କଟକ ୦୧/୧୧: ଐତିହାସିକ ବାଲିଯାତ୍ରା କଟକ ୨୦୨୫ ପାଇଁ ଆଉ ମାତ୍ର ୪ ଦିନ ରହିଥିବାବେଳେ ଝଟକୁଛି ତଳ ପଡିଆ। ବଡ଼ ବଡ଼ ବାଉଁଶ ସାଙ୍ଗକୁ ବାଉଁଶ ପାତିଆରେ ସୁନ୍ଦର କାରିଗରି । ସେଥିରେ ପୁଣି ଚାଳ ଛପର ସମେତ ବିଭିନ୍ନ ଦେଶୀ ସାମଗ୍ରୀର ବ୍ୟବହାର । କେଉଁଠି ପିପିଲର ଚାନ୍ଦୁଅ ତ ଆଉ କେଉଁଠି ଆଦିବାସୀ କଳାକୃତି । ଏମିତି କିଛି ଭାବେ ଓଡ଼ିଶାର କଳା ଓ ସଂସ୍କୃତିକୁ ନେଇ ତିଆରି ଚାଲିଛି ଫାଟକ । ଜିଲ୍ଲା ପ୍ରଶାସନ ଦ୍ୱାରା ଠିକା ସଂସ୍ଥାକୁ ନିୟୋଜିତ କରାଯାଇ ୧୦ରୁ ଅଧିକ ସ୍ଥାନରେ ଏଭଳି ଭାବେ ଆକର୍ଷଣୀୟ ଗେଟ୍ ନିର୍ମାଣ କରୁଛି । ଯାହା ମେଳାରେ ଲୋକଙ୍କୁ ବେଶ୍ ଆକର୍ଷିତ କରିବ । ବାଲିଯାତ୍ରାକୁ ବେଶ୍ ଜାକଜମକରେ ପାଳନ କରିବାକୁ ପ୍ରଶାସନ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ।
ଏଥିରେ ପ୍ରତି ଜିନିଷକୁ ଅଧିକ ମାତ୍ରାରେ ଆକର୍ଷଣୀୟ କରିବାକୁ ଲାଗିପଡ଼ିଛନ୍ତି ଅଧିକାରୀ । ଏଥିରେ ବାଲିଯାତ୍ରାର ବୋଇତ ଗେଟ୍ ସମେତ ଓରମାସ୍ର ୩ଟି, କଟକ ଇନ୍ କଟକର ୩ଟି ଓ ବିଭିନ୍ନ ସ୍ଥାନରେ ପାଖାପାଖି ୧୦ରୁ ଅଧିକ ଗେଟ୍ କରାଯାଉଛି । ସେଥିପାଇଁ ୩ଟି ବର୍ଗରେ ଗେଟ୍ ତିଆରି ଚାଲିଛି । ଓରମାସ୍, କଟକ ଇନ୍ କଟକ ଓ ରିଂବନ୍ଧ ରାସ୍ତା ଭଳି ପ୍ରମୁଖ ପଥରେ ବାଉଁଶ ସାହାଯ୍ୟରେ ଗେଟ୍ ହେଉଛି । ତାହାବାଦ୍ ବିଭିନ୍ନ ଗେଟ୍ରେ ଆଦିବାସୀ କଳା ସଂସ୍କୃତି, କୋଣାର୍କ ମନ୍ଦିର କଳାକୃତି ଆଦି ସ୍ଥାନ ପାଇବ।