ଗିଫ୍ଟ ଲୋଭରେ ସାଇବର ଠକଙ୍କ ଶିକାର ହେଲେ ଯୁବତୀ, ମାଇଗ୍ଲାମ୍ ଆପ୍ ନାମ ବ୍ୟବହାର କରି ନେଇଗଲେ ୧.୧୯ ଲକ୍ଷ ଟଙ୍କା

ବ୍ରହ୍ମପୁର : ସାଇବର ଠକଙ୍କ ରାଜୁତି ଥମିବାର ନାଁ ହିଁ ନେଉନାହିଁ । ସାଧାରଣ ଲୋକଙ୍କୁ ଠକାମୀର ଶିକାର ଜାରି ରଖିଥିବା ବେଳେ ସାଇବର ଥାନାରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେଉଛି। ହେଲେ କୌଣସି ମାମଲାରେ ସାଇବର ଠକଙ୍କୁ ପୁଲିସ ଧରିବାରେ ସଫଳ ହେଉନାହିଁ। ଯାହା ଫଳରେ ଠକର ଶିକାର ହୋଇଥିବା ଲୋକେ ଥାନାରେ ଏତଲା ଦେଇ ଚୁପ୍ ହୋଇ ବସୁଥିବା ବେଳେ ପୁଲିସ ମଧ୍ୟ ଏତଲା ରଖି ହାତ ବାନ୍ଧି ବସୁଛି।
ଅନ୍ୟପକ୍ଷରେ ସାଧାରଣ ଲୋକଙ୍କୁ ବାରମ୍ବାର ସାଇବର ଠକଙ୍କ କଳାକାରନାମାକୁ ନେଇ ବିଭିନ୍ନ ଖବର କାଗଜ ଓ ଟିଭିରେ ପ୍ରସାରିତ ଓ ପ୍ରକାଶ ହେବା ପରେ ମଧ୍ୟ ଲୋକେ ସଚେତନ ନ ହୋଇ ସାଇବର ଠକଙ୍କ ଜାଲରେ ପଡୁଛନ୍ତି। ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ମୁଖ୍ୟ ରାସ୍ତା ନିକଟରେ ରହୁଥିବା ଜୈନେକା ଯୁବତୀ ଅନୁଶ୍ରୀ ପାଢୀ ମଧ୍ୟ ବର୍ତ୍ତମାନ ସାଇବର ଠକଙ୍କ ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଅନୁଶ୍ରୀଙ୍କୁ ମାଇ ଗ୍ଲାମ୍ ଆପ୍ଲିକେସନ୍ରୁ ଜଣେ ବ୍ୟକ୍ତି ଫୋନ୍ କରିଥିଲେ। ସେ କହିଥିଲେ ଯେ, ଏହି ଆପ୍ ଜରିଆରେ ଆପଣ ୪,୯୯୯ ଟଙ୍କାର ସାମଗ୍ରୀ କିଣିଲେ ଏକ ଭଲ ଉପହାର ମିଳିବ। ଏଣୁ ଆପଣ କଣ କଣ ସାମଗ୍ରୀ କିଣିବେ ତାହାର ଏକ ତାଲିକା ସ୍କ୍ରିନ୍ ସଟ୍ ମାଧ୍ୟମରେ ତାଙ୍କ ମୋବାଇଲ୍କୁ ପଠାଇବାକୁ ବ୍ୟକ୍ତି ଜଣକ ଅନୁଶ୍ରୀଙ୍କୁ କହିଥିଲେ।
ସୂଚନା ଅନୁସାରେ, କିଛି ମାସ ପୂର୍ବେ ଅନୁଶ୍ରୀ ଉକ୍ତ ଆପ୍ ଜରିଆରେ କିଛି ସାମଗ୍ରୀ ଅର୍ଡର କରି ତାହା ସଫଳତାର ସହ ପାଇଥିଲେ। ବ୍ୟକ୍ତି ଜଣକ ଅନୁଶ୍ରୀଙ୍କୁ ଫୋନ୍ କରିବା ବେଳେ ତାଙ୍କ ନାମ ଓ ଠିକଣା ସମ୍ପର୍କରେ କହିଥିଲେ। ଯାହା ଫଳରେ ଅନୁଶ୍ରୀଙ୍କ ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ୱାସ ଜନ୍ମିଥିଲା । ଅନୁଶ୍ରୀ ଉକ୍ତ ଆପ୍ ଜରିଆରେ କିଛି ସାମଗ୍ରୀ ଚୟନ କରି ତାହାର ସ୍କ୍ରିନ୍ ସଟ୍ ନେଇ ଫୋନ କରିଥିବା ଉକ୍ତ ଅଜଣା ବ୍ୟକ୍ତିଙ୍କ ମୋବାଇଲ୍କୁ ପଠାଇଥିଲେ। ଏହାପରେ ଉକ୍ତ ଅଜଣା ବ୍ୟକ୍ତି ଜଣକ ଅନୁଶ୍ରୀଙ୍କ ନିକଟକୁ ଆକାଉଣ୍ଟ ନମ୍ବର ଓ ଆଇଏଫସି କୋର୍ଡ ପଠାଇଥିଲେ। ପରେ ଅନୁଶ୍ରୀ ଗୁଗୁଲ୍ ପେ ଜରିଆରେ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ଯେତେ ଥର ଟଙ୍କା ଗୁଗୁଲପେ’ରେ ପଠାଇଲେ ମଧ୍ୟ ବ୍ୟକ୍ତି ଜଣକ ତାହା ପାଇନଥିବା କହୁଥିଲେ ଏବଂ ବାରମ୍ବାର ଚେଷ୍ଟା କରିବା ପାଇଁ କହୁଥିଲେ।
ଇତି ମଧ୍ୟରେ ଅନୁଶ୍ରୀ ଗୁଗୁଲ୍ ପେ ଜରିଆରେ ପାଞ୍ଚ ଥରରେ ପର୍ଯ୍ୟାୟକ୍ରମେ ୯୪ ହଜାର ୫୪୫ ଟଙ୍କା ପଠାଇଥିଲେ । ଟଙ୍କା ପାଇ ମଧ୍ୟ ବ୍ୟକ୍ତି ଜଣକ ଟଙ୍କା ତାଙ୍କ ଆକାଉଣ୍ଟନକୁ ଆସୁ ନଥିବା କହୁଥିଲେ। ଏହାପରେ ଅଜଣା ବ୍ୟକ୍ତି ଜଣକ ଆଉ ଏକ ନମ୍ବର ଦେବା ପରେ ସେହି ଆକାଉଣ୍ଟରେ ଅନୁଶ୍ରୀ ଆଇଏମପିଏସ୍ ଜରିଆରେ ପୁଣି ୨୪ ହଜାର ୯୯୮ ପଠାଇଥିଲେ। ଏହିଭଳି ଅନୁଶ୍ରୀ ଏକ ଲକ୍ଷ ୧୯ ହଜାର ୫୪୩ ଟଙ୍କା ପଠାଇ ସାରିଥିଲେ । ଏତେ ପରିମାଣର ଟଙ୍କା ପଠାଇବା ପରେ ଅନୁଶ୍ରୀ ସାଇବର ଠକଙ୍କ ଶିକାର ହୋଇଥିବା ଜାଣି ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।