ନୂଆଦିଲ୍ଲୀ,୦୫/୦୯: ଖଣ୍ଡ ବିଖଣ୍ଡିତ ହେଉଛି ବିଶ୍ୱର ସର୍ବବୃହତ ହିମପର୍ବତ । ବିଶାଳ ଖଣ୍ଡରେ ଭାଙ୍ଗିବାରେ ଲାଗିଛି । ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେ (ବିଏଏସ୍)ର ବୈଜ୍ଞାନିକମାନେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆଣିଛନ୍ତି । ‘ଏ୨୩ଏ’ ନାମକ ଏହି ହିମପର୍ବତ ୧୯୮୬ ମସିହାରେ ଆଣ୍ଟାର୍କଟିକାରେ ଫ୍ଲିଚ୍ନର-ରୋନ୍ ହିମପ୍ରାଚୀରରୁ ଅଲଗା ହେବା ପରଠୁ ବୈଜ୍ଞାନିକମାନେ ଏହା ଉପରେ କଡ଼ା ନଜର ରଖିଛନ୍ତି ।
୧୯୮୦ ଦଶକ ପରଠୁ ଏହା ଅନେକ ଥର ‘ବର୍ତ୍ତମାନର ସର୍ବବୃହତ ହିମପ୍ରାଚୀର’ ଟାଇଟଲ୍ ହାସଲ କରିଛି । ପୂର୍ବରୁ ଏହାର ଓଜନ ୧ ଟ୍ରିଲିଅନ୍ ମେଟ୍ରିକ୍ ଟନ୍ (୧.୧ ଟ୍ରିଲିଅନ୍ ଟନ୍) ଓଜନ ଥିଲା । ରୋଡ୍ ଦ୍ୱୀପ ତୁଳନାରେ ଏହା ଟିକିଏ ବଡ଼ । ବେଳେବେଳେ ‘ଏ୨୩ଏ’ଠୁ ବିଶାଳ କିନ୍ତୁ କିଛି କ୍ଷଣସ୍ଥାୟୀ ହିମପ୍ରାଚୀର ପାଖକୁ ଏହି ଟାଇଟଲ୍ ଚାଲିଯାଇଛି । ୨୦୧୭ରେ ‘ଏ୬୮’ ଓ ୨୦୨୧ରେ ‘ଏ୭୬’ ନାମକ ହିମପର୍ବତ ଏହି ଟାଇଟଲ୍ ପାଇଥିଲେ । ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେର ଓସେନୋଗ୍ରାଫର ଆଣ୍ଡ୍ର୍ୟୁ
ମିଜର୍ସ କହିଛନ୍ତି, ‘ଏ୨୩ଏ’ ହିମପର୍ବତ ଦ୍ରୁତ ବେଗରେ ଭାଙ୍ଗୁଛି ଏବଂ ଅତି ବିଶାଳ ଖଣ୍ଡରେ ଅଲଗା ହେଉଛି । ଏହ ଘଟଣା ଉପରେ ନଜର ରଖିଥିବା ଆମେରିକାର ଜାତୀୟ ଆଇସ୍ ସେଣ୍ଟର୍ ଏଗୁଡ଼ିକୁ ବିଶାଳ ହିମପର୍ବତ ରୂପେ ନାମିତ କରିଛି । ମିଜର୍ସ କହିଛନ୍ତି, ଏହି ସର୍ବବୃହତ ହିମପର୍ବତ ଏବେ ପ୍ରାୟ ୧,୭୦୦ ବର୍ଗ କିଲୋମିଟର (୬୫୬ ବର୍ଗ ମାଇଲ)ରେ ସଙ୍କୁଚିତ ହୋଇଛି, ଯାହା ପ୍ରାୟ ଗ୍ରେଟର ଲଣ୍ଡନ ଆକାର ସହ ସମାନ । ସଙ୍କୁଚନ ଯୋଗୁ ସମୁଦ୍ର ତଳେ ନିଜର ମଜଭୁତ ସ୍ଥିତିକୁ ହରାଇବା ପୂର୍ବରୁ ବିଗତ ୩୦ ବର୍ଷ ଧରି ‘ଏ୨୩ଏ’ ହିମପର୍ବତ ଆଣ୍ଟାର୍କଟିକାର ୱେଡ୍ଡେଲ ସମୁଦ୍ର ପୃଷ୍ଠରେ ଦଣ୍ଡାୟମାନ ଥିଲା ।
୨୦୨୦ରେ ମହାସାଗର ସ୍ରୋତରେ ଏହା ନିଜ ସ୍ଥାନରୁ ଘୁଞ୍ଚିଲା । ତା’ପରେ ଏକ ଟେଲର୍ କଲମ୍ (ସ୍ତମ୍ଭ) ରେ ଏହା ଲାଗିଲା । ପାଣିତଳେ ସ୍ଥିତ ପର୍ବତ ସହ ମହାସାଗର ସ୍ରୋତ ଧକ୍କା ହେବା ଯୋଗୁ ସୃଷ୍ଟ ଜଳର ଏକ ଘୂର୍ଣ୍ଣାୟମାନ ବଳୟକୁ ଏହି ନାଁ (ଟେଲର୍ କଲମ୍) ଦିଆଯାଇଥିଲା । ଗତ ଡିସେମ୍ବରରେ ଏହା ପୁଣି ଥରେ ଗତି କରିଥିବା ଜଣାପଡ଼ିବା ପର୍ଯ୍ୟନ୍ତ ସେହିଠାରେ ରହିଥିଲା । ଚଳିତ ବର୍ଷ ମାର୍ଚ୍ଚରେ ପାଣିତଳେ ଧୀରେ ଧୀରେ ଖସୁଥବା ଏକ ମହାଦେଶୀୟ ଭୂଭାଗରେ ଏହା ଲାଗିଥିଲା । ତା’ପରେ ଗତ ମେ’ରେ ପୁଣି ସେଠାରୁ ଖସି ଭାସିଲା ।
ମିଜର୍ସ ସେହିସବୁ ପରିସ୍ଥିତିକୁ ବର୍ଣ୍ଣନା କରିଛନ୍ତି, ଯାହା ପାଇଁ ହିମପର୍ବତ ଭାଙ୍ଗିଛି । ଏ୨୩ଏ ଗତ ମାର୍ଚ୍ଚରେ କିଛି ମାସ ଧରି ଉକ୍ତ ପାଣିତଳ ମହାଦେଶୀୟ ଭୂଭାଗ ଉପରେ ରହିବା ପରେ ମେ’ରେ ପୁନଃ ଭାସିଲା । ତା’ପରଠୁ ଦକ୍ଷିଣ ଜର୍ଜିଆ ଚତୁଃପାଶ୍ୱର୍ରେ ବିପରୀତ ଦିଗରେ ସଦର୍ନ ଆଣ୍ଟାର୍କଟିକ୍ ସର୍କମ୍ପୋଲାର କରେଣ୍ଟ୍ ଫ୍ରଣ୍ଟ୍ (ଏସ୍ଏସିସିଏଫ୍) ନାମରେ ପରିଚିତ ଶକ୍ତିଶାଳୀ ଜେଟ୍ ପ୍ରବାହକୁ ଏହା ଅନୁସରଣ କରୁଛି । ଏହି ଜେଟ୍ ଅନ୍ତତଃ ହିମପର୍ବତ ଓ ଏଥିରୁ ଅଲଗା ହୋଇଥିବା ହିମଖଣ୍ଡଗୁଡ଼ିକୁ ଭସାଇ ଉତ୍ତରପୂର୍ବକୁ ନେବ । ତଥାପି ତାହା ହିମପର୍ବତ ସମୂହର ଅଂଶ ରହିବ । ମିଜର୍ସ କହିଛନ୍ତି, ୨୦୨୧ରେ ‘ଏ୬୮’ ଓ ୨୦୨୩ରେ ‘ଏ୭୬’ ନାମକ ବିଶାଳକାୟ ହିମପର୍ବତ ଭଳି ‘ଏ୨୩ଏ’ର ମଧ୍ୟ ସମାନ ସ୍ଥିତି ହେଉଛି । ଉଭୟ ହିମପର୍ବତ ମଧ୍ୟ ସଦର୍ନ ଆଟ୍ଲାଣ୍ଟିକ୍ ମହାସାଗରରେ ସ୍ଥିତ ବ୍ରିଟିଶ ବିଦେଶୀ କ୍ଷେତ୍ର ଦକ୍ଷିଣ ଜର୍ଜିଆ ଆଖପାଖରେ ବିଘଟିତ ହୋଇଥିଲେ । ତେବେ ଏହି ଦୁଇ ହିମପର୍ବତ ଅପେକ୍ଷା ଅଧିକ ସମୟ ହେଲା ଏହା ତିଷ୍ଠିଛି ।
ମିଜର୍ସଙ୍କ ଅନୁସାରେ, ଏହି ବିଘଟନର ଅର୍ଥ ବର୍ତ୍ତମାନ ବିଶ୍ୱର ସର୍ବବୃହତ ହିମପର୍ବତର ଟାଇଟଲ୍ ଧାରଣ କରିଛି ‘ଡି୧୫ଏ’, ଯାହା ପ୍ରାୟ ୩ ହଜାର ବର୍ଗ କିମି (୧,୧୫୮ ବର୍ଗ ମାଇଲ) । ଅଷ୍ଟ୍ରେଲୀୟ ଡେଭିସ୍ ବେସ୍ ନିକଟସ୍ଥ ଆଣ୍ଟାର୍କଟିକ୍ ତଟରେ ଏହା ସ୍ଥିର ଅଛି । ଏ୨୩ଏ ବର୍ତ୍ତମାନ ମଧ୍ୟ ବିଶ୍ୱର ୨ୟ ସର୍ବବୃହତ ହିମପର୍ବତର ଟାଇଟଲ୍ ଧାରଣ କରିଛି । କିନ୍ତୁ ଏଥିରେ ଦ୍ରୁତ ପରିବର୍ତ୍ତନ ହୋଇପାରେ । କାରଣ ଆଗାମି ସପ୍ତାହମାନଙ୍କରେ ଏହା ଖଣ୍ଡିତ ହେବା ଜାରି ରହିବ । ଜଳ ତାପମାତ୍ରା ବୃଦ୍ଧି ଓ ଦକ୍ଷିଣରେ ବସନ୍ତ ଋତୁର ଆଗମନ ଯୋଗୁ ହିମପର୍ବତ ସମ୍ଭବତଃ ଛୋଟ ଛୋଟ ଖଣ୍ଡରେ ବିଭାଜିତ ହେବ, ପରେ ତାହା ଚିହ୍ନଟ ହୋଇପାରିବ ନାହିଁ ।
ହିମପର୍ବତ ଭାଙ୍ଗିବା ଏକ ପ୍ରାକୃତିକ ପ୍ରକ୍ରିୟା । ବିଶ୍ୱ ଉତ୍ତାପ ବୃଦ୍ଧି ପାଉଥିବାରୁ କୌଣସି ହିମପର୍ବତର ଆକାର ବୃଦ୍ଧି ପାଉଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରୁନାହାନ୍ତି । ତେବେ ଏହା ସ୍ପଷ୍ଟ ହେଉଛି ଯେ ଗତ କିଛି ଦଶନ୍ଧିରେ ବର୍ଦ୍ଧିତ ହିମପର୍ବତର ଉତ୍ପତ୍ତି ଓ ତରଳିବା ଜରିଆରେ ବରଫ ପ୍ରାଚୀରଗୁଡ଼ିକ ଟ୍ରିଲିଅନ୍ ଟନ୍ ବରଫ ହରାଇଛନ୍ତି । ତନ୍ମଧ୍ୟରୁ ଅଧିକାଂଶ ହିମପର୍ବତ ଉତ୍ତପ୍ତ ମହାସାଗର ଜଳ ଓ ମହାସାଗର ସ୍ରୋତରେ ପରିବର୍ତ୍ତନ ଯୋଗୁ ତରଳୁଛନ୍ତି ।
ମାନବକୃତ ଜଳବାୟୁ ପରିବର୍ତ୍ତନ ଆଣ୍ଟାର୍କଟିକାରେ ଚିନ୍ତାଜନକ ପରିବର୍ତ୍ତନ ଆଣୁଛି, ଯାହା ଭୟାନକ ସମୁଦ୍ର ସ୍ତର ବୃଦ୍ଧି ପାଇଁ ଦାୟୀ ହୋଇପାରେ । ଏ୨୩ଏ ହିମପର୍ବତ ଦକ୍ଷିଣ ଜର୍ଜିଆ ପାଣିତଳ ଭୂଭାଗରେ ଅବସ୍ଥାନ କରିଥିବାବେଳେ ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେ ପୋଲାର ରିସର୍ଚ୍ଚ ଜାହାଜ ଆର୍ଆର୍ଏସ୍ରେ ଥିବା ବୈଜ୍ଞାନିକ ସାର୍ ଡେଭିଡ୍ ଆଟେନ୍ବୋରୋଗ ସେଠାକୁ ଯାଇଥିଲେ । ଏଥିରୁ ନେଇଥିବା ନମୁନାଗୁଡ଼ିକୁ ନିକଟରେ ବିଶ୍ଳେଷଣ ପାଇଁ ବ୍ରିଟେନକୁ ଫେରାଇ ଦିଆଯାଇଛି ।