ମଥୁରାନଗରୀ,୦୪/୦୧: ଶେଷ ହୋଇଛି ମହାପରାକ୍ରମୀ ମହାରାଜା କଂସଙ୍କ ଅତ୍ୟାଚାର । ଭଣଜା କୃଷ୍ଣ-ବଳରାମଙ୍କ ହାତରେ ନିହତ ହୋଇ ମୋକ୍ଷ ପାଇଛନ୍ତି ମାମୁ । କଂସ ଆତଙ୍କରେ ଥରହର ମଥୁରାନଗରୀକୁ ଶାନ୍ତି ଫେରିଛି । ଘରେ ଘରେ ପାଳିତ ହୋଇଛି ପୁଷପୁନି । ଏଥିସହ ୧୧ଦିନ ବ୍ୟାପୀ ବରଗଡ଼ରେ ଆୟୋଜିତ ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ମହୋତ୍ସବ ଉଦ୍ଯାପିତ ହୋଇଛି ।
ମହାରାଜ କଂସଙ୍କ ଡାକରାକ୍ରମେ ମନ୍ତ୍ରୀ ଅକ୍ରୂରଙ୍କ ସଙ୍ଗେ କୃଷ୍ଣ-ବଳରାମ ଗୋପ ଛାଡ଼ି ମଥୁରା ଧନୁଯାତ୍ରା ପରିଭ୍ରମଣ କରିଥିଲେ । ଧନୁଗୃହରେ ରାତ୍ରିଯାପନ କରିଥିବା ବେନିଭ୍ରାତା ଶନିବାର ସକାଳୁ ପୁଣି ନଗର ପରିକ୍ରମାରେ ବାହାରି ପ୍ରଜାଙ୍କ ସହ ମିଶିଥିଲେ । ମାମୁ କଂସ ରଚିଥିବା କପଟ ଧନୁଯାତ୍ରାର ମୀନାବଜାରରେ ଦୁଇ ଭାଇ ପହଞ୍ଚିଥିଲେ । ସେଠାରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ଣରେ ଘଣ୍ଟଘଣ୍ଟା, ଶଙ୍ଖ ଧ୍ୱନିର ତାଳେତାଳେ ଗୋପାଳଙ୍କ ସହିତ ରାଜଦରବାରରେ ପହଞ୍ଚିଥିଲେ । ବାଟସାରା ମଥୁରାବାସୀ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।
ଭଣଜାଙ୍କ ଆଗମନ ସୂଚନା ପାଇ କପଟୀ କଂସ ବ୍ୟୁହ ରଚନା କରି ଦୁଇ ଭଣଜାଙ୍କୁ ମାରିବାକୁ ଉଦ୍ୟମ କରିଥିଲେ । ସମରସଜ୍ଜା ନେତୃତ୍ୱ ନେଇଥିବା ମହାମନ୍ତ୍ରୀ ସକ୍ରାଜିତ୍ କୃଷ୍ଣଙ୍କ ପଥରୋଧ ପାଇଁ ମଞ୍ଚକୁ କୁବଳୟା ହସ୍ତୀ ପଠାଇଥିଲେ । କୃଷ୍ଣଙ୍କ ଗୋଟିଏ ବଜ୍ରମୁଷ୍ଟିରେ କୁବଳୟା ହସ୍ତୀ ନିହତ ହୋଇଥିଲା । କୁବଳୟା ବଧ କରି ବେନିଭାଇ ଦରବାର ଦିଗରେ ଅଗ୍ରସର ହେଉଥିବା ବେଳେ କଂସାସୁରର ସୈନ୍ୟସାମନ୍ତ ପଥରୋଧ କରିଥିଲେ । ସମ୍ମୁଖ ଯୁଦ୍ଧରେ ଦୁଇ ମଲ୍ଲ ଚାଣୁର-ମୁଷ୍ଟିକ, ସେନାପତି ହଂସଧ୍ୱଜ, ପ୍ରଦ୍ୟୁତ, ଚନ୍ଦ୍ରକେତୁ, ଧୂମକେତୁ, ସିଂହଧ୍ୱଜ, ଚନ୍ଦ୍ରଧ୍ୱଜ ପ୍ରାଣ ହରାଇଥିଲେ । ମହାପରାକ୍ରମଶାଳୀ ଶିବଧନୁକୁ ଶ୍ରୀକୃଷ୍ଣ ଓ ହଳଧର ଭାଙ୍ଗିବା ପରେ ଭୟଭୀତ ମହାମନ୍ତ୍ରୀ ସକ୍ରାଜିତ ଓ ମନ୍ତ୍ରୀ ସାର୍ତ୍ତକୀ ଶରଣାଗତ ହୋଇ ଅଭୟଦାନ ପାଇଥିଲେ ।
ଏହାପରେ ଆରମ୍ଭ କଂସ ଏବଂ କୃଷ୍ଣ-ବଳରାମଙ୍କ ମଧ୍ୟରେ ହୋଇଥିଲା ଭୟଙ୍କର ସମ୍ମୁଖ ଯୁଦ୍ଧ । ଅହଙ୍କାର, ମାନ, ଦର୍ପ ତ୍ୟାଗ କରି ପ୍ରଭୁଙ୍କ ଶରଣାଗତ ହେବା ପରେ କଂସଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ଏହା ସହିତ ଅନ୍ୟାୟ, ଅତ୍ୟାଚାର ଯୁଗର ଅନ୍ତ ହୋଇଥିଲା । କଂସମୃତ୍ୟୁରେ ଆନନ୍ଦିତ ମଥୁରାବାସୀ ହୁଳହୁଳି, କରତାଳି ସହ କୃଷ୍ଣ-ବଳରାମଙ୍କୁ ସ୍ୱାଗତ କରିଥିଲେ । ଉତ୍ସାହିତ ମଥୁରାବାସୀଙ୍କ ସ୍ୱାଗତୋକ୍ତି "କଂସ ରାଜାର ବଂଶ ବୁଡ଼ୁ, କଂସ ମଲେ ଖାଏମା ଲଡ଼ୁ' ଗୁଞ୍ଜରଣ ସୃଷ୍ଟି କରିଥିଲା । କୃଷ୍ଣ-ବଳରାମ ପ୍ରପିତାମହ ଉଗ୍ରସେନଙ୍କୁ ପୁଣିଥରେ ସିଂହାସନ ରୁଢ଼ କରାଇ ଧର୍ମର ବିଜୟବାନା ଉଡ଼ାଇଥିଲେ । ମହାରାଜା ଉଗ୍ରସେନଙ୍କ ସହ ଦୁଇ ଭାଇ ମଥୁରା କାରାଗାରରେ ବନ୍ଦୀ ଥିବା ମାତା ଦେବକୀ ଓ ପିତା ବସୁଦେବଙ୍କୁ ମୁକୁଳାଇବା ପରେ ମଥୁରାରେ ବିଜୟ ଉତ୍ସବ ସ୍ୱରୂପ "ପୁଷପୁନି' ଉତ୍ସବ ପାଳନ ହୋଇଛି ।