ଭଦ୍ରକ,୨୧/୬ : ପୁଣି ତୁଟିଲା ଆଉ ଏକ ଯାତ୍ରା କଳି । ଦୟାଙ୍କ କ୍ଷମା ପାର୍ଥନା ପରେ ହଟିଲା କଟକଣା। ପ୍ରଥମେ କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ ଲାଗିଥିଲାବେଳେ ଏବେ ପୁଣି ଗତ କିଛି ମାସ ହେବ ଯାତ୍ରା କଳାକାର ଓ ଯାତ୍ରା ଗୁରୁମାନଙ୍କ ମଧ୍ୟରେ ବିବାଦ ପୁରା ଅପେରା ଜଗତରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଏପରି ସ୍ଥଳେ ଯାତ୍ରା କଳାକାର ଦୟା ଗତ ଖଣ୍ଡଗିରି ଯାତ୍ରାରେ ଯାତ୍ରା ଗୁରୁମାନଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଯାତ୍ରା ଲେଖକ ଓ ନିର୍ଦ୍ଦେଶକଙ୍କ ଭିତରେ ଝଡ଼ ସୃଷ୍ଟି ହୋଇଥିଲା ।
ଏହି ଝଡ଼ ଧିରେ ଧିରେ ବଢ଼ିବାରେ ଲାଗିଥିଲା । ଏବେ ଯାତ୍ରା ଅଭିନେତା ତଥା କଳାକାର ଦୟା ମଧ୍ୟ ରାତ୍ରୀରେ ଅପେରା ମାଷ୍ଟର ସଙ୍ଘ ସଭାପତି ବିଜୟ ଦାସଙ୍କ ଭଦ୍ରକସ୍ଥିତ ବାସ ଭବନଠାରେ ପହଞ୍ଚି ତାଙ୍କୁ ଭୁଲ ମାଗିଛନ୍ତି । ପରବର୍ତ୍ତି ଓମାର ସାଧାରଣ ବୈଠକରେ ଯାଇ ତାଙ୍କ ପକ୍ଷ ରଖି ଭୁଲ ମାଗିବେ ବୋଲି କହିଛନ୍ତି ଯାତ୍ରା କଳାକାର ଦୟା । ତେଣୁ ଦୟାଙ୍କ ଉପରୁ କଟକଣା ଉଠିଲା ବୋଲି ସଙ୍ଘ ସଭାପତି ବିଜୟ ଦାସ କହିବା ସହ ଯାତ୍ରା କଳାକାର ଓ ନିର୍ଦେଶକ ଏବଂ ଲେଖକଙ୍କ ମଧ୍ୟରେ ସବୁବେଳେ ଭଲ ସମ୍ପର୍କ ଓ ସମ୍ମାନ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।