ସମ୍ ହସ୍ପିଟାଲ୍ରେ ବିଶ୍ୱ ପରିବେଶ ଦିବସ; ପରିବେଶ ପ୍ରଦୂଷଣ ଆଗାମୀ ପିଢ଼ିର ମୁଖ୍ୟ ସମସ୍ୟା

ଭୁବନେଶ୍ୱର,୬ ।୬(ବ୍ୟୁରୋ): ଏବେ ଆମମାନଙ୍କର ଜୀବନ ଶୈଳି ଯେଉଁ ଭଳି ଭାବେ ଗତି କରୁଛି, ଭବିଷ୍ୟତରେ ଯୁବପିଢ଼ିଙ୍କ ହାତରେ ଆଉ କିଛି ନଥିବ । ଆମେ ନିଜ ହାତରେ ସବୁ କିଛି ନଷ୍ଟ କରି ଚାଲିଛୁ । ଆମ ପରିବେଶ ପ୍ରଦୂଷିତ ହୋଇ ଚାଲିଛି । ତେଣୁ ପରିବେଶକୁ ବଞ୍ଚାଇ ରଖିବା ପାଇଁ ସମସ୍ତଙ୍କର ଯୋଗଦାନ ନିତାନ୍ତ ଜରୁରୀ ବୋଲି ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଡ. କେ.ମୁରୁଗେସନ୍ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ମୁରୁଗେସନ୍ କହିଛନ୍ତି, ବାୟୁ ପ୍ରଦୂଷଣ ଆମ ସମାଜ ପାଇଁ ବର୍ତ୍ତମାନ ସବୁଠାରୁ ଚିନ୍ତାଜନକ ବିଷୟ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଲେ, ପ୍ରଦୂଷଣ ଆମ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଜନସଂଖ୍ୟା ବୃଦ୍ଧି ଓ ପ୍ରଦୂଷଣ ଯୋଗୁଁ ସମସ୍ୟା ଗମ୍ଭୀର ହେବାରେ ଲାଗିଛି । ଆମକୁ ଏହାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ।
କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍ ଅଧୀକ୍ଷକ ପ୍ରଫେସର ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର, କମ୍ୟୁନିଟି ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ ଓ ପଲ୍ମ୍ୟୁନୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବନାନୀ ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ । କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ଇ.ଭେଙ୍କଟରାଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପରିବେଶ ପ୍ରଦୂଷଣ ଉପରେ ଏକ ନାଟକ ପରିବେଷଣ କରାଯାଇଥିଲା ।