ନୂଆଦିଲ୍ଲୀ,୨୯/୧୨; ଘରୋଇ ଭାରତ ଓ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଖେଳାଯାଉଥିବା ଟିଟ୍ୱେଣ୍ଟି ସିରିଜରେ ଭାରତର ଆଧିପତ୍ୟ ଜାରି ରହିଛି । ରବିବାର ଅନୁଷ୍ଠିତ ଚତୁର୍ଥ ମୁକାବିଲାରେ ଭାରତ ୩୦ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦଳ ୨ ୱିକେଟ୍ ବିନିମୟରେ ୨୨୧ ରନ ସଂଗ୍ରହ କରିଥିଲା । ଯାହା ମହିଳା ଟି-ଟ୍ୱେଣ୍ଟିରେ ଭାରତର ସର୍ବାଧିକ ଦଳୀୟ ସ୍କୋର ଥିଲା । ଜବାବରେ ଶ୍ରୀଲଙ୍କା ୬ ୱିକେଟ୍ ହରାଇ ୧୯୧ ରନ କରିବାକୁ ସକ୍ଷମ ହୋଇଥିଲା । ମ୍ୟାଚ୍ ବିଜୟୀ ଅର୍ଦ୍ଧଶତକ ପାଇଁ ସ୍ମୃତି ମନ୍ଧନା ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଶ୍ରୀଲଙ୍କା ପାଇଁ ମହଙ୍ଗା ପଡ଼ିଥିଲା । ଭାରତୀୟ ଦଳ ବିସ୍ଫୋରକ ବ୍ୟାଟିଂ କରି ବିଶାଳ ସ୍କୋର ସଂଗ୍ରହ କରିବାରେ ସଫଳ ହୋଇଥିଲା । ଦୁଇ ଓପନର ଶେଫାଳି ବର୍ମା ଓ ସ୍ମୃତି ମନ୍ଧନା ଶ୍ରୀଲଙ୍କା ବୋଲରଙ୍କୁ ନିର୍ମମ ପ୍ରହାର କରି ପ୍ରଥମ ୱିକେଟ୍‌ରେ ରେକର୍ଡ ୧୬୨ ରନ ସଂଗ୍ରହ କରିଥିଲେ । ୪୬ଟି ବଲ୍‌ରୁ ୧୨ଚୌକା ଓ ୧ ଛକା ବଳରେ ଶେଫାଳି ୭୯ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ପରେ ପରେ ମନ୍ଧନା ୪୮ଟି ବଲ୍‌ରୁ ୧୧ଚୌକା ଓ ୩ ଛକା ବଳରେ ୮୦ ରନ କରି ପାଭିଲିୟନ ଫେରିଥିଲେ । ପ୍ରଥମ ୱିକେଟ୍‌ ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ରିଚା ଘୋଷ ଧୂଆଁଧାର ବ୍ୟାଟିଂ କରି ମାତ୍ର ୧୬ଟି ବଲ୍‌ରୁ ଅପରାଜିତ ୪୦ (୪ଚୌକା, ୩ଛକା) ରନ ସଂଗ୍ରହ କରିବା ଫଳରେ ଦଳୀୟ ସ୍କୋର ୨୨୧ରେ ପହଞ୍ଚିଥିଲା । ହର୍ମନପ୍ରୀତ କୌର ୧୬ କରି ଅପରାଜିତ ରହିଥିଲେ ।

ଶ୍ରୀଲଙ୍କା ମଧ୍ୟ ଲଢୁଆ ଜବାବ ଦେଇଥିଲା । ଦୁଇ ଓପନର ହାସିନି ପେରେରା ଓ ଚାମରି ଆଟ୍ଟାପଟୁ ୫୯ ରନ୍‌ର ଭାଗିଦାରୀ ଗଠନ କରିଥିଲେ । ହାସିନି ୩୩ (୭ଚୌକା) ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଆଟ୍ଟାପଟୁ ୩୭ଟି ବଲ୍‌ରୁ ୩ଚୌକା ଓ ୩ଛକା ବଳରେ ୫୨ ରନ କରି ପାଭିଲିୟନ ଫେରିଥିଲେ । ପରବର୍ତ୍ତୀ ବ୍ୟାଟରମାନେ ମଧ୍ୟ ଦ୍ରୁତ ରନ ସଂଗ୍ରହ କରିଥିଲେ । ହେଲେ  ଭାରତର ଶୃଙ୍ଖଳିତ ବୋଲିଂ ଜାରି ରଖି ନିୟମିତ ବ୍ୟବଧ।ନରେ  ୱିକେଟ୍ ହାତେଇବାରେ ସଫଳ ହୋଇଥିଲା । ଶେଷରେ ଶ୍ରୀଲଙ୍କା ୬ ୱିକେଟ୍ ହରାଇ ୧୯୧ ରନ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଇମେଶା ଦୁଲାନି ୨୯, ହର୍ଷିତା ସମରବିକ୍ରମା ୨୦, କବିଶା ଦିଲହାରୀ ୧୩, ନୀଳକ୍ଷିକା ସିଲଭା ଅପରାଜିତ ୨୩ ରନ କରିଥିଲେ । ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ଓ ବୈଷ୍ଣବୀ ଶର୍ମା ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ଶ୍ରୀଚରଣୀ ଗୋଟିଏ ୱିକେଟ୍ ନେଇଥିଲେ ।

୧୦,୦୦୦ ଅନ୍ତର୍ଜାତୀୟ ରନ କ୍ଲବରେ ମନ୍ଧନା- ଭାରତୀୟ ମହିଳା ଦଳର ଉପ ଅଧିନାୟିକା ସ୍ମୃତି ମନ୍ଧନା ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି । ସେ ବିଶ୍ୱର ଚତୁର୍ଥ ଓ ଭାରତର ଦ୍ୱିତୀୟ ମହିଳା କ୍ରିକେଟ୍ ଖେଳାଳି ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦,୦୦୦ ରନ ପୂରଣ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲାରେ ସେ ୪୮ଟି ବଲ୍ର ସାମ୍ନା କରି ୧୧ଚୌକା ଓ ୩ଛକା ବଳରେ ୮୦ ରନ କରିଥିଲେ । ଏହି ଇନିଂସ ସହ ସେ ୧୦,୦୦୦ ରନ କ୍ଲବରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ କେବଳ ମିଥାଲି ରାଜ, ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ଓ ଇଂଲଣ୍ଡର ଚାର୍ଲୋଟି ଏଡୱାର୍ଡ୍ସ ଏହି ସଫଳତା ଅର୍ଜନ କରିଥିଲେ । ସୂଚନାଯୋଗ୍ୟ, ମିଥାଲି ଅନ୍ତର୍ଜାତୀୟ କ୍ରିକେଟ୍ରେ ସର୍ବାଧିକ ୧୦,୮୬୮ ରନ ସଂଗ୍ରହ କରିଛନ୍ତି । ବେଟ୍ସ ୧୦,୬୫୨ ରନ ଓ ଏଡୱାର୍ଡ୍ସ ୧୦,୨୭୩ ରନ ସଂଗ୍ରହ କରି ତାଲିକାର ପରବର୍ତ୍ତୀ ୨ଟି ସ୍ଥାନରେ ରହିଛନ୍ତି ।

​​​​​​​

ମନ୍ଧନା-ଶେଫାଳିଙ୍କ ଭାଗିଦାରୀ ରେକର୍ଡ- ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତୀୟ ଦଳର ଦୁଇ ଓପନର ସ୍ମୃତି ମନ୍ଧନା ଓ ଶେଫାଳି ବର୍ମା ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି । ଉଭୟ ପ୍ରଥମ ୱିକେଟ୍ ଭାଗିଦାରୀରେ ୧୬୨ ରନ ସଂଗ୍ରହ କରିଥିଲେ । ଟି-ଟ୍ୱେଣ୍ଟି ଫର୍ମାଟ୍ରେ ଏହା ଯେକୌଣସି ୱିକେଟ୍ରେ ମଧ୍ୟ ସର୍ବାଧିକ ଭାଗିଦାରୀ ରହିଥିଲା । ପୂର୍ବରୁ ମଧ୍ୟ ଏହି ରେକର୍ଡ ଉଭୟଙ୍କ ନାମରେ ରହିଥିଲା । ଉଭୟ ୨୦୧୯ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୧୪୩ ରନ୍ର ଓପନିଂ ଭାଗିଦାରୀ ଗଠନ କରିଥିଲେ । ଆଜି ମନ୍ଧନା ୪୮ଟି ବଲ୍ରୁ ୮୦ ଓ ଶେଫାଳି ୪୬ଟି ବଲ୍ର ୭୯ ରନ ସଂଗ୍ରହ କରିଥିଲେ ।