ଶେରଗଡ,୦୬/୦୯: ଗଣେଶ ପୂଜା ଭସାଣି ଚାଲିଥିବା ବେଳେ ଅଘଟଣ । ଗୋଷ୍ଠୀ ସଙ୍ଘର୍ଷରେ ଚାଲିଗଲା ଜଣଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଗୋଠ ଗାଁରେ ଶୁ୍କ୍ରବାର ବିଳମ୍ୱିତ ରାତିରେ ଏଭଳି ଘଟଣା ଘଟିଛି । ମୃତ ହେଉଛନ୍ତି ଜଗନ୍ନାଥପୁର ଗାଁର ଚନ୍ଦନ ବିଷୋୟୀ । ଏହି ହତ୍ୟାକାଣ୍ଡ ପରେ ଗୋଠ ଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଓ ତାଙ୍କ ଭାଇ ବାପି ସୁଆଁସିଆକୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି ।
ସୂଚନା ମୁତାବକ, ଗୋଠ ଗାଁରେ ଗଣେଶ ଭସାଣି ଚାଲିଥିଲା । ଭସାଣି କରୁଥିବା ଦଳରେ ଗୋଠ ଗାଁ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଓ ତାଙ୍କ ଭାଇ ବାପି ସୁଆଁସିଆ ମଧ୍ୟ ଥିଲେ। ପଟୁଆରକୁ ନେଇ କିଛି ବ୍ୟକ୍ତି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ କରୁଥିବା ମଧ୍ୟରେ ଜଗନ୍ନାଥପୁର ଗାଁର ଚନ୍ଦନ ବିଷୋୟୀ ଓ ତାଙ୍କ ସାଥିମାନେ ଥିଲେ। ଯୁକ୍ତିତର୍କ ଉଗ୍ର ହେବା ପରେ ଚନ୍ଦନ ବିଷୋୟୀକୁ ଧାରୁଆ ଅସ୍ତ୍ର ଦ୍ବାରା ବାପି ସୁଆଁସିଆ ଓ ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ହିଁ ଚନ୍ଦନର ମୃତ୍ୟୁ ଘଟିଥିଲା। ଏସମ୍ପର୍କରେ ଖବର ପାଇ ଶେରଗଡ ପୁଲିସ ଏସଡିପିଓ ସନ୍ତୋଷ ଜେନା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଓ ତାଙ୍କ ଭାଇ ବାପି ସୁଆଁସିଆ ଅଟକ ରଖି ପୋଲିସ ତଦନ୍ତ କରୁଛନ୍ତି।