ଯୁବକଙ୍କୁ ମାରି ଟାଙ୍ଗିଦେଲେ! ହିନ୍ଦୀରେ ଲେଖାଥିବା ସୁଇସାଇଡାଲ ନୋଟ୍ ଜବତ

ଭୁବନେଶ୍ୱର,୧୩ ।୬(ବ୍ୟୁରୋ): ଖାରବେଳନଗର ଥାନା ସମ୍ମୁଖ ଗୁରୁଦ୍ୱାର କଲୋନି ପରିସରରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି । ତାଙ୍କୁ ହତ୍ୟାକରି ଟାଙ୍ଗି ଦିଆ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତ ଯୁବକ ହେଲେ ଖାରବେଳନଗର ଥାନା ନିକଟ ହରିଜନ ସାହିର ସୁବାସ ନାୟକ (୨୨) । ସେ ଗୁରୁଦ୍ୱାରରେ ଝାଡ଼ୁଦାର ଭାବେ କାର୍ଯ୍ୟ କରୁଥିଲେ । ସୁବାସଙ୍କ ମୃତଦେହ ଉଦ୍ଧାର କରା ଯାଇଥିବା ସ୍ଥାନରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି ପୁଲିସ୍ । ଉକ୍ତ ଚିଠି ହିନ୍ଦୀ ଭାଷାରେ ଲେଖାଯାଇଛି । ତା’ଛଡା ସୁବାସଙ୍କ ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବା ପୁଲିସ୍ ଜାଣିବାକୁ ପାଇଛି । ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି । ସୁବାସଙ୍କ ମୃତ୍ୟୁକୁ କେନ୍ଦ୍ର କରି ସନ୍ଧ୍ୟାରେ ଗୁରୁଦ୍ୱାର କଲୋନି ସମ୍ମୁଖରେ ଉତ୍ତେଜନା ଦେଖା ଦେଇଥିଲା ।
ମିଳିଥିବା ସୂଚନା ମୁତାବକ, ସୁବାସ ସବୁଦିନ ପରି ଆଜି ମଧ୍ୟ କାମ କରିବାକୁ ଗୁରୁଦ୍ୱାର ଆସିଥିଲେ । ଅପରାହ୍ଣ ସାଢ଼େ ୩ଟା ବେଳେ ଗୁରୁଦ୍ୱାର ପରିସରରେ ଥିବା ଏକ ରୁମ୍ରେ ତାଙ୍କ ମୃତ ଦେହ ଫ୍ୟାନ୍ରେ ଝୁଲୁଥିବାର ଦେଖିଥିଲେ ଅନ୍ୟ ଜଣେ କର୍ମଚାରୀ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ସୁବାସଙ୍କ ମୃତଦେହ ଜବତ କରିଥିଲା । ସୁବାସଙ୍କ ଗୁପ୍ତାଙ୍ଗରୁ ରକ୍ତ ବାହାରୁ ଥିବାରୁ ପୁଲିସ୍ର ସନ୍ଦେହ ବଢ଼ିଥିଲା । ପରେ ହିନ୍ଦୀ ଭାଷାରେ ଲେଖାଥିବା ଏକ ସୁଇସାଇଡାଲ ନୋଟ ମିଳିଥିଲା । ତେଣୁ ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ଡକାଇ ଆରମ୍ଭ କରିଥିଲା ତଦନ୍ତ ।
ଏହି ଖବର ପ୍ରଘଟ ହେବାପରେ ସୁବାସଙ୍କ ପରିବାର ଓ ସାହି ଲୋକ ସେଠାରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତେଜନାକୁ ନିୟନ୍ତ୍ରଣ କରିବାକୁ ଦେଢ଼ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରା ଯାଇଥିଲା । ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ସୁବାସଙ୍କୁ ହତ୍ୟାକରି ଟାଙ୍ଗି ଦିଆଯାଇଛି । ସେମାନେ କହିଛନ୍ତି ସୁବାସ ଓଡ଼ିଆ ବି ପଢ଼ି ପାରନ୍ତିନାହିଁ । ତେଣୁ ହିନ୍ଦୀରେ ସୁଇସାଇଡାଲ ନୋଟ ଲେଖିବା ପ୍ରଶ୍ନ ଉଠୁନାହିଁ । ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ଜନପଥରେ ଟ୍ରାଫିକ୍ ସମସ୍ୟା ଦେଖା ଦେଇଥିଲା ।
ଏନେଇ ଖାରବେଳନଗର ଥାନା ଆଇଆଇସି ବିଶ୍ୱରଞ୍ଜନ ସେନାପତି କହିଛନ୍ତି, ଗୁରୁଦ୍ୱାର ଭିତରେ ସୁବାସଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିଲା । ସୁବାସଙ୍କ ପକେଟରୁ ଏକ ଚିଠି ମିଳିଛି । ଏହା ସୁଇସାଇଡ୍ ଲେଟର କି ଆଉ କିଛି ତାହା ଆମେ ଏ ପର୍ଯ୍ୟନ୍ତ ଜାଣି ପାରିନାହୁଁ । ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଡିସିପି ଅନୁପ ସାହୁ କହିଛନ୍ତି ତାଙ୍କ ନିକଟରୁ କୌଣସି ସୁଇସାଇଡାଲ ନୋଟ ଜବତ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁବାସଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।