ବାରଙ୍ଗ,୧୦/୦୮: ଜଙ୍ଗଲର ରାଜା ସିଂହ ।  ଏବେ ଜଙ୍ଗଲ ଅଛି, କିନ୍ତୁ ନାହାନ୍ତି ସିଂହ । ପରିବେଶ ସନ୍ତୁଳନ ପାଇଁ ସିଂହ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷା ଏବେ ପ୍ରମୁଖ ପ୍ରସଙ୍ଗ ହୋଇଛି । ଏଥିପାଇଁ ୨୦୧୩ ଅଗଷ୍ଟ ୧୦ରେ ବିଶ୍ୱ ସିଂହ ଦିବସ  ପାଳନ କରାଯାଇ ଏମାନଙ୍କ ସୁରକ୍ଷା କଥା ଚିନ୍ତା  କରାଯାଉଛି । ଜଙ୍ଗଲରେ ସିଂହ ନଥିବାବେଳେ ପୃଥିବୀର ବିଭିନ୍ନ ଚିଡ଼ିଆଖାନାରେ ଏମାନଙ୍କୁ  ରଖାଯାଇ ବଂଶ ବୃଦ୍ଧି କରାଯାଇପାରୁଛି । ମାତ୍ର  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ସଂଖ୍ୟା  କମିବାରେ ଲାଗିଛି । ଏଠାରେ ଏବେ ୨୨ଟି ସିଂହ  ଅଛନ୍ତି । ସେଥିରୁ ୧୩ଟି ଅଣ୍ଡିରା ଓ ୯ଟି ମାଈ ।  

ସିଂହ ବଂଶ ବୃଦ୍ଧି ପାଇଁ ୨୦୨୦ରେ ନନ୍ଦନକାନନ  ପ୍ରାଣୀ ଉଦ୍ୟାନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଥିଲା ।  ସେ ସମୟରେ ପ୍ରାଣୀ ଉଦ୍ୟାନରେ ଥିଲେ ୧୦ଟି  ସିଂହ ଓ ସିଂହୀ  । ବିଳାସପୁର ଚିଡ଼ିଆଖାନାରୁ ୧୭  ମାର୍ଚ୍ଚ ୨୦୨୦ରେ ୪ଟି (ବସନ୍ତ, ସମ୍ରାଟ, ଜୟ,  ଶରତ) ସିଂହ ଅଣାଯାଇଥିଲା । ପୁଣି ସେହିବର୍ଷ  ୨୦ ଡିସେମ୍ବରରେ କମଳାନେହେରୁ ପ୍ରାଣୀ  ଉଦ୍ୟାନ ଇନ୍ଦୋରରୁ ୨ଟି (ବିଜିଲି ଓ ରେୱା)  ସିଂହୀ ଆସିଥିଲେ । ସିଂହୀ ବିଜଲୀ ଓ ସିଂହ ସମ୍ରାଟ  ମିଳନରେ ବିଜ୍‌ଲୀ ୨୧ ଜୁଲାଇ ୨୦୨୧ରେ ୩ଟି ,  ୧୭ ଏପ୍ରିଲ ୨୦୨୨ରେ ଗୋଟିଏ, ୨୨ ନଭେମ୍ବର  ୨୦୨୨ରେ ୪ଟି, ୨୯ ଅଗଷ୍ଟ ୨୦୨୪ରେ ୫ଟି ଶାବକ  ଜନ୍ମ ଦେଇଥିଲା । ସିଂହୀ ‘ରେୱା’ ସହିତ ସିଂହ  ‘ଜିତ୍‌’ର ମିଳନରେ ରେୱା ୩ ଥରରେ ୮ଟି ଶାବକ  ଜନ୍ମ ଦେଇଛି । ୧୦ ଜାନୁୟାରୀ ୨୦୨୩ରେ ୨ଟି , ୨୪  ମାର୍ଚ୍ଚ ୨୦୨୪ରେ ୩ଟି ଓ ୨୫ ଜାନୁୟାରୀ ୨୦୨୫ରେ  ୩ଟି ଶାବକ ଜନ୍ମ ଦେଇଥିଲା । ୨୭ ଜାନୁୟାରୀ  ୨୦୨୫ରେ ରେୱାର ହଠାତ ମୃତ୍ୟୁ ହୋଇଥିଲା ।  

ଦିନେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ  ସଂଖ୍ୟା ୫୦ରୁ ଅଧିକ ଥିଲା । ପ୍ରତିଷ୍ଠା ହୋଇଥିଲା  ସିଂହ ସଫାରୀ । କିନ୍ତୁ ସିଂହ ସଂଖ୍ୟା କମୁଥିବାରୁ କର୍ତ୍ତୃପକ୍ଷ ରକ୍ତ ସମ୍ପର୍କ ପରିବର୍ତ୍ତନ ପାଇଁ ଅନ୍ୟ  ଚିଡ଼ିଆଖାନାରୁ ସିଂହ ଆଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ।