- ଗଭୀର ଅବପାତ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ
- ସମସ୍ତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି
- ବିପଦପୂର୍ଣ୍ଣ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ ବ୍ୟବସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି
ଭୁବନେଶ୍ୱର,୨୭/୦୭: ଗଭୀର ଅବପାତ ଜନିତ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲୋକସେବା ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାଭିତ୍ତିକ ପ୍ରସ୍ତୁତିର ସମୀକ୍ଷା କରି ସମସ୍ତ ଜିଲ୍ଲା ପ୍ରଶାସନକୁ ୨୪ ଘଣ୍ଟିଆ ସତର୍କତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଜନସାଧାରଣଙ୍କ ଜୀବନର ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।
ମନ୍ତ୍ରୀ ବିପଦପୂର୍ଣ୍ଣ ଅଞ୍ଚଳରୁ ଆବଶ୍ୟକ ହେଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ରନ୍ଧା ଖାଦ୍ୟ, ଶୁଖିଲା ରାସନ, ପାନୀୟ ଜଳ ଓ ଅନ୍ୟାନ୍ୟ ରିଲିଫ ସାମଗ୍ରୀର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କହିଛନ୍ତି। ସେହିପରି ସମସ୍ତ ଜରୁରୀକାଳୀନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେକୌଣସି ପରିସ୍ଥିତିର ତ୍ୱରିତ ମୁକାବିଲା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ନାଇଡ଼ୁ କମିଶନ ରିପୋର୍ଟ ଫାଇଲ ଗାଏବ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଗଭୀର ଅବପାତ ବାଲେଶ୍ୱର ଓ ପଶ୍ଚିମବଙ୍ଗର କ୍ୟାନିଂ ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ, ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆହୁରି ପଢ଼ନ୍ତୁ: Deep depression: ଗଭୀର ଅବପାତର ପ୍ରଭାବ: ଓଡ଼ିଶାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ
ଷ୍ଟେଟ୍ ଇମର୍ଜେନ୍ସି ଅପରେସନ୍ ସେଣ୍ଟର (SEOC) ଏବଂ ସମସ୍ତ ଡିଷ୍ଟ୍ରିକ୍ଟ ଇମର୍ଜେନ୍ସି ଅପରେସନ୍ ସେଣ୍ଟର (DEOC) ୨୪ ଘଣ୍ଟିଆ ଭିତ୍ତିରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି ଯେ, ରାଜ୍ୟର ସମସ୍ତ ପ୍ରମୁଖ ନଦୀ ବର୍ତ୍ତମାନ ବିପଦ ସ୍ତରରୁ ତଳେ ପ୍ରବାହିତ ହେଉଛି ଏବଂ ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର ବର୍ଷାଜନିତ କ୍ଷୟକ୍ଷତିର ସୂଚନା ମିଳିନାହିଁ। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟର ସାମଗ୍ରିକ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ସେହିପରି ମତ୍ସ୍ୟଜୀବୀମାନଙ୍କୁ ଜୁଲାଇ ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବା ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି।
ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୧୯ତମ ପାଳି: ଜିଲ୍ଲାସ୍ତରରେ ୮୯ ପ୍ରତିଶତ ଅଭିଯୋଗର ସମାଧାନ