ରାଜଗାଙ୍ଗପୁର, ୧୬/୮ : ଘରୋଇ କଳହକୁ ନେଇ ସ୍ୱାମୀକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲା ସ୍ତ୍ରୀ। ଜଣେ ଭିନ୍ନକ୍ଷମ ପୁରୁଷ ସହଯୋଗୀ ସହ ମିଶି ରଚିଥିଲା ଷଡ଼ଯନ୍ତ୍ର। ତଦନ୍ତ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ।    ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାଣି ଗ୍ରାମ ତୁରୀଟୋଲି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ମୃତକ ଜଣକ ବାବୁଲାଲ ଲାକ୍ରା (୫୮ ବର୍ଷ)।   ଅଭିଯୁକ୍ତ ସ୍ତ୍ରୀ ସିଂଘି ଲାକ୍ରା (୫୫ବର୍ଷ)ଙ୍କୁ ପୁଲିସ ଗିରଫ କରିଛି।

ସୂଚନାନୁଯାୟୀ, ଗତ ୯ ତାରିଖ ରାଖୀ ପୂର୍ଣ୍ଣିମାରେ ମାଛ ତରକାରୀକୁ ନେଇ ତୁରୀଟୋଲି ଅଞ୍ଚଳର ବାବୁଲାଲ ଲାକ୍ରା ଓ ସ୍ତ୍ରୀ ସିଂଘିଙ୍କ ମଧ୍ୟରେ ଝଗଡା ହୋଇଥିଲା। ସ୍ୱାମୀ ମଦ ପିଇ ଖାଇବା ଥାଳିକୁ ଗୋଇଠା ମାରିବା ସହ ସ୍ତ୍ରୀ ସିଂଘିକୁ ମାଡ଼ ମାରିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀ ସିଂଘି ଘରେ ପଡିଥିବା ଏକ ଫାର୍ସାରେ ପଛ ପଟୁ ବାବୁଲାଲର ମୁଣ୍ଡ ଓ ବେକକୁ ଆଘାତ କରିଥଲା । ଯାହାଫଳରେ ବାବୁଲାଲ ଅଚେତ୍ ହୋଇ ପଡି ଯାଇଥିଲା। ସ୍ୱାମୀ ମରି ଯାଇଥିବା ଭାବି ସିଂଘି ଅନ୍ୟ ଜଣେ ପୁରୁଷ ସହଯୋଗୀ କୁନ୍ଦା ସହ ମିଶି ସ୍ୱାମୀଙ୍କ ବେକରେ ରଶି ଲଗାଇ ରାତିରେ ଘର ବାହାରେ ଏକ ଆମ୍ଵ ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲା। ଅଗଷ୍ଟ ୧୦ ତାରିଖରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।  ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। 

ପରବର୍ତ୍ତୀ ସମୟରେ ମୃତ ବାବୁଲାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ସ୍ତ୍ରୀ ସିଂଘି ନିଜ ଦୋଷ ସ୍ୱୀକାର କରିଥିଲା। ଘଟଣା ସ୍ଥଳରେ ପୁଲିସ ସିନ୍ ରିକ୍ରିଏସନ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଫାର୍ସା ଓ ରଶିକୁ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀ ସିଂଘିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଦିବ୍ୟାଙ୍ଗ ସହଯୋଗୀ କୁନ୍ଦା ଫେରାର ଥିବା ବେଳେ ପୁଲିସ ତାକୁ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛି।