ଭୁବନେଶ୍ୱର, ୨୦/୦୮ : ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ରାଜ୍ୟସାରା ଭୟ ଲାଗିରହିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ଆଶ୍ଚର୍ଯ୍ୟର କଥା ହେଉଛି, ଡେଙ୍ଗୁ ବାହକ ମଶା ମଧ୍ୟ ନିଜ ରୂପ ବଦଳାଇ ଚାଲିଛି । ପୂର୍ବରୁ ଡେଙ୍ଗୁ ପଛରେ କେବଳ ଏଡିସ୍ ଏଜିପ୍ଟ ମଶା କାରଣ ଥିଲା । ଗତ ୨ବର୍ଷ ହେବ ଏଡିସ ମଶାର ଏକ ନୂଆ ପ୍ରଜାତି ଏଡିସ୍ ଆଲବାପିକ୍ଟସ ଠାବ କରାଯାଇଛି । ଏହି ମଶାକୁ ବାଘୁଆ ମଶା କୁହାଯାଉଥିବା ବେଳେ ଭୁବନେଶ୍ୱରରେ ଏହା ଅଧିକ ରହିଛନ୍ତି । ଆଲବାପିକ୍ଟସ ପ୍ରଜାତିର ମଶା ଯୋଗୁ ଅଧିକ ଡେଙ୍ଗୁ ବ୍ୟାପୁଥିବା ଜଣାପଡ଼ିଛି । ଏହି ପ୍ରଜାତିର ମଶା ଘର ଅପେକ୍ଷା ବାହ୍ୟ ପରିବେଶରେ ଅଧିକ ବିଚରଣ କରନ୍ତି । ଏହି ମଶା କାମୁଡ଼ିଲେ କେବଳ ଡେଙ୍ଗୁ ନୁହେଁ ବରଂ ଚିକୁନଗୁନିଆ, ଫାଇଲେରିଆ ହେବାର ଆଶଙ୍କା ମଧ୍ୟ ରହିଛି ।
ଖୋର୍ଦ୍ଧାରେ ଅଧିକ ଆକ୍ରାନ୍ତ
ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ସୁଦ୍ଧା ଭୁବନେଶ୍ୱରକୁ ମିଶାଇ ଜିଲ୍ଲାରେ ମୋଟ ୪୧୦ ରୋଗୀ ଟିହ୍ନଟ ହୋଇଛନ୍ତି । ଯଦି ସଂଖ୍ୟା ଉପରେ ନଜର ଦେବା, ଜାନୁଆରୀରେ ୧୬, ଫେବ୍ରୁଆରୀରେ ୫, ମାର୍ଚ୍ଚରେ ୨, ଏପ୍ରିଲରେ ୬, ମେରେ ୧୪ ରୋଗୀ ଚିହ୍ନଟ ହୋଇଥିଲେ । ହେଲେ ଜୁନ୍ ପରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବଢୁଛି । ବର୍ଷା ହେବାପରେ ମଶାଙ୍କ ଉତ୍ପାତ ଅଥୟ କରୁଥିବା ବେଳେ ହସ୍ପିଟାଲକୁ ଡେଙ୍ଗୁ ଆକ୍ରାନ୍ତମାନେ ଧାଉଁଛନ୍ତି । ଜୁନରେ ୯୮, ଜୁଲାଇରେ ସର୍ବାଧିକ ୧୮୮, ଅଗଷ୍ଟରେ ଆଜି ସୁଦ୍ଧା ୮୧ ରୋଗୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠାବ କରିସାରିଲାଣି । ଭୁବନେଶ୍ୱର ସହରାଞ୍ଚଳରେ ଗତ ଏପ୍ରିଲ ୨୩ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ୨୦୮ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ଏଥିମଧ୍ୟରେ ପଟିଆ ଅଞ୍ଚଳରେ ସର୍ବାଧିକ ୩୧ ରୋଗୀ ଅଛନ୍ତି । ଏବେବି ଡେଙ୍ଗୁକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି । ବିଶେଷକରି ବସ୍ତି ଅଞ୍ଚଳରେ ସଫେଇ ଓ ସଚେତନ ଅଭାବ ଥିବାରୁ ରୋଗ ବାହାରୁଛି । କାହାକୁ ଜ୍ୱର ହେଲେ ଲୋକେ ହେୟଜ୍ଞାନ କରୁଛନ୍ତି । ସେଥିପାଇଁ ବସ୍ତି ଅଞ୍ଚଳରେ ଟେଷ୍ଟିଂ କମ୍ ରହୁଛି ।
ପୂର୍ବରୁ ହେଉଥିବା ଡେଙ୍ଗୁ ଜ୍ୱର ପଛରେ ଏଡିସ୍ ଏଜିପ୍ଟ ମଶା ରହିଥିଲା । ବର୍ତ୍ତମାନ ଏଡିସ୍ ଆଲ୍ବାପିକ୍ଟସ୍ ବାହାରିଛି । ୨୦୨୩ରେ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆରଏମଆରସି) ଏହା ଉପରେ ଗବେଷଣା କରିଥିଲା । ଏଜିପଟ୍ ତୁଳନାରେ ଆଲବାପିକ୍ଟସ ୭୦ ପ୍ରତିଶତ ଅଧିକ ଚିହ୍ନଟ ହୋଇଥିଲା । ଯାହା ଭୁବନେଶ୍ୱରର ୧୪ଟି ସ୍ଥାନରେ ଥିଲା । ଏଜିପଟ ଘର ଭିତର ଓ ଚାରିପାଖେ ରହେ । ଆଲବାପିକ୍ଟସ ଘର ବାହାରେ ବୁଲେ । ତେଣୁ ଏହା କାମୁଡିବାର ବହୁତ ଆଶଙ୍କା ରହିଛି । ହେଲେ ଏ ଦିଗରେ ସଚେତନତା ନାହିଁ । ସହରାଞ୍ଚଳରେ ରୋଗ ନିୟନ୍ତ୍ରଣ ସାଙ୍ଗକୁ ଅନ୍ୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳନା(ସିପିଏମ୍) ୟୁନିଟ୍ ଗଠନ ହୋଇଛି । ମାତ୍ର ଏଥିରେ କର୍ମଚାରୀ ସଂଖ୍ୟା ବହୁତ କମ୍ । ଅଳ୍ପ କର୍ମଚାରୀଙ୍କୁ ନେଇ ସମସ୍ତ କାର୍ଯ୍ୟକ୍ରମ ଚାଲିଛି । ସେହିପରି ଭୁବନେଶ୍ୱରରେ ୨୫ ପ୍ରତିଶତ ଲୋକ ବିଶିଷ୍ଟ ଅଞ୍ଚଳରେ ଆଶା କର୍ମୀ ଅଛନ୍ତି । ଅବଶିଷ୍ଟ ଅଞ୍ଚଳରେ ଆଶା ନଥିବାରୁ ସ୍ୱାସ୍ଥ୍ୟ ସଚେତନତା ତ୍ୱରାନ୍ୱିତ ହୋଇପାରୁନି ।
ଏଡିସ୍ ଆଲବାପିକ୍ଟସ ସଫା ଜଳରେ ଜନ୍ମ ନିଏ
ଏନେଇ ଏଡିପିଏଚଓ ଡା. ନୀଳମଣି ସେନାପତି କୁହନ୍ତି, ଆମ ପାଖରେ ଜଣେ ସିପିଏମ ଓ ଜଣେ ଏପିଏମ୍ ଅଛନ୍ତି । କମ୍ ଲୋକ ଥିବା ସତ୍ତ୍ଵେ ଡେଙ୍ଗୁ ଓ ମଶା ସଚେତନତା ଜୋରଦାର କରୁଛୁ । ହେଲେ ବସ୍ତି ଅଞ୍ଚଳରେ ଅଧିକ କାର୍ଯ୍ୟକ୍ରମ ହୋଇପାରୁନି । ଏଡିସ୍ ଆଲବାପିକ୍ଟସ ସଫା ଜଳରେ ଜନ୍ମ ନିଏ । ତେଣୁ ଲୋକେ ସେଥିପ୍ରତି ସଚେତନ ହେବେ । ବସ୍ତିରେ ଅଧିକ ସଚେତନ ପାଇଁ ଫୋକସ ଦେବୁ । କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ରୂପଭାନୁ ମିଶ୍ର କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ ୧୦ଟି ବେଡ ବିଶିଷ୍ଟ ଡେଙ୍ଗୁ ୱାର୍ଡ ରହିଛି । ସ୍ଥାନାଭାବରୁ ଏହା ବଢିପାରୁନି । ତଥାପି ଉନ୍ନତ ଚିକିତ୍ସା ଯୋଗାଇବାକୁ ଆମେ କାମ କରୁଛୁ ।
ମଶାଙ୍କ ୩ ହଜାର ୫୦୦ ପ୍ରଜାତି
ପ୍ରକାଶ ଥାଉକି, ବିଶ୍ୱରେ ପ୍ରାୟ ୩ ହଜାର ୫୦୦ ପ୍ରକାର ମଶା ରହିଛି । ଏଥିରୁ ମାତ୍ର ୬ ପ୍ରତିଶତ ମଶା ରକ୍ତ ଶୋଷିଥାନ୍ତି । ଡେଙ୍ଗୁମଶା କାମୁଡ଼ିବାର ୪/୫ଦିନ ପରେ ଜ୍ୱରର ଲକ୍ଷଣ ଦେଖାଦିଏ । ରାଜ୍ୟରେ ଡେଙ୍ଗୁ ସ୍ଥିତି ମଧ୍ୟ ଉଦବେଗଜନକ । ୨୦୨୦ରେ ୪୪୯୬, ୨୦୨୧ରେ ୭୫୪୮, ୨୦୨୨ରେ ୭୦୬୩, ୨୦୨୩ରେ ୧୨୮୪୫ ଓ ୨୦୨୪ରେ ୯୮୯୨ ରୋଗୀ ଚିହ୍ନଟ ହୋଇଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନ ରିପୋର୍ଟରୁ ପ୍ରକାଶ ।