ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆଗାମୀ ସପ୍ତାହରେ ଦକ୍ଷିଣକୋରିଆରେ ଆୟୋଜିତ ଏସିଆ-ପ୍ରଶାନ୍ତ ଆର୍ଥିକ ସହଯୋଗ ଶିଖର ସମ୍ମିଳନୀରେ ଭାଗ ନେବେ। ଏହି ସମସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କର ଦ୍ବିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି, ଯେଉଁଥିରେ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବାଣିଜ୍ୟିକ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଚର୍ଚ୍ଚା ହୋଇପାରେ । ଚୀନ୍ ବିଦେଶ ମନ୍ତ୍ରାଳୟ ଆଜି (ଶୁକ୍ରବାର) ଏହି ଘୋଷଣା କରିଛି ।
ପୂର୍ବରୁ ହ୍ବାଇଟ୍ ହାଉସ୍ ସୂଚନା ଦେଇଥିଲା ଯେ, ଟ୍ରମ୍ପ ୩୦ ଅକ୍ଟୋବରରେ ଦକ୍ଷିଣ କୋରିଆରେ ସି ଜିନପିଙ୍ଗକୁ ଭେଟିବେ। ଏହି ସାକ୍ଷାତକାର ଟ୍ରମ୍ପଙ୍କ ମାଲେସିଆ, ଜାପାନ ଏବଂ ଦକ୍ଷିଣକୋରିଆର ତିନ ଏସିୟାନ ଦେଶର ଯାତ୍ରାର ଅନ୍ତିମ ପର୍ଯ୍ୟାୟ ହେବ । ଚୀନ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଗୁଆ ଜିଆକୁନ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲିଜେ ମ୍ୟାଙ୍ଗଙ୍କ ଆମନ୍ତ୍ରଣରେ ସି ଜିନପିଙ୍ଗ୍ ଆର୍ଥିକ ନେତା ମାନଙ୍କର ୩୨ ତମ ବୈଠକରେ ସାମିଲ ହେବେ। ଏହି ବୈଠକ ଅକ୍ଟୋବର ୩୦ ରୁ ନଭେମ୍ବର ୧ ପର୍ଯ୍ୟନ୍ତ ହେବ ।
ଏହି ଶିଖର ସମ୍ମିଳନୀ ବାଣିଜ୍ୟ ଯୁଦ୍ଧ, ଶୁଳ୍କ ଏବଂ ଯୋଗାଣ ଶୃଙ୍ଖଳ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଦୁଇ ନେତାଙ୍କୁ ଏକ ସୁଯୋଗ ପ୍ରଦାନ କରିବ। ବାଣିଜ୍ୟ ଅସନ୍ତୁଳନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଯୋଗିତାକୁ ନେଇ ଗତ କିଛି ବର୍ଷ ଧରି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଅଧିକ ରହିଛି। ଆମେରିକା ଚୀନ୍ ଉତ୍ପାଦ ଉପରେ ଭାରୀ ଶୁଳ୍କ ଲଗାଇଛି, ଯେତେବେଳେ କି ଚୀନ୍ ଏହାର ପ୍ରତିଶୋଧ ମଧ୍ୟ ନେଇଛି। ଏହି ସମ୍ମିଳନୀରେ ୨୧ ସଦସ୍ୟ ଦେଶ ଯୋଗ ଦେଉଛନ୍ତି, ଯେଉଁମାନେ ବିଶ୍ୱ GDPର ପ୍ରାୟ ୬୦ ପ୍ରତିଶତ ଏବଂ ବିଶ୍ୱ ବାଣିଜ୍ୟର ଅଧା ନିୟନ୍ତ୍ରଣ କରନ୍ତି। ଏହି ଫୋରମରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ବିଶ୍ୱ ଅର୍ଥନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ପ୍ରଦାନ କରିପାରେ।