ନୂଆଦିଲ୍ଲୀ,୦୭/୦୩; ଘରୋଇ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା କ୍ରିକେଟ୍ ଦଳ ମଧ୍ୟରେ ଆରମ୍ଭ ହୋଇଥିବା ଏକମାତ୍ର ଦିବା-ରାତ୍ର ଟେଷ୍ଟ ସଂଘର୍ଷପୂର୍ଣ୍ଣ ହୋଇଛି । ପ୍ରଥମ ଦିବସରେ ମୋଟ ୧୩ଟି ୱିକେଟର ପତନ ଘଟିଛି । ପିଙ୍କ୍ ବଲ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯୮ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ୩/୯୬ରନ୍ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା ଏଲିସ୍ ପେରୀ ୪୩ ଓ ଆନାବେଲ ସୁଦରଲାଣ୍ଡ ୨୦ରନ୍ କରି ଅପରାଜିତ ରହିଛନ୍ତି ।

ଅଷ୍ଟ୍ରେଲିଆ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଜଣାଇଥିଲା । ଭାରତ ପକ୍ଷରୁ କ୍ରାନ୍ତି ଗୌଡ଼, କାଶଭୀ ଗୌତମ, ପ୍ରତୀକା ରାୱଲ ଓ ସାୟଲି ସତଘରେ ଟେଷ୍ଟ ପଦାର୍ପଣ କରିଥିଲେ । ଓପନିଂ ଯୋଡ଼ି ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ୧୮ରନ୍ ସଂଗ୍ରହ କରିଥିଲେ । ପଦାର୍ପଣ ମ୍ୟାଚ୍ ଖେଳୁଥିବା ଲୁସି ହାମିଲଟନ ଷଷ୍ଠ ଓଭରରେ ମନ୍ଧନାଙ୍କୁ (୪) ଆଉଟ୍ କରିଥିଲେ । ନବାଗତା ପ୍ରତୀକା ଅପରାଜିତ ଶେଫାଳିଙ୍କ ସହ ମିଶି ସ୍କୋରକୁ ୫୪ରେ ପହଞ୍ଚାଇଥିଲେ । ଶେଫାଳି ୬ଚୌକା ବଳରେ ୩୫ରନ୍ କରି ଆଉଟ୍ ହୋଇଥିଲେ । ପରେ ପରେ ପ୍ରତୀକା ୧୮ରନ୍ କରି ବିଦାୟ ନେଇଥିଲେ । ଅଧିନାୟିକା ହର୍ମନପ୍ରୀତ କୌର (୧୯) ମଧ୍ୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ । ଦ୍ୱିତୀୟ ୱିକେଟର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଜେମିମା ରୋଡ୍ରିଗ୍ସ ଗୋଟିଏ ପଟେ ୱିକେଟ ବଞ୍ଚାଇ ରଖିଥିବାବେଳେ ଅନ୍ୟ ପଟରେ ନିୟମିତ ୱିକେଟ ପତନ ଘଟିଥିଲା । ଦୀପ୍ତି ଶର୍ମା (୭), ରିଚା ଘୋଷ (୧୧) ପାଭିଲିୟନକୁ ଲାଇନ୍ ଲଗାଇଥିଲା । ରୋଡ୍ରିଗ୍ସ ୫୨ (୭ଚୌକା) ରନ୍ କରି ଆଉଟ୍ ହେବା ବେଳକୁ ଭାରତ ୧୫୦ରନ୍ରେ ୭ଟି ୱିକେଟ ହରାଇ ସାରିଥିଲା । ନିମ୍ନକ୍ରମରେ କାଶଭୀ ଅପରାଜିତ ୩୪ ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୧୯୮ରେ ପହଞ୍ଚିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆନାବେଲ ସୁଦରଲାଣ୍ଡ ୪ଟି, ଲୁସି ହାମିଲଟନ ୩ ଓ ଡାର୍ସି ବ୍ରାଉନ ୨ଟି ୱିକେଟ୍ ନେଇଥିଲେ ।

ଏହା ବି ପଢନ୍ତୁ...ଯେବେ ଗୌତମ ଗମ୍ଭୀରଙ୍କ ସହ ପ୍ରେମିକାଙ୍କୁ ସାକ୍ଷାତ କରାଇଲେ ହାର୍ଦ୍ଦିକ...

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ବ୍ୟାଟିଂ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୫୮ରନ୍ ମଧ୍ୟରେ ଦଳ ୩ଟି ୱିକେଟ୍ ହରାଇଥିଲା । ସାୟଲି ତୃତୀୟ ଓଭରରେ ଜର୍ଜିୟା ଭୋଲଙ୍କୁ (୨) ଏବଂ କ୍ରାନ୍ତି ୧୨ତମ ଓଭରରେ ଫୋଏବ୍ ଲିଚଫିଲ୍ଡଙ୍କୁ (୯)ଙ୍କୁ ପାଭିଲିୟନ ପଠାଇଥିଲେ । ସେହିପରି ବିଦାୟୀ ମ୍ୟାଚ୍ ଖେଳୁଥିବା ଆଲିସା ହିଲି (୧୩)ଙ୍କୁ ଆଉଟ୍ କରି ସାୟଲି ଉନ୍ମାଦନା ଖେଳାଇଥିଲେ । ଏହାପରେ ପେରୀ ଓ ସୁଦରଲାଣ୍ଡ ଦିବସର ଷ୍ଟମ୍ପ ଘୋଷଣା ପର୍ଯ୍ୟନ୍ତ ଅପରାଜିତ ରହି ସ୍କୋର ୩/୯୬ରେ ପହଞ୍ଚାଇଥିଲେ ।