କେନ୍ଦୁଝର ସଦର,୧୬/୩(ଆପ୍ର) କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣା ଏମଏସପି ସ୍ପଞ୍ଜ ଆଇରନ କାରଖାନାର ଅଟୋମୋବାଇଲ ସେକ୍ସନକୁ କମ୍ପାନୀ ବନ୍ଦ କରିଦେଇଛି।  ଏଥି ଯୋଗୁଁ ୩୨ଜଣ ଠିକା ଶ୍ରମିକ ଛଟେଇ ହୋଇଛନ୍ତି।  ତେବେ ପୁନଃନିଯୁକ୍ତି ଦାବିରେ ଶ୍ରମିକମାନେ କମ୍ପାନୀ ଗେଟ୍ ସାମ୍ନାରେ ଅନଶନରେ ବସିଛନ୍ତି। ‌

ହଳଦିଆଗୁଣା ଏମଏସପି ସ୍ପଞ୍ଜ ଆଇରନ କାରଖାନାର ଅଟୋମୋବାଇଲ ସେକ୍ସନକୁ କମ୍ପାନୀ ବନ୍ଦ କରି ଦେଇଛି। ଏଥିରେ କାମ କରି ଆସୁଥିବା ୩୨ ଜଣ ଶ୍ରମିକଙ୍କୁ କମ୍ପାନୀ ଛଟେଇ କରିଛି। ଏ ନେଇ ଛଟେଇ ଶ୍ରମିକମାନେ କାରଖାନାରେ ପୁନଃନିଯୁକ୍ତି ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ଆଜକୁ ଚାରି ଦିନ ହେବ କମ୍ପାନୀ ଗେଟ୍ ନିକଟରେ ଶ୍ରମିକମାନେ  ଅନଶନରେ ବସିଛନ୍ତି। 

ଏ ନେଇ ସ୍ଥାନୀୟ ସରପଞ୍ଚ ସଞ୍ଜୟ କୁମାର ମୁଣ୍ଡା  ଏଵଂ ଯୋଗେଶ୍ୱର ଲୋକ ଶକ୍ତି କମିଟି ସଭାପତି ଦିଲ୍ଲିପ କୁମାର ଚକ୍ର କହିଛନ୍ତି ଛଟେଇ ଶ୍ରମିକ କମ୍ପାନୀର ବା ଠିକାଦାରର ହୁଅନ୍ତୁ ସେମାନେ  କାରଖାନା ନିର୍ମାଣ ହେବା ଦିନରୁ ଧୂଳି ଧୂଆଁ ସହି ଆସୁଛନ୍ତି। ଆଗକୁ ମଧ୍ୟ କାରଖାନାର ଧୂଳିଧୂଆଁରେ ପ୍ରଭାବିତ ହେବେ। ଆଗରୁ ଅନେକ ଶ୍ରମିକ କମ୍ପାନୀ ବାହାର କରିଛି ସେମାନେ ଆଜି ଦାଦନ ଖଟୁଛନ୍ତି । ପୂର୍ବରୁ ଏବଂ ଏବେ ଯେଉଁ ଶ୍ରମିକମାନଙ୍କୁ ବାହାର କରାଯାଇଛି ତୁରନ୍ତ ନିଯୁକ୍ତି ନକଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସେ  ଚେତାବନୀ ଦେଇଛନ୍ତି।