ନୂଆଦିଲ୍ଲୀ,୧୮/୦୪; ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଦଳ ପରାଜୟ ସହ ଅଭିଯାନ ଆରମ୍ଭ କରିଛି । ଗୁରୁବାର ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟିରେ ଘରୋଇ ଦଳ ୬ ୱିକେଟ୍ରେ ଭାରତକୁ ପରାସ୍ତ କରିଥିଲା । ବୋଲିଂ ବିଭାଗର ଶୃଙ୍ଖଳିତ ବୋଲିଂ ସାଙ୍ଗକୁ ଅଧିନାୟିକା ଲୌରା ଉଲଭାର୍ଟଙ୍କ ଅର୍ଦ୍ଧଶତକ ବଳରେ ଦଳର ବିଜୟ ସହଜ ହୋଇଥିଲା । ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଆୟାବୋଙ୍ଗା ଖାଖା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଦକ୍ଷିଣ ଆଫ୍ରିକାଠୁ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ୭ ୱିକେଟ୍ ହରାଇ ୧୫୭ରନ୍ ସଂଗ୍ରହ କରିଥିଲା । ଉପଅଧିନାୟିକା ସ୍ମୃତି ମନ୍ଧନା (୧୩) ବିଫଳ ହୋଇଥିଲେ ।
ଅନ୍ୟ ଓପନର ଶେଫାଳି ବର୍ମା ୨୦ ବଲ୍ରେ ୩୪ (୫ଚୌକା, ୧ଛକା), ଜେମିମା ରୋଡ୍ରିଗ୍ସ ୩୬ (୨ଚୌକା, ୧ଛକା), କାଶଭୀ ଗୌତମ ୧୦ ଓ ଅଧିନାୟିକା ହର୍ମନପ୍ରୀତ କୌର ୩୩ବଲ୍ରେ ଅପରାଜିତ ୪୭ (୫ଚୌକା, ୧ଛକା) ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟାବୋଙ୍ଗା ଖାଖା ୧୬ ରନ୍ ପ୍ରଦାନ କରି ୩ଟି ୱିକେଟ୍ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟୁମି ସେଖୁଖୁନେ ୨ଟି ଓ ନନ୍କୁଲୁଲେକୋ ମ୍ଲାବା ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ୧୫୮ରନ୍ ବିଜୟ ଲକ୍ଷ୍ୟ ନେଇ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲେ । ଦଳ ୫ଟି ବଲ୍ ବାକି ଥାଇ ୪ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା ।
South Africa win the first T20I by six wickets.#TeamIndia's focus now shifts to the 2⃣nd T20I on Sunday.
— BCCI Women (@BCCIWomen) April 17, 2026
Scorecard ▶️ https://t.co/gQymmRhJci#SAvIND pic.twitter.com/E7rPbCmmb9
ଏହା ବି ପଢନ୍ତୁ...ଗୁଜରାଟ ବିଜୟ ପରେ ବି କାହିଁକି ନିରାଶ କ୍ୟାପ୍ଟେନ୍ ଶୁଭମନ ଗିଲ୍ ? ଜାଣନ୍ତୁ ନୂଆ ଲୁକ୍କୁ ନେଇ କଣ କହିଲେ...
ଉଲଭାର୍ଟ ୮ଚୌକା ବଳରେ ୫୧ ରନ୍ କରିଥିବାବେଳେ ସୁନି ଲସ୍ ୧୩, ତଜ୍ମିନ ବ୍ରିଟ୍ସ ୧୦, ଆନେକ ବସ୍କ ୮, ଆନେରି ଡେରେକସନ୍ ଅପରାଜିତ ୪୪ (୪ଚୌକା, ୧ଛକା) ଓ ଚୋଲେ ଟ୍ରିୟନ ଅପରାଜିତ ୧୮ରନ୍ କରିଥିଲେ । ଭାରତ ପକ୍ଷରୁ ଶ୍ରେୟଙ୍କା ପାଟିଲ ୨ଟି ଏବଂ ଅରୁନ୍ଧତୀ ରେଡ୍ଡୀ ଓ ଶ୍ରୀ ଚରଣୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଆସନ୍ତକାଲି ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଖେଳାଯିବ । ଜୁନ ୧୨ରୁ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ ଆରମ୍ଭ ହେବ । ଦିନିକିଆ ମହିଳା ବିଶ୍ୱକପ ଜିତିଥିବା ଭାରତ ପାଇଁ ଏହା ଏକ ପରୀକ୍ଷା ହେବ ।