କଣ୍ଟାବାଞ୍ଜି,୦୭/୦୮: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଜାମପଡା ମଞ୍ଜୁରମରା ଗାଁ ଜଙ୍ଗଲ ନିକଟରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ତାଙ୍କୁ କେହି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତକ ଜାମପଡା ଗାଁର ସନ୍ତୋଷ ରଣା ବୋଲି ଜଣାପଡିଛି । ଘଟଣାସ୍ଥଳରେ ସିନ୍ଧେକେଲା ପୁଲିସ, ଟିଟିଲାଗଡ଼ ଏସଡ଼ିପିଓ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ପରିବାର ଲୋକେ କହିବା ଅନୁଯାୟୀ, ବୁଧବାର ରାତିରେ କିଛି ଲୋକ ସନ୍ତୋଷକୁ ଘରୁ ଡାକି ନେଇଥିଲେ। ହେଲେ ସେ ଘରକୁ ନ ଫେରିବାରୁ ସମ୍ପର୍କୀୟ ଖୋଜା ଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳିନଥିଲା । ଗୁରୁବାର ସକାଳୁ ପାଖ ଜଙ୍ଗଲରେ ସନ୍ତୋଷ ରଣା କ୍ଷତବିକ୍ଷତ ମୃତଦେହ ପଡ଼ିଥିଲା। ମୃତଦେହ ନିକଟରେ ଏକ ଟାଙ୍ଗିଆ ପଡ଼ିଥିବା ବେଳେ ପରିବାର ଲୋକେ ପୁଲିସକୁ ଖବର ଦେବା ସହ ଏହି ଘଟଣାରେ କିଛି ଲୋକ ସଂପୃକ୍ତ ଥିବା ପୁଲିସକୁ ଜଣାଇଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିବ ବୋଲି ଟିଟିଲାଗଡ଼ ଏସଡ଼ିପିଓ ସୂଚନା ଦେଇଛନ୍ତି।