ଭଞ୍ଜନଗର,୨୨/୧୧ : ଗତ ୩ ଦିନ ତଳେ ନିଖୋଜ ଥିବା ଜଣେ ଯୁବକଙ୍କ ଶବକୁ ଉଦ୍ଧାର କରିଛି ଗାଙ୍ଗପୁର ପୁଲିସ। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କେ. ନୂଆଁଗଡ ଗାଁ ନିକଟରେ ଏଭଳି ଏକ ଘଟଣା ନଜରକୁ ଆସିଛି। ମୃତ ଯୁବକ ଜଣକ କେ.ନୂଆଗଡ ଗାଁର କୈଳାସ ସେଠୀଙ୍କ ପୁଅ ରାଜେଶ ସେଠୀ (୨୫) ।
ଗତ ତିନିଦିନ ପୂର୍ବରୁ ନିକଟସ୍ଥ ସୁନାକେରା ଗାଁକୁ ରାତିରେ ନାଚ ଦେଖିବାକୁ ସେ ଯାଇଥିଲେ । ସେହି ରାତିରୁ ରାଜେଶ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଶନିବାର ଅପରାହ୍ନରେ ତାଙ୍କର ମୃତଦେହ ଗାଁ ଶେଷ ମୁଣ୍ଡରେ ଥିବା ଏକ ବିଲମାଳରେ ପଡିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏ ସଂକ୍ରାନ୍ତରେ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ଘଟଣାର କାରଣ ଜଣାପଡିବ ବୋଲି ଥାନାଧିକାରୀ ବନ ବିହାରୀ ପ୍ରଧାନ ସୂଚନା ଦେଇଛନ୍ତି।