ରାଜଗିର,୧୨/୧୧: ଆୟୋଜିକ ଭାରତ ମହିଳା ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି ହକିର ଉଦ୍‌ଘାଟନୀ ମ୍ୟାଚ୍‌ରେ ୪-୦  ଗୋଲରେ ମାଲେସିଆକୁ ପରାଜିତ  କରିଛି । ସଙ୍ଗୀତା କୁମାରୀ ଡବଲ ଗୋଲ୍‌  ଦେଇ ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା  ଗ୍ରହଣ କରିଥିଲେ । ଅନ୍ୟ ୨ଟି ମ୍ୟାଚ୍‌ରେ ଚୀନ ୧୫-୦ ଗୋଲରେ ଥାଇଲାଣ୍ଡକୁ  ହରାଇଥିବାବେଳେ ଜାପାନ ଓ କୋରିଆ  ମଧ୍ୟରେ ମ୍ୟାଚ୍‌ ୨-୨ ଗୋଲରେ  ଅମୀମାଂସିତ ରହିଥିଲା। 

ଭାରତ ଓ ମାଲେସିଆ ମ୍ୟାଚ୍‌  ଏକତରଫା ଥିଲା । ଅଷ୍ଟମ ମିନିଟ୍‌ରେ  ସଙ୍ଗୀତା କୁମାରୀ ଘରୋଇ ଦଳର  ଗୋଲ ଖାତା ଖୋଲିଥିଲେ । କିନ୍ତୁ ମାଲେସିଆ ପ୍ରଥମ କ୍ୱାର୍ଟରର ପରବର୍ତ୍ତୀ  ସମୟ ଏବଂ ଦ୍ୱିତୀୟ କ୍ୱାର୍ଟରରେ କଡ଼ା  ଟକ୍କର ଦେବାରୁ ଖେଳ ସଂଘର୍ଷପୂର୍ଣ୍ଣ  ହୋଇଥିଲା । ମାତ୍ର ତୃତୀୟ ଓ ଚତୁର୍ଥ  କ୍ୱାର୍ଟରରେ ଭାରତ ଆଉ ୩ଟି ଗୋଲ୍‌  ଦେଇ ମ୍ୟାଚ୍‌ ଜିତି ନେଇଥିଲା । ୪୩  ମିନିଟରେ ପ୍ରୀତି ଦୁବେ, ୪୪ ମିନିଟରେ ଉଦିତା ଦୁହାନ ଏବଂ ୫୫ ମିନିଟରେ  ସଙ୍ଗୀତା ଗୋଲ୍‌ ସ୍କୋର କରିଥିଲେ ।ମାଲେସିଆ ବହୁ ପ୍ରୟାସ ସତ୍ତେ୍ୱ ଖାତା  ଖୋଲିବାରେ ସମର୍ଥ ହୋଇନଥିଲା ।  ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ମଙ୍ଗଳବାର ଦକ୍ଷିଣ କୋରିଆକୁ ଭେଟିବ।