ବଡବିଲ, ୧୮।୭ : ବଳଦ ଚରାଇ ଘରକୁ ଫେରୁଥିଲେ। ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମୋହନ ଚରଣ ଗିରି।
ଶନିବାର ସନ୍ଧ୍ୟା ସମୟରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଦେଖାଦେବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଏହି ସମୟରେ ମୋହନ ବଳଦ ଚରାଇ ଘରକୁ ଫେରୁଥିଲେ। ତେବେ ଘରଠାରୁ ମାତ୍ର କିଛି ଦୂରତାରେ ଥିବା ବେଳେ ହଠାତ୍ ବିକଟାଳ ଶବ୍ଦ କରି ବଜ୍ରାଘାତ ହୋଇଥିଲା। ଫଳରେ ମୋହନ ସେଠାରେ ହିଁ ଗୁରୁତର ଭାବେ ଆହତ ହୋଇ ପଡ଼ିଯାଇଥିଲେ।ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅପରପକ୍ଷରେ, ଖବର ପାଇ ଚମ୍ପୁଆ ଥାନା ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି।
ଆହୁରି ପଢନ୍ତୁ : ଲଘୁଚାପ ଦୁର୍ବଳ : ଆଉ ୩ ଦିନ ବର୍ଷା ସମ୍ଭାବନା , ୧୧ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ