ବାରଙ୍ଗ, ୨୯/୦୭: ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଜାତୀୟ ପଶୁ ବାଘର ବଂଶ ବିସ୍ତାର କ୍ଷେତ୍ରରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଛି ସ୍ୱତନ୍ତ୍ର ପରିଚୟ । ଦେଶର ଅନେକ ଚିଡ଼ିଆଖାନା ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରୁ ବାଘ ନେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତଥାପି ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବା ଦରକାର ଯେଉଁଥିରେ କି ବାଘଙ୍କ ପ୍ରଜାତି ବୃଦ୍ଧି ପାଇବ । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ରାଜ୍ୟରେ ବାଘଙ୍କ ସଂଖ୍ୟା ବୃଦ୍ଧି ଓ ଶିକାରୀଙ୍କ ଲୋଲୁପଦୃଷ୍ଟିରୁ କିପରି ସେମାନେ ରକ୍ଷା ପାଇବେ ଏହା ରାଜ୍ୟ ସରକାରଙ୍କ ସମେତ ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ । ଆଜିର ଦିନରେ ନନ୍ଦନକାନନ ବାଘଙ୍କ ପ୍ରେମ କାହାଣୀ ଆମକୁ ସେହି ଦିଗଟି ପ୍ରତି ଆକର୍ଷିତ କରୁଛି, ଯାହା ସେମାନଙ୍କ ବଂଶ
ପ୍ରାଣୀ ଉଦ୍ୟାନ ନନ୍ଦନକାନନ ବାଘ ପ୍ରେମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ପ୍ରାଣୀ ଉଦ୍ୟାନ ଏପରି ପ୍ରାକୃତିକ ପରିବେଶ ମଧ୍ୟରେ ରହିଛି ଯେଉଁଠିକି ଆକୃଷ୍ଟ ହୋଇ ଜଙ୍ଗଲୀ ବାଘ ବାଘୁଣୀ ପଶି ଆସିଥିବା ନଜିର ରହିଛି । ଓଡ଼ିଶାର ବ୍ୟାଘ୍ର ଅଭୟାରଣ୍ୟ ଶିମିଳିପାଳରୁ ଚନ୍ଦକା ଜଙ୍ଗଲ ହୋଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବାଘ, ବାଘୁଣୀ ପଶି ଆସିଥିଲେ । ଯାହାକୁ ନେଇ ସେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା ।
୧୯୬୭ ମସିହା ଜାନୁୟାରୀ ୪ ତାରିଖରେ ‘କାନନ’ ନାମକ ଏକ ବାଘୁଣୀ ପ୍ରାଣୀ ଉଦ୍ୟାନରେ ରହୁଥିବା ବାଘ ‘ପ୍ରଦୀପ’ ପ୍ରେମରେ ପଡ଼ି ମାଇଲ ମାଇଲ ଜଙ୍ଗଲ ପାର କରି ପ୍ରାଣୀ ଉଦ୍ୟାନ ମଧ୍ୟକୁ ପଶିଆସିଥିଲା । ‘କାନନ’ ପ୍ରାଣୀ ଉଦ୍ୟାନ ମଧ୍ୟରେ ପ୍ରାୟ ୧୧ ବର୍ଷ ପର୍ଯ୍ୟଟକଙ୍କ ମନୋରଞ୍ଜନର କେନ୍ଦ୍ରବିନ୍ଦୁ ଥିବା ବେଳେ ୧୯୭୮ ମସିହା ଜୁଲାଇ ୨୧ରେ ତା’ର ମୃତ୍ୟୁ ହୋଇଥିଲା । "କାନନ'କୁ ମନେରଖିବା ପାଇଁ ପ୍ରାଣୀ ଉଦ୍ୟାନର ଏକ ଛକର ନାମ କାନନ ଛକ ନାମିତ ହେବା ସହିତ ସେଠାରେ ତା’ର ପ୍ରତିମୂର୍ତ୍ତି ରଖାଯାଇଛି ।
୨୦୧୩ ମସିହା ମାର୍ଚ୍ଚ ୨୪ରେ ‘ନନ୍ଦନ’ ନାମକ ଏକ ଜଙ୍ଗଲି ମହାବଳ ବାଘ ପ୍ରାଣୀ ଉଦ୍ୟାନର ବାଘୁଣୀ ‘ସାରା’ ପ୍ରେମରେ ପଡ଼ି ନନ୍ଦନକାନନ ତାରଜାଲି ଡେଇଁ ଭିତରକୁ ପ୍ରବେଶ କରିଥିଲା । କିନ୍ତୁ ପ୍ରାଣୀ ଉଦ୍ୟାନରେ ବାଘୁଣୀ ‘ସାରା’ ସହିତ ‘ନନ୍ଦନ’ର ମିଳନ ହୋଇପାରିନଥିଲା । ୨୦୧୬ ମସିହାରେ ନନ୍ଦନକାନନରେ ଜନ୍ମିତ ବାଘୁଣୀ ‘ମେଘା’ ସହିତ ଓ ୨୦୨୩ରେ ବାଘୁଣୀ ‘ଅଙ୍କିତା’ ସହିତ ‘ନନ୍ଦନ’ର ମିଳନ କରାଯାଇ ୯ଟି (ବାହୁବଳୀ , କୁନ୍ଦନ, ଅଭୟ, ବିବେକ, ସୋହିନୀ, ଅମିତ, ଜୟଶ୍ରୀ, ଶ୍ରୀ, ତୃପ୍ତି) ଜଙ୍ଗଲୀ ବାଘ ନନ୍ଦନକାନନକୁ ମିଳିଥିଲା ।
ଗତ ମେ ମାସ ୧୧ ତାରିଖରେ ‘ନନ୍ଦନ’ ପ୍ରାଣୀ ଉଦ୍ୟାନରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲା । କର୍ତ୍ତୃପକ୍ଷ ତା’ପାଇଁ ମଧ୍ୟ ଏକ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଯୋଜନା ରଖିଛନ୍ତି । ବର୍ତ୍ତମାନ ନନ୍ଦନକାନନରେ ୩ ପ୍ରଜାତିର ୨୯ଟି ବାଘ ରହିଛନ୍ତି । ସେଥିମଧ୍ୟରୁ ୬ଟି ଧଳା, ୪ଟି କଳା ଓ ୧୯ଟି ସାଧାରଣ ରଙ୍ଗର ବାଘ ଓ ବାଘୁଣୀ ଅଛନ୍ତି । ଆମେ ଯଦି ବିଗତ ବାଘ ଦିବସରେ ବାଘଙ୍କ ସଂଖ୍ୟା ଦେଖିବା ତେବେ ୨୦୨୦ ମସିହାରେ ୨ ଟି ( ୭ଟି ଧଳା , ୪ଟି କଳା ଓ ୧୬ଟି ସାଧାରଣ) ବାଘ ଥିଲେ । ୨୦୨୧ ମସିହାରେ ୨୭ଟି (୬ଟି ଧଳା ,୩ଟି କଳା ଓ ୧୮ଟି ସାଧାରଣ ରଙ୍ଗ) ବାଘ ଥିଲେ । ୨୦୨୨ରେ ୨୬ଟି (୭ଟି ଧଳା,୩ଟି କଳା ଓ ୧୬ ଟି ସାଧାରଣ ରଙ୍ଗ) ବାଘ ଥିଲେ ।
୨୦୨୩ରେ ୨୭ଟି ( ଧଳା ୭ଟି , କଳା ୩ଟି ଓ ସାଧାରଣ ରଙ୍ଗର ୧୭) ଟି ବାଘ ଥିଲେ । ୨୦୨୪ ରେ ୨୫ଟି ( ୫ଟି ଧଳା , ୫ଟି କଳା ଓ ୧୫ଟି ସାଧାରଣ ରଙ୍ଗ)ର ବାଘ ଥିଲେ । ତେବେ ଇତିମଧ୍ୟରେ ବାହାର ଚିଡ଼ିଆଖାନାରୁ ଅଦଳବଦଳ ପ୍ରକ୍ରିୟାରେ କିଛି ବାଘକୁ ଅଣାଯାଇଛି । କିଛି ଜନ୍ମ ହୋଇଛନ୍ତି । କିଛି ଆଖି ବୁଝିଛନ୍ତି । ସବୁଠାରୁ ବଡ଼ କଥା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା କର୍ମଚାରୀ ଓ ଅଧିକାରୀମାନେ ନିଜ ପ୍ରୟାସରେ ଭିନ୍ନ ଭିନ୍ନ ବାଘକୁ ମିଳନ କରାଇ ଏଠାରେ ଧଳା ଓ କଳା ବାଘ ସୃଷ୍ଟି କରିବାର ଏକ ବିରଳ ରେକର୍ଡ ସୃଷ୍ଟି କରିପାରିଛ ବିସ୍ତାରରେ ସହାୟକ ହୋଇପାରିବ ।
କଳା ଓ ଧଳା ବାଘ ପାଇଁ ଗର୍ବ
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କଳା ଓ ଧଳା ବାଘ ଜନ୍ମ ହୋଇ ସାରା ବିଶ୍ୱରେ ଇତିହାସ ସୃଷ୍ଟି କରିଛି । ଏବେ କଳା ଓ ଧଳା ବାଘ ସଂଖ୍ୟା ହ୍ରାସ ପାଇଥିଲେ ହେଁ ପ୍ରାଣୀ ଉଦ୍ୟାନରେ ୪ଟି କଳା ବାଘ ଅଛନ୍ତି । ୨୦୧୪ ଜୁଲାଇ ୨୭ରେ ସାଧାରଣ ରଙ୍ଗର ମହାବଳ ବାଘ ମନୀଷ ଓ ଧଳା ବାଘୁଣୀ ସ୍ନେହା ମିଳନରେ ପ୍ରଥମ ଥର ପାଇଁ କଳା ବାଘ କ୍ରିଷ୍ଣା ଜନ୍ମ ନେଇଥିଲା । ୨୦୧୮ ଡିସେମ୍ବର ୨୨ରେ ବାଘ ସମ୍ରାଟ ଓ ବାଘୁଣୀ ରେଣୁଙ୍କ ମିଳନରେ ଦୁଇ ବାଘ ବାସୁ ଓ ସ୍ପନ୍ଦନ ଜନ୍ମ ଲାଭ କରିଥିଲେ । ଏବେ ବାଘ ବଂଶ ବୃଦ୍ଧି ପାଇଁ ରାଞ୍ଚିରୁ ଗୋଟିଏ ମାଈ କଳା ଓ ସେହି ପ୍ରଜାତିର ସାଧାରଣ ରଙ୍ଗର ମାଈ ବାଘୁଣୀ ଅଣାଯାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଧଳା ବାଘ ପାଇଁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା । ଏପରିକି ଧଳା ବାଘ ବୃଦ୍ଧି ପାଇବାରୁ ଧଳା ବାଘ ସଫାରୀ ନିର୍ମାଣ କରାଯାଇଥିଲା । ୧୯୮୦ ମସିହାରେ ସାଧାରଣ ରଙ୍ଗର ବାଘୁଣୀ ଗଙ୍ଗା ଓ ସାଧାରଣ ରଙ୍ଗର ମହାବଳ ବାଘ ଦୀପକ ମିଳନରୁ ୩ଟି ଧଳା ବାଘ(ଦେବବ୍ରତ, ଅଳକା ଓ ନନ୍ଦ) ଜନ୍ମ ହୋଇଥିଲେ । ଏହା ପରଠାରୁ ବାଘ ସଂଖ୍ୟା ବୃଦ୍ଧି ପାଇ ୨୦୦୦ ମସିହା ସୁଦ୍ଧା ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ପ୍ରାୟ ୩୪ରେ ପହଞ୍ଚିଥିଲା । ଧଳା ବାଘ ସଂଖ୍ୟା ବୃଦ୍ଧି ହେବାରୁ ପ୍ରାଣୀ ଉଦ୍ୟାନରେ ଧଳା ବାଘ ସଫାରୀ ପ୍ରତିଷ୍ଠା ହୋଇଥିଲା । ସମୟକ୍ରମେ ଧଳା ବାଘ ସଂଖ୍ୟା ହ୍ରାସପାଇବା ଫଳରେ ଧଳା ବାଘ ସଫାରୀକୁ ବନ୍ଦ କରାଯାଇ ସାଧାରଣ ବାଘ ଛଡ଼ାଯାଉଛି । ଏବେ ପ୍ରାଣୀ ଉଦ୍ୟାନରେ ମାତ୍ର ୬ଟି ଧଳା ବାଘ ଅଛନ୍ତି