ଶେଷ ମେସେଜ ଖୋଲିବ କି ଆତ୍ମହତ୍ୟାର ଗୁମର !

ଭୁବନେଶ୍ୱର, ୨୪/୬ : ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା ଘଟଣାକୁ ସହଜରେ ହଜମ କରିପାରୁ ନାହାନ୍ତି ତାଙ୍କର ଶୁଭେଚ୍ଛୁ । ଏହି ଘଟଣା ସାମ୍ନାକୁ ଆସିବା ପରେ ହଠାତ୍ ସମସ୍ତେ ଯେପରି ସ୍ତବ୍ଧ ହୋଇଯାଇଛନ୍ତି । କେହି ବିଶ୍ବାସ କରିବାକୁ ନାରାଜ । ଠିକ୍ ଏହି ସମୟରେ ଏବେ ରାଇମୋହନଙ୍କ ମୋବାଇଲର ଶେଷ ମେସେଜ ସମସ୍ତଙ୍କ ସମ୍ମୁଖକୁ ଆସିଛି । ଆତ୍ମହତ୍ୟାର ଠିକ୍ କିଛି କ୍ଷଣ ପୂର୍ବରୁ ନିଜ ଝିଅ ଓ ସ୍ତ୍ରୀକୁ ଶେଷ ମେସେଜ କରିଥିଲେ ରାଇମୋହନ । ଯେଉଁଥିରେ ସେ ଲେଖିଥିଲେ ‘ବାଏ’ । ମଞ୍ଚେଶ୍ବର ଥାନା ଅଧିକାରୀ ମୋବାଇଲ ମେସେଜ ବିଷୟରେ ସୂଚନା ଦେଇଛନ୍ତି । ତେବେ କାହିଁକି ଲେଖିଥିଲେ ବାଏ ତାକୁ ନେଇ ଏବେ ବଢୁଛି ସସପେନ୍ସ।
ଏହି ମେସେଜ ଲେଖିବା ପରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିଲେ ରାଇମୋହନ । ରାଇମୋହନଙ୍କ ବନ୍ଧୁ ପରିଜନ କେହି ଏବେ ତାଙ୍କର ଆତ୍ମହତ୍ୟା ଘଟଣାକୁ ମାନିବାକୁ ନାରାଜ ଅଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏହା କ’ଣ ସତ ? ଘଟଣା ପଛରେ କିଛି ପାରିବାରିକ କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି । ସୂଚନା ଥାଉକି, ଆଜି ଭୁବନେଶ୍ୱର ପଳାଶୁଣି ପ୍ରାଚୀ ବିହାର ସ୍ଥିତ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଅଭିନେତା ରାଇମୋହନ ପରିଡ଼ା । ଘଟଣା ପରେ ସାରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ମଞ୍ଚେଶ୍ୱର ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ଟିମ୍ ଛାନଭିନ୍ କରୁଛି ।