ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା; ପ୍ରେମିକାଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଆଶିଷ ମିଶ୍ର (୨୯)ଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ତାଙ୍କ ପ୍ରେମିକାଙ୍କୁ ଗିରଫ କରିଛି । ସେ ହେଲେ ଯାଜପୁର ଧର୍ମଶାଳା ପ୍ରତାପପୁର ଗାଁର ସୁଜାତା ଦାସ ଓରଫ୍ ଲିଜା (୨୩) । ତାଙ୍କ ବିରୋଧରେ ପୁଲିସ ଆଇପିସି ଦଫା ୩୦୬ (ଆତ୍ମହତ୍ୟାରେ କୁପ୍ରରୋଚନା) ଲଗାଇଛି । ୧୬୧ ଆଧାରରେ ବୟାନ ରେକର୍ଡ ପରେ ତାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଘଟଣା ଦିନ ଲିଜା ତାଙ୍କ ରୁମ୍ରେ ଥିଲେ । ଲିଜାଙ୍କ ସାମ୍ନାରେ ଆଶିଷ ଆତ୍ମହତ୍ୟା କରିଛନ୍ତି ବୋଲି ଲିଜା ବୟାନ ଦେଇଥିବା ପୁଲିସ କହିଛି ।
ପୁଲିସ କହିବା ମୁତାବକ, ଆଶିଷ ଓ ଲିଜାଙ୍କ ମଧ୍ୟରେ ୩ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଆଶିଷଙ୍କ ଘରେ ଏକାଠି ରହୁଥିଲେ । ତେବେ ଆଶିଷ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ । ପରେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଅଲଗା ହୋଇଯାଇଥିଲେ । ହେଲେ ଆଶିଷ ପୁଣି ତାଙ୍କ ପତ୍ନୀଙ୍କ ପାଖକୁ ଫେରିବାକୁ ଚାହୁଁଥିଲେ । ଏପଟେ ଆଶିଷଙ୍କୁ ବିବାହ ପାଇଁ ଲିଜା ସବୁବେଳେ ଜିଦ୍ କରୁଥିଲେ । ଫଳରେ ଲିଜାଙ୍କ ସହ ତାଙ୍କର ଅନେକ ସମୟରେ ଝଗଡ଼ା ହେଉଥିଲା । ଘଟଣା ଦିନ ସନ୍ଧ୍ୟାବେଳେ ଉଭୟେ ମାର୍କେଟକୁ ଯାଇଥିଲେ । ଘରକୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଆଶିଷ ଆତ୍ମହତ୍ୟା କରିଥିଲେ । ପୂର୍ବରୁ ୫-୬ ଥର ଆଶିଷ ଏମିିତି ଆତ୍ମହତ୍ୟାର ଅଭିନୟ କରିଥିବାରୁ ଲିଜା ତାଙ୍କୁ ଅଟକାଇନଥିବା ପୁଲିସ ସାମ୍ନାରେ ବୟାନ ଦେଇଛନ୍ତି ।
ସେପଟେ ଆଶିଷଙ୍କ ବନ୍ଧୁ ଓ ଭଉଣୀ ମଧୁମିତା ଅଲଗା ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି, କିଛି ମାସ ତଳେ ଆଶିଷ ୧.୭୦ କୋଟି ଟଙ୍କା ମୂଲ୍ୟରେ ଏକ ଜାଗା ବିକିଥିଲେ । ଜମି ବିକ୍ରିରୁ ମିଳିଥିବା ଟଙ୍କା ହିଁ ଝଗଡ଼ାର ମୂଳ କାରଣ । ଏଥିପାଇଁ ଲିଜା ତାଙ୍କୁ ମାରିଦେଇ ପାରିଥାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି ।ା