ଭୁବନେଶ୍ୱର ୦୭/୦୪: ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଂଟାଲ୍‌ ସାଇନ୍‌ସେସ୍‌ (ଆଇଡିଏସ୍‌) ପକ୍ଷରୁ ରବିବାର ଏକ ୱାକାଥନ୍‌ ଆୟୋଜିତ ହୋଇଯାଇଛି। ମୁଖ ସ୍ୱାସ୍ଥ୍ୟର ଉତମ ଯତ୍ନ ଏବଂ ସୁସ୍ଥ ଜୀବନ ଶୈଳୀ ନିମନ୍ତେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ୱାକାଥନ୍‌ର ପ୍ରସଙ୍ଗ ରହିଥିଲା ‘ହାପି ମାଉଥ୍‌, ହାପି ମାଇଣ୍ଡ-ୱାକ୍‌ ଫର ଏ କଜ୍‌’। 

ଆଇଡିଏସ୍‌ର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ, ଇନ୍‌ଟର୍ଣ୍ଣ ଏବଂ କର୍ମଚାରୀ ମାନଙ୍କୁ ମିଶାଇ ମୋଟ ୩୦୦ ଜଣ ଏହି ୱାକାଥନ୍‌ରେ ସାମିଲ ହୋଇ ୩ କିମି ରାସ୍ତା ଚାଲିଥିଲେ। ଏଥିରେ ଅଂଶଗ୍ରହଣକାରୀ ମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ମୁଖ ସ୍ୱାସ୍ଥ୍ୟ ଏବଂ ଏହାର ଯତ୍ନ, ଦନ୍ତ ଚିକିତ୍ସାର ନିରାକରଣ ଏବଂ ନିୟମିତ ଦନ୍ତ ପରୀକ୍ଷା କରିବାର ଗୁରୁତ୍ୱ ସମ୍ପର୍କରେ ବାର୍ତା ପ୍ରଦାନ କରିଥିଲେ। 

ଏହି ଅବସରରେ ଛାତ୍ରଛାତ୍ରୀ ମାନେ ‘ଫ୍ଲାସମବ’ ଜରିଆରେ ବାର୍ତା ପ୍ରଦାନ କରିଥିଲେ। ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡିଏସ୍‌ର ଡିନ୍‌ ପ୍ରଫେସର (ଡକ୍ଟର) ରୁଚି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ୱାକାଥନ ଦ୍ୱାରା ଆମେ ସମାଜ ପ୍ରତି ଆମର ଦାୟିତ୍ୱ ପରିପ୍ରକାଶ କରିବାକୁ ଉଦ୍ୟମ କରିଛୁ ବୋଲି ପ୍ରଫେସର (ଡକ୍ଟର) ଭୂୟାଁ କହିଥିଲେ।