ଭୁବନେଶ୍ୱର,୧୬/୦୭: ପ୍ରଥମ ସ୍ତ୍ରୀଙ୍କ ଛାଡ଼ପତ୍ର ପରେ ମାନସିକ ଦୁଶ୍ଚିନ୍ତାରେ ଥିଲେ । ଏହାରି ମଧ୍ୟରେ ବେଙ୍ଗାଲୁରୁରେ ରହୁଥିବା ଗଞ୍ଜାମର ଜଣେ ଯୁବତୀଙ୍କୁ ବିବାହ ପାଇଁ ପରିବାରଲୋକ  ଠିକ କରିଥିଲେ । ପ୍ରଥମ ସ୍ତ୍ରୀଙ୍କୁ ଛାଡିବା ପରେ ଦ୍ୱିତୀୟ ବିବାହ ପାଇଁ ଇଚ୍ଛା ନଥିଲା । ହେଲେ ଉକ୍ତ ଯୁବତୀ ଏବେ ବିବାହ ପାଇଁ  ଜିଦ୍‌ ଧରିଛି । ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକମେଲିଂ କରିବା ସହ ଏପରିକି ବାହା ନହେଲେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ଯୁବତୀଙ୍କ ବ୍ଲାକମେଲିଂର ଶିକାର ହୋଇ ଏୟାରଫିଲ୍ଡ ଥାନାରେ ଏତଲା ଦେଇଛନ୍ତି ଜଣେ ସଫ୍ଟୱେୟାର ଇଞ୍ଜିନିୟର । 

ସୁନ୍ଦରପଦା ପଧାନସାହିରେ ରୁହନ୍ତି ସଫ୍ଟୱେୟାର ଇଞ୍ଜିନିୟର ବିନୟ କୁମାର ପାତ୍ର । ସେ ଏବେ ଗୁରଗାଓଁରେ ରହି କାମ କରୁଛନ୍ତି । ଅପରପକ୍ଷେ,  ଗଞ୍ଜାମର ଉକ୍ତ ଯୁବତୀଜଣଙ୍କ ବେଙ୍ଗାଲୁରୁର ଏକ ଓୟୋରେ ସେଲ୍ସ ଗାର୍ଲ ଭାବେ ଚାକିରି କରିଛନ୍ତି । ବିନୟଙ୍କ ସହ ଉକ୍ତ ଯୁବତୀଙ୍କ ବିବାହ ପ୍ରସ୍ତାବ ଆସିଥିଲା । ହେଲେ ବିନୟ ବିବାହ କରିବାକୁ ମନା କରିଥିଲେ । ପରିବାରଲୋକଙ୍କ ଅନୁରୋଧ ପରେ ସେ ଯୁବତୀଙ୍କୁ ମଧ୍ୟ ଦେଖାକରିଥିଲେ । ହେଲେ ବିନୟଙ୍କ ବିବାହ ଇଚ୍ଛା ନଥିବା ଜାଣି ଯୁବତୀ ତାଙ୍କୁ ଧମକଚମକ ଦେଉଛନ୍ତି । ବିବାହ ନକଲେ ତାଙ୍କ ନାମରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଆଣିବାକୁ କହୁଛନ୍ତି । ଏପରିକି ହତ୍ୟା ଧମକ ମିଳୁଥିବା ବିନୟ ଏତଲାରେ ଦର୍ଶାଇଛନ୍ତି । ଏୟାରଫିଲ୍ଡ ପୁଲିସ  କେସ୍‌ ନଂ-୨୪୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।