ନୂଆଦିଲ୍ଳୀ,୧୧।୩: ମଧ୍ୟପ୍ରାଚ୍ୟରେ ୧୧ ଦିନ ଧରି ଜାରି ସଂଘର୍ଷର ପ୍ରଭାବ ଏବେ ସାରା ଦୁନିଆରେ ଦେଖିବାକୁ ମିଳୁଛି। ଅନ୍ୟ ଦେଶ ସହ ଭାରର ଶକ୍ତି ଯୋଗାଣ ଓ ଇନ୍ଧନ ବଜାର ଏହାଦ୍ବାରା ପ୍ରଭାବିତ ହୋଇଛି। ଭାରତ ଭଳି ଦେଶ ପାଇଁ ଏହି ସ୍ଥିତି ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ ରହିଛି। କାରଣ ଦେଶ ନିଜର ଶକ୍ତି ଆବଶ୍ୟକତାର ବଡ଼ ଅଂଶ ଆମାଦାନୀ ଉପରେ ନିର୍ଭର କରିଥାଏ। ବଢୁଥିବା ଦାମ୍ ଓ ବିଶ୍ବର ସ୍ଥିତି ଭିତରେ ଏବେ ଏହି ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି ଯେ, ଇନ୍ଧନ ବଞ୍ଚାଇବା ପାଇଁ ପୁଣିଥରେ ଓ୍ବାର୍କଫ୍ରମ ହୋମ୍ ଭଳି ବ୍ୟବସ୍ଥା ଲାଗୁ ହୋଇପାରେ।
ଭାରତ ଏବେ ନିଜର ଆବଶ୍ୟକତାର ଦୁଇ ତୃତୀୟାଂଶ ଏଲପିଜି ଆମଦାନୀ କରୁଛି, ଯାହାର ୯୦% ଅଂଶ କତର, ୟୁଏଇ ଓ ସାଉଦି ଆରବ ଭଳି ଦେଶ ରହିଛି। ହୋର୍ମୁଜ ଜଳପଥ ଦେଇ ଏସବୁ ଭାରତ ଆସିଥାଏ। ଇରାନ ବର୍ତ୍ତମାନ ଏହି ରାସ୍ତାକୁ ବନ୍ଦ କରିଦେଇଛି। ଏହି କାରଣରୁ ଏଲପିଜି ଓ ଏଲଏନ୍ଜି ସପ୍ଲାଇ ଠପ୍ ହୋଇଯାଇଛି।
ଏହି ସପ୍ଲାଇ ସଙ୍କଟର ପ୍ରଭାବ ଦେଖିବାକୁ ମିଳିଛି। ମାର୍ଚ୍ଚ ୭ ତାରିଖ ଠାରୁ, ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୬୦ ପ୍ରତିଶତ ବୃଦ୍ଧି ପାଇଛି। ପରିସ୍ଥିତିକୁ ପରିଚାଳନା କରିବା ପାଇଁ, ସରକାର ଦେଶରେ ଇନ୍ଧନ ଅଭାବକୁ ରୋକିବା ପାଇଁ ରିଫାଇନାରୀଗୁଡ଼ିକୁ ୧୦୦% କ୍ଷମତାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିସ୍ଥିତି ମଧ୍ୟରେ, ଇନଭେଷ୍ଟମେଣ୍ଟ ବ୍ୟାଙ୍କର ସାର୍ଥକ ଆହୁଜା ଏକ ଆକର୍ଷଣୀୟ ସମ୍ଭାବନା ଦେଖାଇଛନ୍ତି। ସେ ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଭିଡିଓରେ ସେ କହିଛନ୍ତି ଯେ ଯଦି ଇନ୍ଧନ ସଙ୍କଟ ଗଭୀର ହୁଏ, ତେବେ ସରକାର କିଛି ସମୟ ପାଇଁ ଘରୁ କାମ କରିବାକୁ ନିଷ୍ପତ୍ତି ନେଇପାରନ୍ତି।
ସେ କହିଛନ୍ତି, ଥାଇଲାଣ୍ଡ ଓ ଫିଲିପାଇନ୍ସ ଭଳି ଦେଶରେ କମ୍ପାନୀକୁ ପ୍ରଥମ ପରାମର୍ଶ ଦିଆଯାଇଛି ଯେ,କର୍ମଚାରୀଙ୍କୁ ଓ୍ବାର୍କଫ୍ରମ ହୋମ୍ର ସୁବିଧା ଦିଅନ୍ତୁ ଓ ବିଦେଶ ଯାତ୍ରାକୁ କେବଳ ଜରୁରୀ ସ୍ଥିତି ପର୍ଯ୍ୟନ୍ତ ସୀମିତ ରଖନ୍ତୁ। ଏହା ଏଥିପାଇଁ କରାଯାଉଛି ଯେପରି ଇନ୍ଧନର ଖର୍ଚ୍ଚ କମ୍ ହେବ। ଭାରତରେ ଇଣ୍ଡଷ୍ଟ୍ରୀରେ ବ୍ୟବହାର ହେଉଥିବା ଗ୍ୟାସ୍ ଏବେ ଘରେ ଦିଆଯିବ। ଆଗାମୀ ସମୟରେ ହୋଟେଲ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ ସପ୍ଲାଇ ରୋକି ଦିଆଯାଇପାରେ। ଏହାଛଡା ଜେଟ୍ ଫୁଏଲ କମ୍ କାରଣରୁ ବିମାନ ଭଡା ବଢିବାର ସମ୍ଭାବନା ରହିଛି।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଭବିଷ୍ୟତରେ ଭାରତକୁ ରୋଷେଇ ଇନ୍ଧନ ପାଇଁ ଏଲପିଜି ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ପଡିବ। ଏହି କାରଣରୁ ଇଲେକ୍ଟ୍ରିକ୍ ଇଣ୍ଡକ୍ସନ ଚୁଲା ଏବଂ ଇ-କୁକିଂ ଭଳି ବିକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ଯେଉଁ ପରିବାର ଗୁଡ଼ିକର ପୂର୍ବରୁ ଇଣ୍ଡକ୍ସନ ଚୁଲା ଅଛି କିମ୍ବା ସେମାନେ ଏହାକୁ କିଣିପାରିବେ, ସେମାନଙ୍କୁ ଏଲପିଜି ବଦଳରେ ଏହାକୁ ବ୍ୟବହାର କରିବାକୁ ଉତ୍ସାହିତ କରାଯାଇପାରିବ। ଉଲ୍ଲେଖନୀୟ ଯେ,ନୀତି ଆୟୋଗର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ରନ୍ଧନ ଇନ୍ଧନରେ ଏଲପିଜିର ଅଂଶ ୨୦୪୭ ସୁଦ୍ଧା ପ୍ରାୟ ୧୫% ପହଞ୍ଚିପାରେ। ଏଥିପାଇଁ ଆଗାମୀ ୧୦ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆବଶ୍ୟକ ହେବ।