ନୂଆଦିଲ୍ଲୀ: ଚୀନ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହିତ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଚୀନରେ ଅନୁଷ୍ଠିତ ହେବାକୁ ଥିବା SCO ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶିଖର ସମ୍ମିଳନୀ ପୂର୍ବରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏକ ବଡ଼ ବୟାନ ଦେଇଛନ୍ତି। ସେ ଆଜି (ମଙ୍ଗଳବାର) କହିଛନ୍ତି ଯେ, ରୁଷ ଏବଂ ଚୀନ ମଧ୍ୟରେ ସମ୍ପର୍କ ବିଶ୍ୱରେ ସବୁଠାରୁ ସ୍ଥିର ସମ୍ପର୍କ । ଏକ ରିପୋର୍ଟ ଅନୁଯାୟୀ, ଜିନପିଙ୍ଗ ନିଜେ ପ୍ରଧାନମନ୍ତ୍ରୀ ମୋଦି ଏବଂ ପୁଟିନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ।

ସମ୍ପ୍ରତି ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ରହିଛି। ରୁଷ ଠାରୁ ତେଲ କିଣାକୁ ନେଇ ଭାରତ ଉପରେ ଅସନ୍ତୁଷ୍ଟ ଅଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହି କାରଣରୁ, ଟ୍ରମ୍ପ ମଧ୍ୟ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହି ପ୍ରସଙ୍ଗରେ, ରୁଷ କହିଥିଲା ଯେ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲଗାଇବା ଭୁଲ। ରୁଷ ରାଷ୍ଟ୍ରପତି ପୁଟିନ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ପୂର୍ବରୁ, ଜିନପିଙ୍ଗ କହିଥିଲେ, "ଆମର ସମ୍ପର୍କ ସବୁଠାରୁ ସ୍ଥିର ଏବଂ ପରିପକ୍ୱ। ଏହା ଆମ ପାଇଁ ରଣନୈତିକ ଭାବରେ ବହୁତ ଗୁରୁତ୍ୱପୂର୍ଣ୍ଣ।"

ସୂଚନାଥାଉକି, ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୨୮ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଜାପାନ ଏବଂ ଚୀନ୍ ଗସ୍ତରେ ରହିବେ। ଏହି ସମୟରେ ସେ ଜାପାନରେ ୧୫ ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଏବଂ ଚୀନ୍‌ରେ ସାଂଘାଇ ସହଯୋଗ ପରିଷଦ (SCO)ର ୨୫ ତମ ବୈଠକରେ ଅଂଶଗ୍ରହଣ କରିବେ। ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗାମୀ ଜାପାନ ଏବଂ ଚୀନ୍ ଗସ୍ତ ବିଷୟରେ ସୂଚନା ଦେଇଛି।