ଚନ୍ଦ୍ରଶେଖରପୁର,୦୩/୧୧: ମଇଁଷି  ଚରାଇବାକୁ ଯାଇଥିବା ଜଣେ ଯୁବକ ଚକେଇସିହାଣୀ ନିକଟ ଗଙ୍ଗୁଆ ନଦୀରେ  ବୁଡ଼ି ଯିବାରୁ ମୃତ୍ୟୁ ହୋଇଛି । ମୃତ ଯୁବକ  ହେଲେ ୱାର୍ଡ ୧୭ ପଥରବନ୍ଧ ବେହେରା ସାହିର  ଦିପୁନା ବେହେରା(୨୫) । ଅଗ୍ନିଶମ ବାହିନୀ  ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଛି ।  

ସୂଚନା ଅନୁଯାୟୀ ଦିପୁନା ପିଲାବେଳୁ କଥା  କହି ପାରନ୍ତିନି କି ଶୁଣି ପାରନ୍ତିନି । ପ୍ରତିଦିନ ମଇଁଷିଙ୍କୁ ଧରି ଉକ୍ତ  ନଦୀ କୂଳକୁ ଯାଆନ୍ତି । ସେଠାରେ ଚରାଇବା ପରେ ଅପରାହ୍ଣରେ  ଘରକୁ ଫେରି ଆସନ୍ତି । ଶନିବାର ମଧ୍ୟ ପୂର୍ବାହ୍ନରେ ମଇଁଷିଙ୍କୁ ଧରି ଯାଇଥିଲେ । ନଦୀରେ ମଇଁଷିଙ୍କୁ ଗାଧୋଇ ଦେଉଥିଲେ । ତାଙ୍କର  ଜଣେ ସାଙ୍ଗ ଏହାର ଭିଡିଓ ବନାଉଥିଲେ । ଏହା ପରେ ତାଙ୍କ ସାଙ୍ଗ ଘରକୁ ପଳାଇ ଆସିଥିଲେ । ଅପରାହ୍ଣରେ ମଇଁଷିଗୁଡ଼ିକ ଘରକୁ ଫେରି ଆସିଥିଲେ । ଦିପୁନା କିନ୍ତୁ ଫେରି ନଥିଲେ । ପରିବାର ଲୋକ ତାଙ୍କୁ ଫୋନ୍‌ କରିଥିଲେ ।  ସେ ଫୋନ୍‌ ଉଠାଇନଥିଲେ । ସାହିର କିଛି  ଯୁବକ ନଦୀ କୂଳ ଆଖପାଖରେ ଖୋଜାଖୋଜି  କରିଥିଲେ । ଦିପୁନାଙ୍କ ଡ୍ରେସ, ଚପଲ ଓ ମୋବାଇଲ ନଦୀ  କୂଳରେ ମିଳିଥିଲା । ତେଣୁ ସେମାନେ ନଦୀରେ ବୁଡ଼ି ଯାଇଥିବା  ସନ୍ଦେହ କରିଥିଲେ । ଅଗ୍ନିଶମ କେନ୍ଦ୍ରକୁ ଜଣାଇବା ପରେ କିଛି  ସମୟ ପରେ ଆଗ୍ନିକମାନେ ଟର୍ଚ୍ଚ ଧରି, ଟ୍ୟୁବ୍‌ ଗଙ୍ଗୁଆରେ ପଶିଥିଲେ । ପ୍ରାୟ ୨ ଘଣ୍ଟା  ଖୋଜାଖୋଜି କରିବା ପରେ ରାତି ୯ଟା ୪୫ରେ  ମୃତଦେହ ମିଳିଥିଲା । ମଞ୍ଚେଶ୍ୱର ଥାନା ପୁଲିସ ପହଞ୍ଚି  ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ  ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ  ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି ।