ମାଲକାନଗିରି, ୨୩/୮(ଆପ୍ର) : ମାଓବାଦୀଙ୍କ ସହିଦ ପିଲାରରେ ଜାତୀୟ ପତାକା ଉଡାଇବା ମହଙ୍ଗା ପଡିଛି   ସୀମାନ୍ତ ଗ୍ରାମର ଜଣେ ଯୁବକକୁ । ପୁଲିସ ସୂଚନାଦାତା କହି ପ୍ରଜାକୋର୍ଟରେ ସେହି ଯୁବକକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲାଲ ବାହିନୀ।  ଏମିତି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ନାରାୟଣପୁର ଜିଲ୍ଲା  ମାଓଗଡ଼ ଆବୁଝାମାଡ଼ ଅଞ୍ଚଳରେ। ମାଓଗଡ଼ରେ ଜଣେ ଯୁବକ ସ୍ୱାଧୀନତା ଦିବସ ପାଳନ କରି ଜାତୀୟ ପତାକା ଉଡାଇ ଥିବାରୁ ତାକୁ ମାଓବାଦୀମାନେ ପ୍ରଜାକୋର୍ଟରେ ନିର୍ମମ ଭାବେ ହତ୍ୟା କରି ମୃତ୍ୟୁ ଦଣ୍ଡ ଦେଇଛନ୍ତି।

ଆବୁଝାମାଡ଼ ଥାନାସ୍ଥ  ମାଓପ୍ରବଣ ବିନାଗୁଡା ଗ୍ରାମର ମନିସ ନରେଟି ନିଜ ଗାଁ ମୁଣ୍ଡ ରେ ଥିବା ମାଓବାଦୀଙ୍କ ଏକ ପୁରୁଣା ସହିଦ ପିଲାରରେ ବାଉଁଶ ପୋତି ଜାତୀୟ ପତକା ଉଡାଇ ସ୍ୱାଧୀନତା ଦିବସ ପାଳନ କରିଥିଲେ।  ଏଥିରେ ଗ୍ରାମବାସୀ ଓ ପିଲାମାନେ ଉପସ୍ଥିତ ଥିଲେ। ଏହି ଖବର ମାଓବାଦୀ ମାନେ ଜାଣି ପାରି ମନିସକୁ ଘରୁ ଉଠାଇ ନେଇ ତାଙ୍କ ପ୍ରଜା କୋର୍ଟ ରେ ହାଜର କରି ନିର୍ମମ ଭାବେ ହତ୍ୟା କରିଥିଲେ। ମୃତଦେହକୁ ଗାଁ ନିକଟ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇଥିଲେ। ତାଙ୍କ ନିକଟରେ ହିନ୍ଦୀ ଭାଷାରେ ଏକ ବ୍ୟାନର ଛାଡି ଦେଇଛନ୍ତି, ସେଥିରେ ଲେଖା ଅଛି ମନିସ ପୁଲିସର ସୂଚନା ଦାତା ସାଜିଛି।  ମାଓବାଦୀଙ୍କ ବିରୋଧରେ  ଯାଇ ସହିଦ ପିଲାର ପତକା ଉଡାଇଥିବାରୁ ତାକୁ ମୃତ୍ୟୁ ଦଣ୍ଡ ଦିଆଗଲା। ପୁଲିସ ଘଟଣା ସ୍ଥଳରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଚଲାଇଛନ୍ତି।