳିତବର୍ଷ ଏବେସୁଦ୍ଧା ବର୍ଷା ଭଲ ରହିଥିବା କହିଛନ୍ତି ମଳାସପଦରର ଚାଷୀ ମାଗି ନାୟକ।
ଭଞ୍ଜନଗର କୃଷି ଜିଲ୍ଲାରେ ୩୦୮୪୩ ହେକ୍ଟର ଓ ଭଞ୍ଜନଗର ଉପଖଣ୍ଡରେ ମୋଟ ୫୨,୩୮୦ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରହିଥିବା କହିଛନ୍ତି କୃଷି ଜିଲ୍ଲା ଅଧିକାରୀ ବ୍ୟୋମକେଶ ମିଶ୍ର । ଭଞ୍ଜନଗର ବ୍ଲକ୍ର ୭୬୫୩ ହେକ୍ଟର, ବେଲଗୁଣ୍ଠା ବ୍ଲକ୍ର ୭୨୩୪ ହେକ୍ଟର, ବୁଗୁଡ଼ା ବ୍ଲକ୍ର ୮୦୫୬ ହେକ୍ଟର ଓ ଜଗନ୍ନାଥପ୍ରସାଦ ବ୍ଲକ୍ର ୭୯୦୦ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି । ଏଥିସହ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଆସିକା ବ୍ଲକ୍ରେ ୭୪୧୦ ହେକ୍ଟର, ଧରାକୋଟ ବ୍ଲକ୍ରେ ୬୧୭୫ ହେକ୍ଟର, ଶେରଗଡ଼ ବ୍ଲକ୍ରେ ୭୨୪୯ ହେକ୍ଟର ଓ ସୋରଡ଼ା ବ୍ଲକ୍ରେ ମୋଟ ୭୦୩୪ ହେକ୍ଟର ଜମିରେ ଧାନ ଚାଷ କରାଯାଉଛି । କବିସୂର୍ଯ୍ୟନଗର ବ୍ଲକ୍ରେ ଚଳିତ ବର୍ଷ ୮୨୦୫ ହେକ୍ଟର ଜମିରେ ଧାନ ଚାଷ ହେଉଥିବା ସୂଚନା ରହିଛି ।