ନୂଆଦିଲ୍ଲୀ,୧୩/୦୧: ଦିନ ଗଡୁଛି ଜମୁଛି ମହିଳା ପ୍ରିମିୟର ଲିଗ୍ର ଚତୁର୍ଥ ସଂସ୍କରଣ । ରେକର୍ଡ, ରନ୍ ଏବଂ ରଣନୀତରେ ରୋମାଞ୍ଚ ଭରୁଛନ୍ତି ଟିମ୍ । ଚଳିତ ଡବ୍ଲ୍ୟୁପିଏଲ୍ର ଷଷ୍ଠ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଜି (ମଙ୍ଗଳବାର) ଅପରାଜେୟ ରହିଥିବା ଗୁଜରାଟ ଜାଏଣ୍ଟ୍ସକୁ ଭେଟିବ । ବିଜୟୀ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବ । ତେଣୁ ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ।
ଜାଏଣ୍ଟ୍ସ ଦଳ ୨ଟି ମ୍ୟାଚ୍ରେ ଯଥାକ୍ରମେ ୟୁପି ୱାରିୟର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଠାରୁ ପରାଜିତ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଥିଲା । ପୂର୍ବରୁ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଯାକ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାସଲ କରିଛି । ତେଣୁ ଆଜି ଜାଏଣ୍ଟ୍ସ ବିଜୟ ଧାରାରେ ବ୍ରେକ୍ ଲଗାଇବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପ୍ରସ୍ତୁତ ରହିଛି । ଗାର୍ଡନରଙ୍କ ଜାଏଣ୍ଟ୍ସ ଦଳ ଉଭୟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବିଜୟୀ ହୋଇଛି । ବ୍ୟାଟରମାନେ ଚମତ୍କାର ଫର୍ମରେ ରହିଛନ୍ତି । ତେଣୁ ଆଜି ଦଳ ବିଶାଳ ସ୍କୋର ସଂଗ୍ରହ କରିବା ଆଶା କରାଯାଉଛି । ପ୍ରଥମ ୨ଟି ମ୍ୟାଚ୍ ଖେଳି ନଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରମୁଖ ଓପନର ହେଲି ମାଥ୍ୟୁସ ଫିଟ୍ ହୋଇଥିଲେ ହେଁ ଆଜି ଖେଳିବା ସମ୍ଭାବନା କ୍ଷୀଣ । ମୁମ୍ବାଇ ଇଣ୍ଡିଆନ୍ସ ବିଜୟୀ ଏକାଦଶରେ ପରିବର୍ତ୍ତନ କରିବାକୁ ଚାହିଁବ ନାହିଁ ।
ସମ୍ଭାବ୍ୟ ଦଳ
ମୁମ୍ବାଇ ଇଣ୍ଡିଆନ୍ସ: ଆମେଲିଆ କେର, ଜି କାମାଳିନୀ, ନାତାଲି ସ୍କିଭର-ବ୍ରଣ୍ଟ, ହର୍ମନପ୍ରୀତ କୌର (ଅଧିନାୟିକା), ନିକୋଲା କ୍ୟାରି, ଏସ୍ ସଜନା, ଅମନଜୋତ କୌର, ପୁନମ ଖେମନାର, ଶବନିମ ଇସମାଇଲ, ସଂସ୍କୃତି ଗୁପ୍ତା, ତ୍ରିବେଣୀ ବଶିଷ୍ଠା ।
ଗୁଜରାଟ ଜାଏଣ୍ଟ୍ସ: ବେଥ ମୁନି, ଶୋଫି ଡିଭାଇନ, ଅନୁଷ୍କା ଶର୍ମା, ଆସଲି ଗାର୍ଡନର (ଅଧିନାୟିକା), ଜର୍ଜିୟା ୱାରେହାମ, ଭାରତୀ ଫୁଲମାଲି, କାଶଭୀ ଗୌତମ, କନିକା ଆହୁଜା, ତନୁଜା କୱଁର, ରାଜେଶ୍ୱରୀ ଗାଏକୱାଡ, ରେଣୁକା ସିଂହ ଠାକୁର ।