ମାଲକାନଗିରି,୫/୨(ଆପ୍ର ) : ଜଣେ ଯୁବକ ନିଖୋଜ ହେବାର ଗୋଟିଏ ଦିନପରେ କେନ୍ଦୁପତ୍ର ଗୋଦାମ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମାଲକାନଗିରି ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ମାଲକାନଗିରି-ମୋଟୁ ୩୨୬ ଜାତୀୟ ରାଜପଥ କଡରେ ଥିବା ଏମଭି ୧୬ ଗାଁ ମୁଣ୍ଡ ଏକ କେନ୍ଦୁ ପତ୍ର ଗୋଦାମ ପାର୍ଶ୍ଵରୁ ଯୁବକର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ଏମଭି-୧୬ ଗାଁର ଉତ୍ତମ ବିଶ୍ୱାସ (୩୫) ।
ବୁଧବାର ରାତିରୁ ଉତ୍ତମ ନିଖୋଜ ଥିଲେ। ପରିବାର ଲୋକେ ଓ ଗ୍ରାମ ବାସୀ ବହୁତ ଖୋଜାଖୋଜି କରିବା ପରେ ନିରାଶ ହୋଇଥିଲେ। ଗୁରୁବାର ସକାଳେ କେନ୍ଦୁ ପତ୍ର ଗୋଦାମ ନିକଟରେ ତାଙ୍କ ମୃତଦେହ ପଡ଼ିଥିବାର ଲୋକେ ଦେଖି ପୁଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳ ରେ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ, ଏସ୍ଡ଼ିପିଓ ଦିବ୍ୟ ରଞ୍ଜନ ଦଳେଇ , ଥାନା ଅଧିକାରୀ ରିଗାନ କିଣ୍ଡୋ ପୁଲିସ ସଦଳ ବଳ ପହଁଚି ମୃତ ଶରୀର ଜବତ କରିଛନ୍ତି। ଅଧିକ ତଦନ୍ତ ନିମନ୍ତେ କୋରାପୁଟ ରୁ ସାଇଣ୍ଟିଫିକ ଟିମ ଓ ପୁଲିସ ସନ୍ଧନୀ କୁକୁରକୁ ଅଣାଯାଇଛି । ଉତ୍ତମକୁ ଅତି ନିର୍ମମ ଭାବେ କେହି ଦୁର୍ବୁତ୍ତ ହତ୍ୟା କରି ଘୋଷାଡ଼ି ଘୋଷାଡ଼ି ନେଇ କେନ୍ଦୁପତ୍ର ଗୋଦାମ କାନ୍ଥ ଅଡୁଆଳ ରେ ପକାଇ ଥିବା ଅନୁମାନ କରାଯାଉଛି। ତେବେ ହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ମଦ ଓ ପାଣି ବୋତଲ ପଡ଼ିଥିବାର ଦେଖିବାକୁ ମିଳିଥିବାରୁ ଏହା ମଦ୍ୟପାନ ଯୋଗୁଁ ଗଣ୍ଡଗୋଳ ହୋଇ ହତ୍ୟା ହୋଇ ଥାଇପାରେ ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣା ପଡିବ ବୋଲି ପୁଲିସ କହିଛି।