PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଅତ୍ୟଧିକ ବ୍ୟାୟାମ ସାଜୁଛି ଘାତକ, ପାଲଟିଛି ହୃଦ୍‌ଘାତର ମୁଖ୍ୟ କାରଣ …

ଭୁବନେଶ୍ୱର,୨୩/୦୯: ଅତ୍ୟଧିକ ଶାରୀରିକ ପରିଶ୍ରମ କରି ଷ୍ଟେରଏଡ୍‌ ନେବା ଏବେ କାଳ ହେଉଛି । ଯାହାଦ୍ୱାରା ହୃଦ୍‌ଘାତ ଭଳି ସମସ୍ୟା ଦେଖାଯାଉଛି । ଏଥିରେ ଲୋକଙ୍କର ଅକସ୍ମାତ୍‌ ମୃତ୍ୟୁ ହେବା ସହ ବହୁ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବାକୁ ପଡ଼ୁଥିବା ଦେଖିବାକୁ ମିଳୁଛି । ଦରକାର ଠାରୁ ଅଧିକ ପ୍ରୋଟିନ୍‌, ପ୍ରି ୱାକ୍‌ ଆଉଟ୍‌, ଭୁଲ୍‌ ଟ୍ରେନର ଏବଂ ଜିମ୍‌ରେ ଯୋଗଦେବା ପୂର୍ବରୁ ଏହାର ସବିଶେଷ ତଥ୍ୟ ନଜାଣିବା ବି ମୁଖ୍ୟ କାରଣ ରୂପେ ଉଭା ହେଉଛି ।

ଶରୀରକୁ ସୁନ୍ଦର କରିବା ଏବେ ଅକାଳ ବିୟୋଗର କାରଣ ପାଲଟିଛି । ଏଭଳି ମୃତ୍ୟୁର ଶିକାର ଅଧିକ ମାତ୍ରାରେ ଅଭିନେତାମାନେ ହେଉଛନ୍ତି। ଯାହାର ସଦ୍ୟ ଉଦାହରଣ ହେଉଛନ୍ତି ବଲିଉଡ ଷ୍ଟାର ସିଦ୍ଧାର୍ଥ ଶୁକ୍ଳା । ୪୦ବର୍ଷରେ ଅଧିକ ବ୍ୟାୟାମ ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା । ସେହିପରି ଅତ୍ୟଧିକ ବ୍ୟାୟାମ ଯୋଗୁ ୫୮ବର୍ଷରେ କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବ, କଣ୍ଠଶିଳ୍ପୀ ୫୩ ବର୍ଷୀୟ କେ.କେ, ୪୬ ବର୍ଷରେ ଅଭିନେତା ପୁନିତ୍‌ ରାଜକୁମାର ପରି ବହୁ କଳାକାରଙ୍କ ମୃତ୍ୟୁ ହୃଦ୍‌ଘାତରେ ହୋଇଛି ।

ଏହି ବିଷୟରେ ଭୁବନେଶ୍ୱର ଜେନିଭା ଫିଟ୍‌ନେସ୍‌ କ୍ଲବର ଦୁର୍ଗାଶିଷ ମହାନ୍ତି କୁହନ୍ତି, ବହୁ ସ୍ଥାନରେ ଜିମ୍‌ ଖୋଲି ଦିଆଯାଉଛି । ହେଲେ ସେମାନେ ସାର୍ଟିଫାଏଡ୍‌ ନୁହନ୍ତି । କୌଣସି କୋର୍ସ କରିନାହାନ୍ତି । କିଛି ଦିନ ବ୍ୟାୟାମ ଶିଖି ଜିମ୍‌ ଖୋଲିଦେଲେ । ବର୍ତ୍ତମାନ ଜିମ୍‌ରେ କିଛି ମାସ ଏକ୍ସରସାଇଜ୍‌ କରିବା ପରେ ଗୋଟିଏ ଲିଷ୍ଟ ଧରାଇ ଦେଉଛନ୍ତି । ଏହାକୁ ଖାଆନ୍ତୁ ମାଂସପେଶୀ ଫୁଲିବ । ତେବେ ଜିମ୍‌ କରିବା ପୂର୍ବରୁ ଗୋଟିଏ ପ୍ରି ୱାର୍କ ଆଉଟ୍‌ ଅଛି ଯାହାକୁ ନେଲେ ବହୁତ୍‌ ଜଲ୍‌ଦି ଶକ୍ତି ଆସିବ । କିନ୍ତୁ ଏହାର ପରିମାଣ ଅଧିକ ହେଲେ ହୃଦ୍‌ଘାତ ହେବାର ସମ୍ଭାବନା ଥାଏ ।

ନିଜକୁ ସୁସ୍ଥ ରଖିବା ଲାଗି ଚାହୁଁଥିଲେ ଭଲ ଟ୍ରେନର ପାଖରେ ଟ୍ରେନିଂ ନେବା ଜରୁରି । ସୁସ୍ଥସବଳ ବନିଗଲେ ଯେ ଜଣେ ଭଲ ଟ୍ରେନର ହୋଇଯିବ ତାହା ନୁହେଁ । ଏଥିରେ ଡିଗ୍ରୀ ହାସଲ କରିବା ଦରକାର । ଜିମ୍‌ ବା ଟ୍ରେନର ଏହି ବିଭାଗରେ କ୍ୟାରିୟର କରିବା ଲାଗି ଚାହିଁଲେ ତାଙ୍କୁ ଡିପ୍ଲୋମା, ଡିଗ୍ରୀ ଓ ଏମ୍‌ବିଏ କରିବାର ଆବଶ୍ୟକତା ଅଛି । ତା’ପରେ ଯାଇ ଜିମ୍‌ ପାଇଁ ସାର୍ଟିଫାଏଡ୍‌ ହୋଇ ପାରିବ । କିନ୍ତୁ ପାଠନପଢ଼ି ମନଇଚ୍ଛା ଟ୍ରେନର ବନୁଛନ୍ତି । ଫଳରେ ଯେଉଁ ସପ୍ଲିମେଣ୍ଟ ଯୋଗାଉଛନ୍ତି ତାହା କ୍ଷତିକାରକ ହେଉଛି । ଏସବୁ ଭିତରେ ଗ୍ରାହକ ସଚେତନ ହେବା ଆବଶ୍ୟକ । ନ୍ୟୁଟ୍ରିସନିଷ୍ଟଙ୍କ ପରାମର୍ଶ ବିନା କିଛି ଗ୍ରହଣ କରନ୍ତୁ ନାହିଁ ।

ନ୍ୟୁଟ୍ରିସନିଷ୍ଟ ସୁଶ୍ରୀ ସଙ୍ଗୀତ ଜେନା କହିଛନ୍ତି, ଶରୀର ସେତିକି ଗ୍ରହଣ କରିବ ସେତିକି ୱାର୍କ ଆଉଟ୍‌ କରିବା କଥା । ଅଧିକ ବ୍ୟାୟାମ କଲେ ତାହା ଖରାପ ପ୍ରଭାବ ପକାଇବ । ଡାକ୍ତରଙ୍କ ପରାମର୍ଶ ନେଉନାହାନ୍ତି । ଅତ୍ୟଧିକ ପରିମାଣରେ ଷ୍ଟେରଏଡ୍‌ ଖାଉଛନ୍ତି । ମେଡିସିନ୍‌ ଖାଉନାହାନ୍ତି । ସୁସ୍ଥ ରହିବାକୁ ହେଲେ ଡାକ୍ତରଙ୍କ ଠାରୁ ପରାମର୍ଶ ନେବା ଜରୁରି ।

ଯୋଗ ଗୁରୁ ଗଣେଶ୍ୱର ଗୋଚ୍ଛିକାର କୁହନ୍ତି, ଅତ୍ୟଧିକ ଷ୍ଟେରଏଡ୍‌ ନେବା ଦ୍ୱାରା ଶରୀର, ଚର୍ମ, ହୃଦୟ ଉପରେ ପ୍ରଭାବ ପକାଉଛି। ଯାହାଦ୍ୱାରା କମ୍‌ ବୟସର ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଯୋଗ କଲେ ପ୍ରାକୃତିକ ଉପାୟରେ ଆପଣ ପରିଶ୍ରମ କରିବେ । ଉଭୟ ମାନସିକ ଓ ଶାରୀରିକ କ୍ଷେତ୍ରରେ ସୁସ୍ଥ ଅନୁଭବ କରିବେ । ସେଥିପାଇଁ ସବୁବେଳେ ପ୍ରାକୃତିକ ଉପାୟରେ ନିଜକୁ ସୁସ୍ଥ ରଖିବା ଲାଗି ଚେଷ୍ଟା କରନ୍ତୁ ।

ସମ୍ବନ୍ଧିତ ଖବର