ଭୁବନେଶ୍ୱର ୨୧/୧୨: ଘଣ୍ଟାଘଣ୍ଟା ଧରି ଧ୍ୟାନ ମୁଦ୍ରାରେ ଠିଆ ହେଉଛନ୍ତି । ନା ହଲ୍‌ଚଲ୍‌ ହେଉଛନ୍ତି ନା କାହା କଥା ଶୁଣୁଛନ୍ତି । କିଏ ମା ଦୁର୍ଗା, ଲକ୍ଷ୍ମୀ, ମା ସରସ୍ୱତୀ ଓ ପ୍ରଭୁ ଗଣେଶଙ୍କ ବେଶ ଧରିଥାନ୍ତି, ତ ଆଉ କିଏ ପ୍ରଭୁ ଶିବ ଓ ମା ପାର୍ବତୀଙ୍କ ରୂପ ଧରିଥିଲେ । ଆଖି ପଲକ ପଡୁନି । ଯିଏ ଦେଖିବ ସେ କହିବ ଇଏ ମଣିଷ ନୁହନ୍ତି ସାକ୍ଷାତ ଈଶ୍ୱର । ବେଶଭୂଷା ମଧ୍ୟ ସେହିଭଳି । ପ୍ରତିବର୍ଷ ଦୁର୍ଗାପୂଜା ଓ ଜାଗର ସମୟରେ ଏହି ରାଜଯୋଗ ଭଙ୍ଗୀରେ ସେମାନଙ୍କୁ ଦେଖିବାକୁ ମିଳେ । ଆମେ କହୁଛୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କଥା । ବ୍ରହ୍ମାକୁମାରୀ ଓ କୁମାରମାନେ ଧ୍ୟାନ ବଳରେ ସେମାନଙ୍କ ଶରୀର, ମନକୁ ଏହିପରି ଆୟତ୍ତରେ ରଖିପାରୁଛନ୍ତି । ଦୀର୍ଘ ୨୦ ବର୍ଷ ହେବ ଏମାନେ ପ୍ରତିବର୍ଷ ଦୁଇ ଥର ଧ୍ୟାନର ଦୁର୍ଲଭ ଦୃଶ୍ୟ ଲୋକଙ୍କୁ ଦେଖାଇଥାନ୍ତି । ଏହି ଭଙ୍ଗୀକୁ କୁହାଯାଏ ‘ଚୈତନ୍ୟ ଦେବୀ ଦର୍ଶନ’ । ଆଜି ବିଶ୍ୱ ଧ୍ୟାନ ଦିବସ ପାଳନ ହେଉଥିବାବେଳେ ଏହି ‘ଚୈତନ୍ୟ ଦେବୀ ଦର୍ଶନ’ ଆଲୋଚନା ପରିସରକୁ ଆସିଛି ।

ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗିର ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଧ୍ୟାନ କେନ୍ଦ୍ର । ଏହି କେନ୍ଦ୍ରରେ କର୍ମଯୋଗ ସହ ରାଜଯୋଗ ଶିକ୍ଷା ଦିଆଯାଏ । ବିଦ୍ୟାର୍ଥୀମାନେ ଦୈନିକ ଅନ୍ୟୁନ ୨ଘଣ୍ଟା ଧରି ରାଜଯୋଗ ଧ୍ୟାନ ଶିକ୍ଷାଗ୍ରହଣ କରନ୍ତି । ଏହାଦ୍ୱାରା ସେମାନେ ଶାନ୍ତି ଓ ନିରବରେ ଦୈନନ୍ଦିନ କାର୍ଯ୍ୟ କରିପାରନ୍ତି । ବ୍ରହ୍ମାକୁମାରୀ ତପସ୍ୱିନୀଙ୍କ କହିବା କଥା, ସାଧାରଣ ମଣିଷ ପାଇଁ ଏହି ଧ୍ୟାନ ବହୁତ କଷ୍ଟ । ହେଲେ ଆମ ବିଦ୍ୟାର୍ଥୀମାନେ ଏହାକୁ କରି ଦେଖାଇଥାନ୍ତି । ଦଶହରା ଦଶ ଦିନ କାଳ ସେମାନେ ରାଜଯୋଗ ମାଧ୍ୟମରେ ଠାକୁରଙ୍କ ବେଶ ନିଅନ୍ତି । ପ୍ରତି କେନ୍ଦ୍ରରୁ ୬ରୁ ୭ଜଣ ଶିକ୍ଷାର୍ଥୀଙ୍କୁ ଏଥିପାଇଁ ଚୟନ କରାଯାଏ ବୋଲି ସେ କହିଛନ୍ତି । 

ଶରୀରକୁ ସୁସ୍ଥ ରଖେ ଧ୍ୟାନ :

ମେଡିଟିଏସନ ବା ଧ୍ୟାନ । ଏହା ଦ୍ୱାରା ମଣିଷ ସହ ଈଶ୍ୱରୀୟ ଶକ୍ତି ସଂଯୋଗ ହୁଏ ବୋଲି ଧ୍ୟାନ ଶିଖାଉଥିବା ଗୁରୁମାନେ କହନ୍ତି । ହେଲେ ଧ୍ୟାନ କଲେ ମଣିଷର ଉଦବେଗ, ହତାଶ ଭାବ ଓ ଚିନ୍ତା ଦୂର ହୁଏ । ବିଶେଷକରି ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଧ୍ୟାନ କରିବା ଦରକାର । ବର୍ତ୍ତମାନର ଜୀବନଶୈଳୀ ଦେଖିଲେ ସମସ୍ତେ ଚିନ୍ତାରେ ରହିଛନ୍ତି । ତେଣୁ ସମସ୍ତେ ସକାଳୁ କିଛି ସମୟ ବାହାର କରି ଧ୍ୟାନ କରନ୍ତୁ ।