ପୋଲସରା,୧୩/୦୯: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଛାଇ ଗ୍ରାମ ପଞ୍ଚାୟତ ଡୋଙ୍ଗରି ଗ୍ରାମରେ ଅଘଟଣ । ବାରହା ଆକ୍ରମଣରେ ବୃଦ୍ଧା ମୃତ । ମୃତ ବୃଦ୍ଧା ଜଣ ୬୫ ବର୍ଷୀୟା ପଦ୍ମାବତୀ ପୋଲେଇ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ,ମୃତ ବୃଦ୍ଧା ଜଣକ ନିଜ ଚାଷ ଜମିକୁ ଚାଷ କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଚାଷ ଜମିକୁ ଯାଇ ଖୋଜା ଖୋଜି କରିବା ପରେ ନିଜ ଜମିରେ ପଦ୍ମାବତୀ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ପୋଲସରା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବାରହା ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ଆଲୋଚନା ହେଉଛି। ଏନେଇ ପୁଲିସ ଓ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲାପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି। ଯଦି ବାରହା ଆକ୍ରମଣରେ ବୃଦ୍ଧା ଜଣକ ମୃତ୍ୟୁବରଣ କରିଥିବେ ତେବେ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ମିଳିବ ବୋଲି ବନବିଭାଗର ଅଧିକାରୀ ସୂଚନା ଦେଇଛନ୍ତି ।