ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଆହୁରି ଜୋରଦାର ହେବ ମାଓ ଦମନ ଅପରେସନ୍, ବର୍ଷାଋତୁରେ ନକ୍ସଲଙ୍କୁ ଶୁଆଇ ଦେବୁନି: ଅମିତ ଶାହ

Published By : Prameya | June 23, 2025 1:23 PM

Image Courtesy: abplive

ରାୟପୁର ୨୩/୦୬: ପ୍ରତିବର୍ଷ  ବର୍ଷାଋତୁରେ ନକ୍ସଲ ବିରୋଧୀ ଅଭିଯାନ ବନ୍ଦ ରହିଥାଏ । ଯାହାଫଳରେ ନକ୍ସଲମାନେ  ଶାନ୍ତିରେ ଶୋଇଥାନ୍ତି । କିନ୍ତୁ ଚଳିତବର୍ଷ ନକ୍ସଲ ଦମନ ଅଭିଯାନ ଜାରି ରହିବ । ନକ୍ସଲମାନଙ୍କୁ  ଏଥର ବର୍ଷାଋତୁରେ ଶୁଆଇ ଦେବୁନାହିଁ ।  ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ  କରାଯିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ  ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । 

ଛତିଶଗଡର ରାୟପୁର ଠାରେ ଶାହ ରବିବାର ଏକ ଉଚ୍ଚସ୍ତରୀୟ ବୈଠକରେ ନକ୍ସଲ ବିରୋଧୀ  ଅପରେସନର ସମୀକ୍ଷା କରିଥିଲେ । ବୈଠକରେ ଛତିଶଗଡ ସମେତ ଓଡ଼ିଶା, ତେଲଙ୍ଗାନା,  ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ପୁଲିସ ଡିଜି  ଓ ଅତିରିକ୍ତ ଡିଜି ସ୍ତରୀୟ ବରିଷ୍ଠ ଅଧିକାରୀ  ଯୋଗଦେଇଥିଲେ । ବୈଠକରେ ନକ୍ସଲ  ଦମନର ବର୍ତ୍ତମାନ ସ୍ଥିତି, ରାଜ୍ୟମାନଙ୍କ ମଧ୍ୟରେ  ସମନ୍ୱୟ, ଗୁଇନ୍ଦା ବ୍ୟବସ୍ଥାକୁ ମଜଭୁତ କରିବା  ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର  ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି  ଅବସରରେ ଶାହ କହିଥିଲେ ନକ୍ସଲଙ୍କ ସହିତ  ଆଉ କଥାବାର୍ତ୍ତା କରିବାର ପ୍ରଶ୍ନ ଉଠୁନାହିଁ ।  ସେମାନେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି  ଦେଶର ବିକାଶ ପ୍ରକ୍ରିୟାରେ ସାମିଲ ହେବା ଉଚିତ । ଯେଉଁମାନେ ଆତ୍ମସମର୍ପଣ କରାଯିବ  ସେମାନଙ୍କୁ ସ୍ୱାଗତ କରାଯିବ । ରାଜ୍ୟ ସରକାରଙ୍କ  ପକ୍ଷରୁ ସବୁଠାରୁ ଶ୍ରେଷ୍ଠ ଆତ୍ମସମର୍ପଣ ନୀତି  କରାଯାଇଛି । ସେମାନଙ୍କୁ ଏହି ନୀତି ଅନୁସାରେ  ସବୁ ପ୍ରକାର ସହାୟତା କରାଯିବ । ରାଜ୍ୟ ଓ  କେନ୍ଦ୍ର ସରକାର ନକ୍ସଲଙ୍କୁ ଯେଉଁ ପ୍ରତିଶ୍ରୁତି  ଦେଇଛନ୍ତି ତାକୁ ପୂରଣ କରିବେ । 

ଗସ୍ତ ଅବସରରେ ଶାହ ନୟା ରାୟପୁରର  ଅଟଳ ନଗର ଠାରେ ନ୍ୟାସନାଲ ଫରେନ୍‌ସିକ  ସାଇନ୍ସ ୟୁନିଭର୍ସିଟି କ୍ୟାମ୍ପସ ଏବଂ ସେଣ୍ଟ୍ରାଲ ଫରେନ୍‌ସିକ ସାଇନ୍ସ ଲାବରେଟୋରୀର  ଶିଳାନ୍ୟାସ କରିଥିଲେ । କହିଥିଲେ ଏହି  ୟୁନିଭର୍ସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିବା ଅର୍ଥ  ଚାକିରି ସୁନିଶ୍ଚିତ । ଛତିଶଗଡରେ ଅପରାଧ  ନ୍ୟାୟ ବ୍ୟବସ୍ଥାକୁ ଆଧୁନିକୀକରଣ କରିବାରେ  ଏହି ପ୍ରତିଷ୍ଠାନର ପ୍ରମୁଖ ଭୂମିକା ରହିବ ବୋଲି  ଶାହ କହିଥିଲେ । 

ସୋମବାର  ଶାହ ଅବୁଝମାଡ ଅଞ୍ଚଳର ଗ୍ରାମୀଣ ଲୋକଙ୍କୁ  ଭେଟି ସେମାନଙ୍କ ସହ ଆଲୋଚନା କରିବେ ।  ଏହା ପରେ ବିଏସ୍‌ଏଫ କ୍ୟାମ୍ପ ପରିଦର୍ଶନ  କରିବା ସହ ସେଠାରେ ଯବାନଙ୍କ ସହିତ ଭାବ  ବିନିମୟ ମଧ୍ୟ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.