ନୂଆଦିଲ୍ଲୀ,୧୦/୦୧: ନାଦିନ ଡି କ୍ଲର୍କଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୫୪ ରନ ସଂଗ୍ରହ କରିଥିଲା । ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ୭ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଡି କ୍ଲର୍କ ୪ଟି ୱିକେଟ୍ ନେବା ସହ ଅପରାଜିତ ୬୩ ରନ୍‌ରେ ମ୍ୟାଚ ବିଜୟୀ ପାଳି ଖେଳିଥିଲେ ।

୧୫୫ରନ ବିଜୟ ଲକ୍ଷ୍ୟର ପିଛା କରୁଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ଏକଦା ୬୫ ରନ୍‌ରେ ୫ଟି ୱିକେଟ୍ ହରାଇ ପରାଜୟ ପଥରେ ଗତି କରୁଥିଲା । ମାତ୍ର କ୍ରିଜରେ ଅପରାଜିତ ଥିବା ଡି କ୍ଲର୍କ ଅନ୍ତିମ ଓଭରରେ ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ବିଜୟ ଛଡ଼ାଇ ନେଇଥିଲେ । ୧୭ ଓଭର ଖେଳ ଶେଷ ସୁଦ୍ଧା ରୟାଲ୍ ଚ୍ୟାଲେଞ୍ଜର୍ସ ୭/୧୨୧ ରନ କରିଥିଲା । ଶେଷ ୩ ଓଭରରେ ବିଜୟ ପାଇଁ ଆବଶ୍ୟକ ହେଉଥିଲା ୩୪ ରନ । ୧୮ତମ ଓଭରରେ ସଂଗୃହୀତ ହୋଇଥିଲା ୫ ରନ । ୧୯ତମ ଓଭରରେ ଇସମାଇଲ ୧୧ ରନ ପ୍ରଦାନ କରିଥିଲେ । ଶେଷ ଓଭରରେ ଆଉ ୧୮ ରନ ଆବଶ୍ୟକ ହେଉଥିଲା । ନାତାଲି ସ୍କିଭର-ବ୍ରଣ୍ଟ ଏହି ଓଭରର ପ୍ରଥମ ୨ଟି ବଲ୍‌ରେ ରନ ଦେଇ ନଥିଲେ । କିନ୍ତୁ ଶେଷ ୪ଟି ବଲ୍‌ରେ ଡି କ୍ଲର୍କ ଧୂଆଁଧାର ସଟ୍‌ ଖେଳି ମୁମ୍ବାଇ ଇଣ୍ଡିଆନ୍ସର ସବୁ ଆଶା ମଉଳାଇ ଦେଇଥିଲେ । ସେ ତୃତୀୟ ବଲ୍‌ରେ ଛକା, ଚତୁର୍ଥ ବଲ୍‌ରେ ଚୌକା, ପଞ୍ଚମ ବଲ୍‌ରେ ଛକା ଓ ଶେଷ ବଲ୍‌ରେ ଚୌକା ମାରି ଦଳକୁ ବିଜୟୀ କରାଇଥିଲେ ।

ପୂର୍ବରୁ ସ୍ମୃତି ମନ୍ଧନା ଓ ଗ୍ରେସ ହ୍ୟାରିସ୍ ୪୦ ରନ୍‌ର ଓପନିଂ ଭାଗିଦାରୀ ଗଢ଼ି ମୂଳଦୁଆ ମଜଭୁତ କରିଥିଲେ । ମନ୍ଧନା ୧୮ ଓ ହ୍ୟାରିସ ୨୫ ରନ କରି ଆଉଟ୍ ହେବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୬୫ ରନ୍‌ରେ ୫ଟି ୱିକେଟ୍ ହରାଇଥିଲା । ଏହାପରେ ଡି କ୍ଲର୍କ ଓ ଅରୁନ୍ଧତୀ ରେଡ୍ଡୀ ୫୨ ରନ୍ର ଭାଗିଦାରୀ ଗଢ଼ି ଆଶା ସଂଚାର କରିଥିଲେ । ରେଡ୍ଡୀ ୨୦ ଓ ଶ୍ରେୟଙ୍କା ୧ ରନ କରି ଆଉଟ୍ ହେବା ପରେ ପରାଜୟ ଏକ ପ୍ରକାର ନିଶ୍ଚିତ ଜଣା ପଡ଼ୁଥିଲା । ହେଲେ ଶେଷ ୩ ଓଭରରେ ଡି କ୍ଲର୍କ ବାଜି ପଲଟାଇ ଦେଇଥିଲେ । ସେ ୭ ଚୌକା ଓ ୨ଛକା ବଳରେ ୬୩ ରନ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିକୋଲା କ୍ୟାରୀ ଓ ଆମେଲିଆ କେର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୬୭ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା । ଓପନର ଜି କାମାଳିନୀ ୩୨, ହର୍ମନପ୍ରୀତ କୌର ୨୦, ଆମେଲିଆ କେର ଓ ସ୍କିଭର-ବ୍ରଣ୍ଟ ୪ ରନ ଲେଖାଏଁ କରି ଆଉଟ୍ ହୋଇଥିଲେ । ଏହାପରେ ନିକୋଲା କ୍ୟାରୀ ଓ ଏସ୍. ସଜନା ଲଢୁଆ ବ୍ୟାଟିଂ କରି ୪୯ଟି ବଲ୍‌ରୁ ୮୨ ରନର ଭାଗିଦାରୀ ଗଠନ କରିବା ଫଳରେ ଦଳୀୟ ସ୍କୋର ୧୫୪ରେ ପହଞ୍ଚିଥିଲା । ସଜନା ୨୫ଟି ବଲ୍ରୁ ୭ ଚୌକା ଓ ୧ଛକା ବଳରେ ୪୫ ରନ କରିଥିଲେ । ସେହିପରି କ୍ୟାରୀ ୨୯ଟି ବଲ୍ରୁ ୪୦ (୪ଚୌକା) ରନର ଏକ ଦାୟିତ୍ୱପୂର୍ଣ୍ଣ ପାଳି ଖେଳିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରୁ ଡି କ୍ଲର୍କ ସର୍ବାଧିକ ୪ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ବେଲ୍ ଓ ଶ୍ରେୟଙ୍କା ପାଟିଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।